କଟକ : ଗୋଟିଏ ଆର୍‌ଟିଆଇ ତଥ୍ୟ କହୁଛି ଯେ ୪ କୋଟି ୭୮ ଲକ୍ଷ ଟଙ୍କାର କାମ ହୋଇଛି। କିନ୍ତୁ ଦୁଇ ମାସ ପରେ ମିଳିଥିବା ଆଉ ଗୋଟିଏ ଆରଟିଆଇ ତଥ୍ୟ କହୁଛି ଯେ ସେଭଳି କିଛି କାମ ହେବାର ପ୍ରମାଣ ନାହିଁ। ଜଳସଂପଦ ବିଭାଗ ମେକାନିକାଲ୍ ଡିଭିଜନରେ ହୋଇଥିବା ଏଭଳି ଆଖିଖୋସା ଦୁର୍ନୀତିର ତଦନ୍ତ ଦୁଇ ବର୍ଷ ହେଲା ଭିଜିଲାନ୍ସ ହାତକୁ ନେଇଥିଲେ ବି ଫଳାଫଳ ଶୂନ। ଯେଉଁ ଅଧିକାରୀଙ୍କ ଅମଳରେ ଏ ସବୁ ଦୁର୍ନୀତି ଅଭିଯୋଗ ଆସିଥିଲା, ସିଏ ‌ଏବେ କିନ୍ତୁ ପଦୋନ୍ନତି ପାଇ ଅବସର ନେବାକୁ ବସିଲେଣି।

Advertisment

୨୦୧୯, ମେ ୧ ତାରିଖରେ ବିଭାଗ ପକ୍ଷରୁ ଦିଆଯାଇଥିବା ଆରଟିଆଇ ତଥ୍ୟ ଅନୁଯାୟୀ ୨୦୧୪, ଅକ୍ଟୋବର ୨୪ରୁ ୨୦୧୮, ମାର୍ଚ୍ଚ ୧୬ ତାରିଖ ମଧ୍ୟରେ ଭୁବନେଶ୍ବର ଡିଭିଜନ ଅଧୀନରେ ଅଫ୍‌ଲାଇନ୍‌ ଟେଣ୍ଡର ଜରିଆରେ ୫୬୪ଟି କାମ ଦିଆଯାଇଥିଲା। ୫ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଗୋଟିଏ ଗୋଟିଏ କାମକୁ ଏଭଳି ଅଫ୍‌ଲାଇନ୍ ଟେଣ୍ଡର ଜରିଆରେ ତଥାକଥିତ ସ୍ବାମୀ-ସ୍ତ୍ରୀ କଂପାନିଙ୍କୁ ଦେଇ ଦିଆଯାଇଥିଲା। କଟକର ଯୋବ୍ରା ୱାର୍କସପ୍ ଓ ମୁଣ୍ଡଳୀ ୱାର୍କସପ୍‌ରେ ଏହିସବୁ କାମ ହୋଇଥିବା ବି ଆରଟିଆଇ ତଥ୍ୟରେ ସୂଚନା ଦିଆଯାଇଥିଲା। ଏହି କାମ ଭିତରେ ମୁଣ୍ଡଳୀ ୱାର୍କସପ୍‌ରୁ ନୟାଗଡ଼ ୬ ଟନ୍ ୨୯୧ କିଲୋ ସାମଗ୍ରୀ ପରିବହନରେ ୧ ଲକ୍ଷ ୭୩ ହଜାର ୨୧୫ ଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟ ବି ରହିଥିଲା। ଏଭଳି କାରବାରକୁ ନେଇ ସ୍ବତଃ ସନ୍ଦେହ ହେବାରୁ ଆଉ ଏକ ତଥ୍ୟ ଆରଟିଆଇରେ ମଗାଯାଇଥିଲା। ୨୦୧୯, ସେପ୍ଟେମ୍ବର ୧୧ରେ କିନ୍ତୁ ଆରଟିଆଇରେ ଯେଉଁ ତଥ୍ୟ ବିଭାଗ ପକ୍ଷରୁ ଦିଆଗଲା, ତାହା ଥିଲା ଅତ୍ୟନ୍ତ ରୋଚକ। ସେଭଳି କିଛି ୪ କୋଟି ୭୮ ଲକ୍ଷ ଟଙ୍କାର ୫୬୪ଟି କାମ ଯୋବ୍ରା ଅଥବା ମୁଣ୍ଡଳୀ ୱାର୍କସପ୍‌ରେ ହୋଇନାହିଁ ‌ବୋଲି ସେହି ଆରଟିଆଇ ତଥ୍ୟରେ ସୂଚନା ଦିଆଗଲା।

ଦୁଇ ମାସ ପୂର୍ବ ଓ ପରର ଦୁଇଟି ଆର୍‌ଟିଆଇ ତଥ୍ୟ ଏଭଳି ପରସ୍ପର ସଂପୂର୍ଣ୍ଣ ଓଲଟା ହେବା ଘଟଣାକୁ ନେଇ ସନ୍ଦେହ ହେବାରୁ ଏହାକୁ ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହେଲା। ଲୋକାୟୁକ୍ତ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ୨୦୧୯ରେ ଭିଜିଲାନ୍ସ ତଦନ୍ତ (ଫାଇଲ୍ ନଂ ୬/୨୦୧୯) ଆରମ୍ଭ କଲା। କିନ୍ତୁ ଏଯାଏ କୌଣସି ରିପୋର୍ଟ ଅଥବା କାର୍ଯ୍ୟାନୁଷ୍ଠାନ ନାହିଁ। ଜଳସଂପଦ ବିଭାଗର ମେକାନିକାଲ୍ ଡିଭିଜନରେ ୬୧ କୋଟି ଟଙ୍କାର ହେରଫେରକୁ ନେଇ ଅଡିଟ୍ ରିପୋର୍ଟ ଏବଂ ୨ ବର୍ଷ ତଳେ ଯେଉଁ ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା, ସେଥିରେ ଜଣେ ଦୁଇ ଜଣ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଅଭିଯୋଗ ରହି ଆସିଛି। କିନ୍ତୁ ସବୁ ଫାଇଲ୍ ଚପି ଯାଉଥିବା ବେଳେ ଏହି ଚାଞ୍ଚଲ୍ୟକର ଦୁର୍ନୀତିର ପର୍ଦ୍ଦାଫାସ ପାଇଁ ଆଉ କେତେ ବର୍ଷ ଲାଗିବ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।