ହୋଟେଲରୁ ଯାଇ ପୋଖରୀ ପାଖରେ କିଭଳି ପହଞ୍ଚିଲେ ମନୀଷ, ଭିଡିଓ ଜାରି କରି ଏଭଳି କହିଲେ ବାପା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ମାମଲାକୁ ୨୪ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଏହା ପଛର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ମୃତ୍ୟୁ ପୂର୍ବରୁ ଅର୍ଥାତ ଶନିବାର ରାତିରେ ଯେଉଁ ହୋଟେଲରେ ମନୀଷଙ୍କୁ ଦେଖିବାକୁ ମିଳିଥିଲା ତାକୁ ସିଲ୍ କରିଦିଆଯାଇଛି । ଏହାର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି କମିଶନରେଟ ପୋଲିସ । ସେପଟେ ହୋଟେଲରୁ ବାହାରି କିଭଳି ପୋଖରୀ ନିକଟକୁ ଆସିଲେ ଓ ପୋଖରୀରେ ଖସିପଡିଲେ ତାର ଉତ୍ତର ଖୋଜା ଚାଲିଛି । ରାଜଧାନୀର ପାତ୍ରପଡାରେ ଥିବା ହୋଟେଲରେ କିଛି ଗୋଟିଏ ରହସ୍ୟ ଲୁଚି ରହିଛି । କାରଣ ଏହି ହୋଟେଲରେ, ମନୀଷଙ୍କର, ମୃତ୍ୟୁ ପୂର୍ବର ରାତି ବିତିଛି । ଆଉ ଏହାକୁ ବିଭିନ୍ନ ଦିଗକୁ ଦେଖୁଥିବା ସିସିଟିଭି କ୍ୟାମେରା ବି ଅନେକ କିଛି ରେକର୍ଡ କରିଥିବ ବୋଲି ଆଶା କରାଯାଉଛି ।

ହୋଟେଲରେ ଶନିବାର ରାତି ପ୍ରାୟ ୪ଟାରେ ଶେଷ ଥର ପାଇଁ ମନୀଷଙ୍କୁ ଦେଖିବାକୁ ମିଳିଥିଲା । ଆଉ ମନୀଷଙ୍କ ଫୋନରୁ ସେହି ଭୋର ୪ଟା ୧୧ରେ ଶେଷ କଲ ଯାଇଥିଲା । ଆଉ ମନୀଷ କହୁଥିଲେ, ତାଙ୍କୁ କିଛି ଟଙ୍କା ଦରକାର, ଆଉ ସାଙ୍ଗ ମାନେ ତାଙ୍କୁ ଧୋକା ଦେଇ ଦେଇଛନ୍ତି ଏବଂ ଅପହରଣ ହୋଇଯାଇଛନ୍ତି । କିନ୍ତୁ ଏସବୁ କଥାର ରହସ୍ୟ ଏବେ ବି ରହସ୍ୟ ହୋଇ ରହିଛି । ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ହଟାଇବା ପାଇଁ ପୁଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଥିବାବେଳେ, ମୃତଦେହର ଡାଏଟମ୍ ଟେଷ୍ଟ ଓ ଭିସେରା ପାଇଁ ପରୀକ୍ଷାଗାରକୁ ପଠାଯାଇଛି । ଅନ୍ୟପଟେ ମନୀଷଙ୍କ ବାପା ନବୀନ ଦାସ ଏକ ଭିଡିଓ ଜାରି କରି କହିଛନ୍ତି, ତାଙ୍କ ପୁଅକୁ ସାଙ୍ଗମାନେ ହିଁ ହତ୍ୟା କରିଛନ୍ତି । ମନୀଷ ମୃତ୍ୟୁ ମାମଲାରେ ୫ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବାବେଳେ, ପୁଲିସ ସ୍କାନରରେ ରହିଛି ଧଳା ରଙ୍ଗର ବାଲେନୋ ଗାଡି । ସେହି ଗାଡିରେ ଶେଷ ଥର ପାଇଁ ମନୀଷଙ୍କୁ ଅଣାଯାଇଥିଲା । ରହସ୍ୟର ଏହି କାହାଣୀ ଭିତରେ ଅନେକ ପ୍ରଶ୍ନ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।

– ମନୀଷଙ୍କୁ ହତ୍ୟା କରାଯାଇଛି ନା ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଛି ?
– ଯଦି ପୋଖରୀରେ ବୁଡି ମୃତ୍ୟୁ ହୋଇଥାନ୍ତା, ତେବେ ସାଙ୍ଗମାନେ କାହିଁକି ଫେରାର ହୋଇଯାଇଥାନ୍ତେ ?
– ପାତ୍ରପଡାର ସେହି ହୋଟେଲରୁ ପୋଖରୀ ନିକଟକୁ କେମିତି ଆସିଲେ ମନୀଷ ?
– ଯଦି ହତ୍ୟା କରାଯାଇଛି ତେବେ ଶରୀରରେ କୌଣସି କ୍ଷତ ଚିହ୍ନ କେମିତି ନାହିଁ ?
– ନା ପୋଖରୀକୁ ଠେଲି ହତ୍ୟା କରାଯାଇଛି ?

ସମ୍ବନ୍ଧିତ ଖବର