ମନୀଷ ମୃତ୍ୟୁ ରହସ୍ୟରୁ ପରଦା ହଟିଲା: ଅମ୍ରିତ ଓ ୨ସାଙ୍ଗ ହିଁ ମାରିଥିଲେ

ପ୍ରମାଣ ନଷ୍ଟ ପାଇଁ ପୋଖରୀରେ ଶବ ଫୋପାଡ଼ିଥିଲେ

ବାର୍‌ରେ ବିଲ୍ ଦେବାକୁ ନେଇ ହୋଇଥିଲା ବଚସା
ତିନି ଅଭିଯୁକ୍ତ ଜେଲ୍ ଗଲେ, ରିମାଣ୍ଡରେ ଆଣିବ ପୁଲିସ
ଚୂଡ଼ାନ୍ତ ଶବ ବ୍ୟବଚ୍ଛେଦ ରି‌ପୋର୍ଟକୁ ଅପେକ୍ଷା

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟକୁ ଉନ୍ମୋଚନ କରିଛି କମିସନରେଟ୍ ପୁଲିସ। ନୂଆପଲ୍ଲୀର ଅମ୍ରିତ ପ୍ରୀତମ ବିଶ୍ବାଳ ଏବଂ ତାଙ୍କର ଦୁଇ ସାଙ୍ଗ କନ୍ଧମାଳ ଅଁଳପଡ଼ାର ଦିନେଶ କୁମାର ମହାପାତ୍ର(୩୧) ଓରଫ୍ ଲିଟୁ ଓ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର(୩୮) ଓରଫ୍ ମୁନ୍ନାଙ୍କ ଆକ୍ରମଣରେ ମନୀଷଙ୍କ ମୃତ୍ୟୁ ହୋଇଛି। ଆଉ ମୃତ୍ୟୁ ପ‌ରେ ପ୍ରମାଣ ନଷ୍ଟ ପାଇଁ ତିନିଜଣ ମିଶି ମନୀଷଙ୍କ ଶବକୁ ପୋଖରୀରେ ଫିଙ୍ଗି ଦେଇଥିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀ ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ। ଇନ୍‌ଫୋସିଟି ଥାନା ପୁଲିସ ଏହି ତିନି ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଏହାଛଡ଼ା ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଫେରାର୍ ପାଇଁ ବ୍ୟବହୃତ କାର୍‌(ଓଡି ୦୨ଏକ୍ସ ୯୬୯୬), ୪ଟି ମୋବାଇଲ୍ ଫୋନ୍ ଏବଂ ପୋଖରୀରେ ମନୀଷଙ୍କ ମୃତଦେହ ଫୋପାଡ଼ିବା ବେଳେ ଓଦା ହୋଇଥିବା ପ୍ୟାଣ୍ଟ ସାର୍ଟକୁ ପୁଲିସ ଜବତ କରିଛି। ମନୀଷଙ୍କୁ ହତ୍ୟା କରିଥିବାରୁ ସେମାନଙ୍କ ବିରୋଧରେ ଦଫା ୩୦୨, ଟଙ୍କା ପାଇଁ ଅପହରଣ କରିଥିବାରୁ ଦଫା ୩୬୪ଏ, ପ୍ରମାଣ ନଷ୍ଟ କରିବା ପାଇଁ ଦଫା ୨୦୧/୩୪ରେ ମାମଲା ରୁଜୁ କରାଯାଇଛି। ତେବେ ଅଧିକ ତଥ୍ୟ ଓ ପ୍ରମାଣ ପାଇଁ ପୁଲିସ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ବୋଲି ପ୍ରକାଶ କରିଛି।

