ଭୁବନେଶ୍ବର : ରାଜ୍ୟବାସୀଙ୍କୁ ସର୍ବଦା କିଛି ନୂଆ ଓ ନିଆରା ଭେଟିଦେବାରେ ପ୍ରତିବଦ୍ଧ ‘ସମ୍ବାଦ ଗ୍ରୁପ୍’ ଏଥର ନୂଆବର୍ଷ ଆରମ୍ଭରେ ଭେଟି ଦେଇଛି ‘ମଞ୍ଜରୀ ଟିଭି’। ତେବେ ଚ୍ୟାନେଲ୍ ରୂପରେ ଆସିବା ପୂର୍ବରୁ ଆଜି ‘ମଞ୍ଜରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ଲୋକାର୍ପଣ କରାଯାଇଛି। ‘ପ୍ରଥମ ଫ୍ରି ଟୁ ଏୟାର ଓଡ଼ିଆ ମନୋରଂଜନ ଚ୍ୟାନେଲ୍’ ମଞ୍ଜରୀର ଟ୍ୟାଗ୍ ଲାଇନ୍ ରହିଛି ‘ଉତ୍ସବ ଆମ ସମ୍ପର୍କର’। ଆଜି ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜତ ଏକ ସ୍ବତନ୍ତ୍ର ଉତ୍ସବରେ ଓଲିଉଡ୍ର ବହୁ ଲୋକପ୍ରିୟ ସିନେ ତାରକାଙ୍କ ଗହଣରେ ‘ମଞ୍ଜରୀ’ର ଆଧିକାରୀକ ଫେସବୁକ୍ , ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍ ଓ ଟୁଇଟର୍ ହାଣ୍ଡେଲର ଉନ୍ମୋଚନ କରାଯାଇଛି।
‘ସମ୍ବାଦ ଗ୍ରୁପ୍’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମଞ୍ଜରୀର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଲୋକାର୍ପଣ କରି କହିଛନ୍ତି, ସମ୍ବାଦ ସବୁବେଳେ କିଛି ନୂଆ କରିଆସିଛି। ଏହି ଧାରାରେ ‘ମଂଜରୀ’ ଯୋଡ଼ି ହୋଇଛି। ଆମେ ସବୁବେଳେ ବିଜ୍ଞାନ ଓ କାରିଗରୀ ଦୃଷ୍ଟିରୁ ଆଗୁଆ ରହିଥିବାରୁ ସଫଳତା ମିଳିଚାଲିଛି। ଦୁନିଆ ବଦଳିଛି। ତେଣୁ ଦୁନିଆ ସହ ତାଳ ଦେଇ ସୋସିଆଲ୍ ମିଡିଆ ଯୁଗ ସହ ‘ମଞ୍ଜରୀ’ ଯୋଡ଼ି ହୋଇଛି। ଖବରକାଗଜ, ରେଡ଼ିଓ, ମନୋରଂଜନ ଦୁନିଆରେ ଅନେକ ପରିବର୍ତନ ହେବାରେ ଲାଗିଛି। ନୂଆପିଢ଼ି ସୋସିଆଲ୍ ମିଡିଆରେ ଖବର ଓ ମନୋରଂଜନର ଭୋକ ମେଣ୍ଟାଉଛନ୍ତି। ଏଭଳି ଘଡ଼ିସନ୍ଧି ସମୟରେ ସମସ୍ତଙ୍କ ସଦିଚ୍ଛା ଓ ସହଯୋଗ ରହିଲେ ଆମେ ଆଗେଇବା ଏବଂ ଏ ସମ୍ପର୍କର ଉତ୍ସବ ସବୁବେଳେ ଉତ୍ସବମୁଖର ହେଉଥିବ ବୋଲି ସେ କହିଥିଲେ।
‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଲେ, ଆମେ ସବୁବେଳେ କିଛି ନୂଆ ଓ ସ୍ବତନ୍ତ୍ର କରିବାକୁ ଚେଷ୍ଟା କରିଥାଉ। ସୋସିଆଲ୍ ମିଡିଆରେ ସମ୍ବାଦ ଗ୍ରୁପ୍ର ସମସ୍ତ ବିଭାଗ କନକ ନ୍ୟୁଜ୍, ସମ୍ବାଦର ୱେବ ପୋର୍ଟାଲ୍ ଓ ରେଡିଓ ଚକ୍ଲେଟ ସର୍ବାଗ୍ରେ ରହିଛି। ଏଥିସହ ମଞ୍ଜରୀ ଟିଭି ନୂଆ ଚିନ୍ତା, ନୂଆ କାହାଣୀ, ମୌଳିକ କଥାବସ୍ତୁକୁ ସର୍ବଦା ଗୁରୁତ୍ବ ଦେଇ ଦର୍ଶକଙ୍କୁ ନୂଆ ରୁଚିର ମନୋରଂଜନ ଭେଟିଦେବ ବୋଲି ସେ କହିବା ସହ ଏଥିପାଇଁ ପ୍ରଯୋଜକ, ଲେଖକ ଓ ନିର୍ଦେଶକଙ୍କୁ ଆହ୍ବାନ କରିଥିଲେ। ମଞ୍ଜରୀ ଟିଭିର ମୁଖ୍ୟ ରତିକାନ୍ତ ଶତପଥୀ ମଧ୍ୟ ଦର୍ଶକଙ୍କୁ ନୂଆ ବିଷୟବସ୍ତୁ ସହ ମନୋରଂଜନ ଭେଟି ଦିଆଯିବ ବୋଲି କହିଥିଲେ। ଏହି ଅବସରରେ ‘ସମ୍ବାଦ ଗ୍ରୁପ୍’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଓ ମନୋରଞ୍ଜନ ଜଗତ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ସହ ଚିତ୍ରତାରକା ଉପସ୍ଥିତ ଥିଲେ।
ଏହି ଅବସରରେ ମଞ୍ଜରୀର ଥିମ୍ ସଂଗୀତ ‘ଉତ୍ସବ ଆମ ସମ୍ପର୍କର’ ପ୍ରଦର୍ଶନ କରାଯାଇଥିଲା। ଏଇ ଭିଡିଓ ସଂଗୀତରେ ଅଭିନୟ କରିଥିବା ସମରେଶ ରାଉତରାୟ, ଏଲିନା, ଗୀତିକାର ମୋହିତ ଚକ୍ରବର୍ତୀ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତୀ, ନିର୍ଦେଶକ ରାଜେନ୍ଦ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ମଞ୍ଜରୀ ଟିଭି ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ଶ୍ରୀ ଶତପଥୀ ସୂଚନା ଦେଇଥିଲେ। ଲୋକପ୍ରିୟ ଅଭିନେତ୍ରୀ ଗାର୍ଗୀ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ଏହି ଅବସରରେ ସମରେଶ ରାଉତରାୟଙ୍କ ଚଳଚ୍ଚିତ୍ର ‘ଅଦୃଶ୍ୟମ’ର ସଂଗୀତ ସିଡି ଉନ୍ମୋଚିତ ହୋଇଥିବା ବେଳେ ଏସ୍୩ ବ୍ୟାନରରେ ପ୍ରସ୍ତୁତ ‘ଟିକେ ଲଭ୍ ଟିକେ ଟ୍ବିଷ୍ଟ’ର ସଂଗୀତ ସିଡି ମଧ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଉଭୟ ଚଳଚ୍ଚିତ୍ରର ସମସ୍ତ ଅଭିନେତା ଅଭିନେତ୍ରୀ ଓ ଫିଲ୍ମ ୟୁନିଟ୍ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/manjari-tv.jpg)