ଭୁବନେଶ୍ୱର/ଫୁଲବାଣୀ : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଓରଫ୍ ଗୁଡୁ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ଘଟଣା ଦିନ ରାତିରେ ମନୀଷଙ୍କ ସହିତ ଏକାଠି ହୋଟେଲରେ ଖିଆପିଆ କରିଥିବା ୪ ଜଣ ଯୁବକ ଏବେ କମିସନରେଟ୍ ପୁଲିସ କବ୍ଜାରେ ରହିଥିବା ବେଳେ ମନୀଷଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଘନୀଭୂତ ହୋଇଛି। ଏ ନେଇ କିଛି ପ୍ରମାଣ ମଧ୍ୟ ପୁଲିସ ହାତରେ ଲାଗିଛି। ତେବେ ହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ମନୀଷ ପରିଚାଳନା କରୁଥିବା ଠିକାଦାର ସଂସ୍ଥାର ଟଙ୍କା ଦେଣନେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ କନ୍ଧମାଳରୁ ତିନି ଜଣଙ୍କୁ ଧରି ତଦନ୍ତକାରୀ ଟିମ୍ ଆଜି ଭୁବନେଶ୍ବର ଫେରିଛି। ଏମାନଙ୍କୁ ମିଶାଇ ପୁଲିସ କବ୍ଜାରେ ଥିବା ମୋଟ ୪ ଜଣ ଯୁବକଙ୍କ ସହ ଅନ୍ୟ ଜଣେ ଯୁବତୀଙ୍କ ସଂପୃକ୍ତି ନେଇ ମଧ୍ୟ ପ୍ରମାଣ ମିଳିଛି। ତେଣୁ ଏହି ରହସ୍ୟମୟୀ ଯୁବତୀଙ୍କ ଭୂମିକା କ’ଣ ଥିଲା ତାହା ଜାଣିବା ଲାଗି ପୁଲିସ ତନାଘନା ଚଳାଇଛି।
ଯୁବତୀ ଜଣକ କିଏ?
ଇତିମଧ୍ୟରେ ଏହି ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ୯ ତାରିଖ ରାତି ୩ଟା ୨୯ରେ ମନୀଷ ପାତ୍ରପଡ଼ାର ସାଉଥ୍ ସିଟି ବାର୍ ଓ ରେସ୍ତୋରାଁରୁ ବାହାରୁଥିବା ବେଳେ ତାଙ୍କ ଆଗରେ ଜଣେ ଯୁବତୀ କାର୍ ନିକଟକୁ ଚାଲି ଚାଲି ଯାଉଥିବା ସିସିଟିଭି ଫୁଟେଜ୍ରୁ ଦେଖିବାକୁ ମିଳିଛି। ତେବେ ଏହି ଯୁବତୀ ଜଣକ କିଏ, ସେ କାହିଁକି ଏମାନଙ୍କ ସହ ବାର୍କୁ ଆସିଥିଲେ ଏବଂ ପୂରା ଘଟଣାରେ ତାଙ୍କ ଭୂମିକା କ’ଣ ଥିଲା ଜାଣିବା ଲାଗି ପୁଲିସ ତାଙ୍କୁ ମଧ୍ୟ ଜେରା କରୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
ମନୀଷଙ୍କ ସାଙ୍ଗରେ ଥିବା ୫ ଜଣଙ୍କ ମଧ୍ୟରୁ ଫୁଲବାଣୀ ଟାଉନ୍ଥାନା ଅଧୀନ କେନ୍ଦୁପଦର ଅଞ୍ଚଳର ଏକ ଓ୍ୱେବ୍ ଚ୍ୟାନେଲ ସାମ୍ବାଦିକ ହିମାଂଶୁ ଶେଖର ବେହେରାକୁ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ଇନ୍ଫୋସିଟି ଥାନାର ଏକ ତଦନ୍ତକାରୀ ଦଳ ଘରେ ଶୋଇଥିବା ବେଳେ ଉଠାଇ ଆଣିଥିଲା। ଏହାପରେ ବୁଧବାର ନାଟକୀୟ ଢଙ୍ଗରେ ଆଉ ଦୁଇ ଜଣ ଯୁବକ ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କରିଥିଲେ। ସେମାନେ ହେଲେ ଫୁଲବାଣୀ ସହରର ଆଉ ଜଣେ ୱେବ୍ପୋର୍ଟାଲ୍ ସାମ୍ବାଦିକ ତଥା ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର କ୍ୟାମେରାମ୍ୟାନ୍ ଦୀନେଶ କୁମାର ମହାପାତ୍ର ଓରଫ ଲିଟୁ ଏବଂ ଠିକାଦାର ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନା। ଦୀନେଶଙ୍କ ଘର ଫୁଲବାଣୀ ଟାଉନ୍ଥାନା ଅନ୍ତର୍ଗତ ଅମଲାପଡ଼ାରେ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ତଥା ଠିକାଦାର ମୃତ୍ୟୁଞ୍ଜୟଙ୍କ ଘର ଫୁଲବାଣୀର ପିଅନପଡ଼ାରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଘଟଣା ଦିନ ମନୀଷଙ୍କୁ ପଟିଆରୁ କାର୍ରେ ହୋଟେଲ ସାଉଥ୍ ସିଟିକୁ ନେଇ ଯାଇଥିବା ନୂଆପଲ୍ଲୀ ଅଞ୍ଚଳର ଅମ୍ରିତ ପ୍ରୀତମ ବିଶ୍ବାଳକୁ ପୁଲିସ ମାରାଥନ୍ ଜେରା କରୁଛି।
ବୁଧବାର ଦିନ ତିନି ଜଣ ଧରାହେବା ପରେ ଏହି ମାମଲାର ବେଶ୍ କିଛି ନୂଆ ଦିଗ ସାମ୍ନାକୁ ଆସିଛି। ୩ ଜଣ ଯାକ ମୃତ ମନୀଷଙ୍କ ବନ୍ଧୁ ପ୍ରୀତମଙ୍କର ବନ୍ଧୁ ଭାବେ ନିୟମିତ ଭୁବନେଶ୍ବର ଯାଉଥିଲେ ଏବଂ ମନୀଷଙ୍କ ସହ ମିଳାମିଶା କରୁଥିଲେ। ସେମାନେ ବିଭିନ୍ନ ସମୟରେ ହୋଟେଲକୁ ଯାଇ ଖିଆପିଆ କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ତେଣୁ ଠିକା ସଂସ୍ଥାର ଟଙ୍କା କାରବାର ଏବଂ ଅନ୍ୟ ଏକ ଦିଗକୁ ନେଇ ଖୋଳତାଡ଼ ଚଳାଇଛି ପୁଲିସ। ତେବେ ନିର୍ଦ୍ଦିଷ୍ଟ କେଉଁ କାରଣ ଯୋଗୁଁ ମନୀଷଙ୍କୁ ହତ୍ୟା କରାଗଲା ତାହା ଜାଣିବା ଲାଗି ସମସ୍ତଙ୍କୁ ଅଲଗା ଅଲଗା ଜେରା କରୁଛି ପୁଲିସ। ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।