ମନୀଷଙ୍କୁ ହତ୍ୟାର କାରଣ ଦର୍ଶାଇବାକୁ ଯାଇ ଡିସିପି ଶ୍ରୀ ଦାଶ କହିଛନ୍ତି ଯେ ୯ ତାରିଖ ବିଳମ୍ବିତ ରାତିରେ ମନୀଷଙ୍କର ବନ୍ଧୁ ଅମ୍ରିତ ଓ ତାଙ୍କର ୨ ସାଙ୍ଗ ଦିନେଶ ଓ ମୃତ୍ୟୁଞ୍ଜୟଙ୍କ ସହ ପାତ୍ରପଡ଼ାସ୍ଥିତ ହୋଟେଲ୍ ସାଉଥସିଟି ବାର୍‌କୁ ଯାଇ ଖିଆପିଆ କରିଥିଲେ। ତେବେ ସେଠାରେ ବିଲ୍ ପେମେଣ୍ଟକୁ ନେଇ ଏମାନଙ୍କ ସହ ମନୀଷଙ୍କ ବଚସା ହୋଇଥିଲା। ମନୀଷ ହୋଟେଲରୁ ସେଠାରୁ ଚାଲି ଆସିବା ପରେ ହୋଟେଲ୍ ବାହାରେ ୩ଜଣ ମିଳିତ ଭାବେ ମନୀଷଙ୍କୁ ଆକ୍ରମଣ କରିବା ସହିତ ଠେଲାପେଲା କରିଥିଲେ। ପ୍ରାୟ ୨ଶହ ୩ଶହ ମିଟର ଦୌଡ଼ାଦୌଡ଼ି ଏବଂ ଆକ୍ରମଣ ଭିତରେ ମନୀଷଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମନୀଷଙ୍କ ମୃତଦେହ ଲୁଚାଇବା ପାଇଁ ୩ ଅଭିଯୁକ୍ତ ନମ୍ରକାନି ପୋଖରୀରେ ଫୋପାଡ଼ି ଦେଇଥିଲେ। ଏହାପରେ ଓଦା ଜୁଡ଼ୁବୁଡ଼ୁ ଅବସ୍ଥାରେ ୩ ଅଭିଯୁକ୍ତ ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଜାତୀୟ ରାଜପଥକୁ ରାସ୍ତା ପଚାରିଥିଲେ। ଏହି ପ୍ରତ୍ୟକ୍ଷଦର୍ଶୀଙ୍କୁ ସାକ୍ଷୀ ଭାବେ କୋର୍ଟରେ ଉପସ୍ଥିତ କରାଯିବ। ଅପରପକ୍ଷରେ ଏ ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦର ଚୂଡ଼ାନ୍ତ ରିପୋର୍ଟ ସମେତ ଡାୟଟମ୍, ଭିସେରା ଟେଷ୍ଟ ରିପୋର୍ଟ ପୁଲିସର ହସ୍ତଗତ ହୋଇନଥିବାରୁ ମୃତ୍ୟୁର ପ୍ରକୃତ ସମୟ ଓ କାରଣ ସଂପର୍କରେ ଡିସିପି କୌଣସି ଠୋସ୍ ଉତ୍ତର ଦେଇ ନଥିଲେ।

ସେହି କାଳରାତିରେ କ’ଣ ଘଟିଥିଲା?
୯ ତାରିଖ ଅପରାହ୍‌ଣ ୪ଟା ବେଳେ ମନୀଷ ଅନ୍ୟ ଦିନ ଭଳି ପଟିଆରେ ଥିବା ତାଙ୍କ ସାଙ୍ଗ ତାପସର ଗୁଆଭା ସପ୍‌କୁ ଯାଇଥିଲେ। ସେଠାରେ ବସିଥିବା ବେଳେ ପୁରୁଣା ବନ୍ଧୁ ଅମ୍ରିତ ପ୍ରୀତମ ବିଶ୍ବାଳ ତାଙ୍କୁ ଫୋନ୍ କରି କେଉଁଠି ଅଛ ବୋଲି ପଚାରିଥିଲେ। ମନୀଷଙ୍କ ବାହାଘରକୁ ଆଉ ଅଳ୍ପ ଦିନ ବାକିଥିବାରୁ ତାଙ୍କୁ ବ୍ୟାଚେଲର୍ ପାର୍ଟି ଦେବାକୁ କହିଥିଲେ। ମନୀଷ ପାର୍ଟି ଦେବାକୁ ରାଜି ହେବାରୁ ଅମ୍ରିତ ତାଙ୍କ ସିଆଜ୍ କାର୍‌ରେ ତାଙ୍କର ଦୁଇ ବନ୍ଧୁ ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ନେଇ ଅପରାହ୍‌ଣ ପ୍ରାୟ ସାଢ଼େ ୫ଟାରେ ଗୁଆଭା ସପ୍‌ରେ ପହଞ୍ଚିଥିଲେ। ଏହା ପରେ କାର୍‌ରେ ସମସ୍ତେ ଲକ୍ଷ୍ମୀସାଗରସ୍ଥିତ ଏକ ହୋଟେଲକୁ ଯାଇଥିଲେ। ସେଠାରେ କିଛି ସମୟ ରହିବା ପରେ ପାତ୍ରପଡ଼ାସ୍ଥିତ ହୋଟେଲ୍ ସାଉଥ୍‌ସିଟିକୁ ଆସିଥିଲେ। ଚାରି ଜଣ ମିଶି ଦୀର୍ଘ ସମୟ ଧରି ସେଠାରେ ଖିଆପିଆ ଓ ମଉଜମସ୍ତି କରିବା ପରେ ରାତି ପ୍ରାୟ ୨ଟା ୩୦ ବେଳକୁ ହୋଟେଲ୍ କର୍ତ୍ତୃପକ୍ଷ ଖାଦ୍ୟପେୟ ବାବଦକୁ ବିଲ୍ ମାଗିଥିଲେ। ବିଲ୍‌ର ପରିମାଣ ଦେଖି ମନୀଷ ବିରକ୍ତ ହୋଇଥିଲେ ଏବଂ ଏତେ ଟଙ୍କା ସେ ଦେଇ ପାରିବେନି ବୋଲି କହିଥିଲେ। କିନ୍ତୁ ଯେହେତୁ ମନୀଷ ବ୍ୟାଚେଲର ପାର୍ଟି ଦେଉଥିଲେ, ସେଥିପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ମନୀଷଙ୍କୁ ଦେବାକୁ ପଡ଼ିବ ବୋଲି ଅମ୍ରିତ ଓ ତାଙ୍କର ୨ସାଙ୍ଗ କହିଥିଲେ। ଏଥିରେ ମନୀଷ ରାଜି ନ ହେବାରୁ ସେମାନଙ୍କର ମଧ୍ୟରେ ବଚସା ହୋଇଥିଲା। ଏହା ପରେ ମନୀଷ ବାଧ୍ୟ ହୋଇ ଘରକୁ ଫୋନ୍ କରି ତାଙ୍କୁ କେତେଜଣ ଅପହରଣ କରି ନେଇଛନ୍ତି କହି ଟଙ୍କା ମାଗିଥିଲେ। ଏହା ଶୁଣିବା ପରେ ମନୀଷଙ୍କ ମା’ ୨ଟି ପର୍ଯ୍ୟାୟରେ ୮ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇଥିଲେ। ମନୀଷ ଏହି ଟଙ୍କା ହୋଟେଲ ବିଲ୍ ବାବଦକୁ ପୈଠ କରିଥିଲେ ମଧ୍ୟ ପୂରା ଟଙ୍କା ଦେବାକୁ ନେଇ ସେମାନଙ୍କ ଭିତରେ ହୋ‌ଟେଲ ବାହାରେ ମଧ୍ୟ ଝଗଡ଼ା ହୋଇଥିଲା। ରାତି ପ୍ରାୟ ୩ଟା ୨୯ରେ ମନୀଷ ହୋଟେଲ୍‌ରୁ ବାହାରି ଘରକୁ ଯାଉଥିବା ବେଳେ ଅମ୍ରିତ, ଲିଟୁ ଓ ମୁନ୍ନା ମିଳିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ଦୌଡ଼ାଦୌଡ଼ି, ଧସ୍ତାଧସ୍ତି ଭିତରେ ମନୀଷଙ୍କ ମୃତ୍ୟୁ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର