ବରଗଡ଼: ତ୍ରିସ୍ତରୀୟ ପଚାଂୟତ ନିର୍ବାଚନର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଚୟନ ରବିବାର ଶେଷ ହୋଇଛି। ବିଜେପୁର ଜୋନ୍-୧ର ସଦସ୍ୟା ମାନିନୀ ଭୋଇ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଏହି ପ୍ରକ୍ରିୟା ଚାଲିଥିଲା। ତାଙ୍କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବିଜେପୁର ବିଧାୟିକା ରୀତା ସାହୁ ଉପସ୍ଥିତ ରହି ମାନିନୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ତେବେ ଗତ ୨୦ ବର୍ଷର ରାଜନୈତିକ ଇତିହାସକୁ ଦୋହରାଇ ପୁଣି ଥରେ ପଦ୍ମପୁର ଉପଖଣ୍ଡ ଭାଗରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଯାଇଛି । ଏହାଛଡ଼ା ପାଂଚ ବର୍ଷ ପରେ ବିଜେପି ଦଖଲରୁ ବିଜେଡି ଜିଲ୍ଲା ପରିଷଦ ଛଡ଼ାଇ ଆଣିବାରେ ସଫଳ ହୋଇଛି। ୧୯୯୭ ମସିହାରେ ବରଗଡ଼ ଜିଲ୍ଳାରେ ପ୍ରଥମ ଥର ପାଇଁ ଜିଲ୍ଳା ପରିଷଦ ଗଠନ ହୋଇଥିଲା ଏବଂ ସେହି ବର୍ଷ ଭେଡ଼େନ ଅଂଚଳର ଜନତା ଦଳର କବିସୂର୍ଯ୍ୟ ପୁରୋହିତ ଅଧ୍ୟକ୍ଷ ଭାର ଗ୍ରହଣ କରିଥିଲେ। ୨୦୦୨ ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସକୁ ସଫଳତା ମିଳିଥିଲା ଏବଂ ପଦ୍ମପୁର ଅଚଂଳର ମନୋରଂଜନ ସିଂ ବରିହା ଅଧ୍ୟକ୍ଷ ଭାର ତୁଳାଇଥିଲେ।
୨୦୦୭ ଜିଲ୍ଳା ପରିଷଦ ନିର୍ବାଚନ ବିଜେଡି-ବିଜେପି ମେଣ୍ଟ କରି ବିଜୟ ହୋଇଥିବା ବେଳେ ବିଜେପୁର ଅଚଂଳର ବିଜେପି ନେତ୍ରୀ ସୁନାଫୁଲ ସେଠ ଅଧ୍ୟକ୍ଷା ହେବାର ସୌଭାଗ୍ୟ ପାଇଥିଲେ। ତେବେ ମେଣ୍ଟ ଭାଙ୍ଗିଯିବା ପରେ ୨୦୧୨ ନିର୍ବାଚନରେ ବିଜୁ ଜନତା ଦଳ ଏକାକୀ ଜିଲ୍ଲା ପରିଷଦ ଗଠନ କରିଥିଲା ଏବଂ ପାଇକମାଳ ଅଞ୍ଚଳର ଗୀତାଞ୍ଜଳି ପୁଟା ଅଧ୍ୟକ୍ଷା ଭାବରେ ଦାୟିତ୍ୱ ସଂପାଦନା କରିଥିଲେ। ୨୦୧୭ ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ଏବଂ ପାଇକମାଳ ଅଚଂଳର ମୁକ୍ତା ସାହୁ ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କରିଥିଲେ।
ମୋଟ୍ ୫ଟି ପର୍ଯ୍ୟାୟରୁ ଜନତାଦଳ, କଂଗ୍ରେସ, ବିଜେଡି ଓ ବିଜେପି ଥରେ ଲେଖାଏଁ ଜିଲ୍ଲା ପରିଷଦ ଗଠନ କରିଥିବା ବେଳେ ଥରେ ବିଜେପି-ବିଜେଡି ମେଣ୍ଟ ପରିଷଦ ଚଲାଇଥିଲେ। ତେବେ ଏହି ପାଂଚ ଥରରୁ କେବଳ ପ୍ରଥମ ଥରକୁ ବାଦ ଦେଲେ ଅନ୍ୟ ସବୁବେଳେ ପଦ୍ମପୁର ଉପଖଣ୍ଡର ନେତାମାନଙ୍କ ଭାଗ୍ୟରେ ଅଧ୍ୟକ୍ଷ ପଦ ପଡୁଛି । ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବରଗଡ଼ ଉପଖଣ୍ଡର ବହୁ ସଦସ୍ୟ/ ସଦସ୍ୟାଙ୍କ ନାମ ଚର୍ଚ୍ଚାରେ ଥିଲା। ତେବେ ଶେଷ ମୁହୂର୍ତରେ ପୁଣିଥରେ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବିଜେପୁରର ମାନିନୀ ଭୋଇ ଏହି ଆସନ ହାତେଇବା ଦ୍ବାରା ପୁରୁଣା ପରମ୍ପରା ଏବେ ବି ଜାରି ରହିଛି।