ରାସ୍ତାକଡ଼ରେ ହତ୍ୟା ସନ୍ଦେହ, କାର୍‌ରେ ନେଇ ପୋଖରୀରେ ଫିଙ୍ଗାଯାଇଛି ମୃତଦେହ!

ମନୀଷ ଅନୁରାଗ ହତ୍ୟା ମାମଲା

ପଟିଆ, ବମିଖାଲ ପରେ ଯାଇଥିଲେ ପାତ୍ରପଡ଼ା
ସାଉଥ୍ ସିଟି ବାର୍‌ରେ ହୋଇଥିଲା ପାଟିତୁଣ୍ଡ

ଭୁବନେଶ୍ୱର : ୯ ତାରିଖ ବିଳମ୍ବିତ ରାତିରେ ଶ୍ବାସରୁଦ୍ଧ ହୋଇ ମନୀଷଙ୍କ ମୃତ୍ୟୁ ହୋଇଥିବା କଥା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ତେବେ ମନୀଷଙ୍କ କେଉଁଠି ହେଲା ଏବଂ କିପରି ହେଲା ତାହା ଜାଣିବା ଲାଗି ତଦନ୍ତକାରୀ ପୁଲିସ ପ୍ରମାଣ ଯୋଗାଡ଼ କରିବାରେ ଲାଗିପଡ଼ିଛି। ବର୍ତ୍ତମାନ ସୁଦ୍ଧା ପୁଲିସକୁ ଯେତିକି ତଥ୍ୟ ଓ ପ୍ରମାଣ ମିଳିଛି; ସେଥିରୁ ମନୀଷଙ୍କୁ ରାସ୍ତାକଡ଼ରେ ହତ୍ୟା କରାଯିବା ପରେ କାର୍‌ରେ ନେଇ ପୋଖରୀ‌ରେ ମୃତଦେହକୁ ଫିଙ୍ଗି ଦିଆ ଯାଇଥିବା ସନ୍ଦେହ କରାଯାଉଛି।

ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ମନୀଷଙ୍କର ଆସନ୍ତା ମାସରେ ବିବାହ ଥିବାରୁ ତାଙ୍କର ଭୁବନେଶ୍ବର ସାଙ୍ଗ ଅମ୍ରିତ ପ୍ରୀତମ ବିଶ୍ବାଳ ଏବଂ କନ୍ଧମାଳର ତିନି ସାଙ୍ଗ ହିମାଂଶୁ ବେହେରା, ମୃତ୍ୟୁଞ୍ଜୟ ମିଶ୍ର ଓରଫ୍ ମୁନା, ଦୀନେଶ କୁମାର ମହାପାତ୍ର ୯ ତାରିଖରେ ବ୍ୟାଚଲର୍‌ ପାର୍ଟି କରିବାକୁ ସ୍ଥିର କରିଥିଲେ। ଅମ୍ରିତ ଓ ଅନ୍ୟ ତିନି ସାଙ୍ଗ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଇନଫୋସିଟି ରାସ୍ତାରେ ମନୀଷ ଏକ ରେସ୍ତୋରାଁରେ ବସିଥିବା ବେଳେ ତାଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ମନୀଷଙ୍କୁ କାର୍‌ରେ ବସାଇ ସେମାନେ ପ୍ରଥମେ ପଟିଆ ଅଞ୍ଚଳରେ ଥିବା ଏକ ବାର୍‌କୁ ଯାଇଥିଲେ। ଏପରିକି ଟ୍ରାଫିକ ଯାଞ୍ଚ ବେଳେ ଅମ୍ରିତଙ୍କ ମାରୁତି ସିଆଜ୍ କାର(ଓଡି୦୨-ଏକ୍ସ-୯୬୯୬) ଧରା ପଡ଼ିଥିଲା। ଚାଳକ ଓ ଆଗରେ ବସିଥିବା ବ୍ୟକ୍ତି ସିଟ୍ ବେଲ୍ଟ ବାନ୍ଧି ନ ଥିବାରୁ ୧ ହଜାର ଟଙ୍କାର ଚାଲାଣ କଟା ଯାଇଥିଲା। ତେବେ ସେଠାରୁ ସେମାନେ ବମିଖାଲ ପର୍ଯ୍ୟନ୍ତ ଆସି ସେଠାରେ ଥିବା ଏକ ବାର୍‌କୁ ଯାଇ ମଦ୍ୟପାନ କରିଥିଲେ। ଏହାପରେ ମଧ୍ୟରାତିରେ ସେମାନେ ପାତ୍ରପଡ଼ାର ସାଉଥ୍ ସିଟି ବାର୍ ଆଣ୍ଡ ରେସ୍ତୁରାଁରେ ପହଞ୍ଚିଥିଲେ। କନ୍ଧମାଳର ଜଣେ ଯୁବକ ଗାଡ଼ିରେ ବସି ରହିଥିବା ବେଳେ ଅନ୍ୟମାନେ ବାର୍‌ ଭିତରକୁ ଯାଇ ରାତି ତମାମ୍ ଖାଇପିଇ ମଉଜ କରିଥିଲେ। ତେବେ ଅମ୍ରିତ ବିଲ୍‌ ପେମେଣ୍ଟ କରିବେ ବୋଲି କଥାବାର୍ତ୍ତା ହୋଇଥିଲେ ମଧ୍ୟ ସେ ନ ଦେବାରୁ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବାଧ୍ୟ ହୋଇ ମନୀଷ ଘରକୁ ଫୋନ୍ କରିଥିଲେ ଏବଂ ତାଙ୍କୁ କିଛି ଲୋକ ଅପହରଣ କରି ମାରଧର କରୁଥିବା କହି ଟଙ୍କା ପଠାଇବାକୁ କହିଥିଲେ। ଘରଲୋକେ ଫୋନ୍ ପେ’ ଯୋଗେ ଦୁଇଟି ପର୍ଯ୍ୟାୟରେ ତାଙ୍କୁ ପ୍ରାୟ ୮ ହଜାର ଟଙ୍କା ଦେବା ପରେ ସେ ବାର୍‌ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ।

ଏହାପରେ ମନୀଷ ସାଙ୍ଗମାନଙ୍କ ଉପରେ ରାଗି ବାର୍‌ରୁ ବାହାରି ଚାଲିଚାଲି ରାସ୍ତା ପାଖକୁ ଆସିବା ସହ ଜଣେ ବାଇକ୍‌ ଚାଳକଙ୍କୁ ଲିଫ୍ଟ ମାଗିଥିଲେ। ବାଇକ୍‌ ଚାଳକ ଜଣକ ମଧ୍ୟ ତାଙ୍କୁ ଲିଫ୍ଟ ଦେଇଥିଲେ। କିନ୍ତୁ କିଛି ବାଟ ଯିବା ପରେ ଅମ୍ରିତ ଓ ଅନ୍ୟମାନେ ମନୀଷଙ୍କୁ ଫୋନ୍ କରି ବୁଝାସୁଝା କରିବା ସହ ପୁଣି ଥରେ ଡକାଇଥିଲେ। ମନୀଷ ସେମାନଙ୍କୁ ବିଶ୍ବାସ କରି ଜାତୀୟ ରାଜପଥ କଡ଼ରେ ଥିବା ଏକ ମଲ୍ ନିକଟକୁ ଆସିଥିଲେ। ମାତ୍ର ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଅମ୍ରିତଙ୍କ ସହ ବାର୍‌ରେ ଘଟିଥିବା ଘଟଣାକୁ କେନ୍ଦ୍ରକରି ପୁଣିଥରେ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏହି ଗଣ୍ଡଗୋଳ ସମୟର ଦୃଶ୍ୟକୁ ଲିଫ୍ଟ ଦେଇଥିବା ବାଇକ୍‌ ଚାଳକ ଦେଖିଥିଲେ। ତେବେ ପ୍ରବଳ ପାଟିତୁଣ୍ଡ, ହାତାହାତି ହେବା ଦେଖି ସେ ସେଠାରୁ ପଳାଇଥିଲେ। ଏଣୁ ଏହି ସ୍ଥାନରେ ହିଁ ମନୀଷଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଏହା ପରେ ମୃତଦେହକୁ କାର ଯୋଗେ ପୋଖରୀ ପାଖକୁ ନିଆଯାଇ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରି ପୁଲିସ ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ବାଇକ୍ ଚାଳକଙ୍କୁ ପୁଲିସ ଚିହ୍ନଟ କରି ତାଙ୍କୁ ପଚରାଉଚରା ମଧ୍ୟ କରିଛି। ତେବେ ଏ ନେଇ କନ୍ଧମାଳରୁ ଅଣା ଯାଇଥିବା ତିନି ଯୁବକଙ୍କୁ ପୁଲିସ ଜେରା କରୁଥିବା‌ ବେଳେ ସେମାନେ ହିଁ ଗୁମର ଖୋଲିବେ ବୋଲି ତଦନ୍ତକାରୀ ଟିମ୍ ଆଶା ରଖିଛି। ମନୀଷଙ୍କୁ କେଉଁ କାରଣରୁ ହତ୍ୟା କରାଯାଇଛି ଓ ଏହା ପଛର ଉଦ୍ଦେଶ୍ୟ କଣ ରହିଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର