ମଞ୍ଜୁ ମୋଦିଙ୍କୁ ‘କେନ୍ଦ୍ର ସାହିତ୍ୟ ଅକା‌ଦେମି ଅନୁବାଦ ପୁରସ୍କାର’

ଓଡ଼ିଆ ସମତେ ୨୪ ଭାଷା ପାଇଁ ଘୋଷଣା ହେଲା ପୁରସ୍କାର

ଭୁବନେଶ୍ବର : ବିଶିଷ୍ଟ ଲେଖିକା ମଞ୍ଜୁ ମୋଦି ୨୦୨୦ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇବେ। ଓଡ଼ିଆରେ ଅନୁଦିତ ପୁସ୍ତକ ‘କଲ୍ୟାଣୀ’ ପାଇଁ ସେ ଏହି ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି। ବିଶିଷ୍ଟ ହିନ୍ଦୀ ଲେଖକ ଜୈନେନ୍ଦ୍ର କୁମାରଙ୍କ ଆତ୍ମଜୀବନୀ ‘କଲ୍ୟାଣୀ’ର ଏହା ଓଡ଼ିଆ ଅନୁବାଦ। ଶନିବାର ଦିନ ନୂଆଦିଲ୍ଲୀରେ ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକାରୀ କମିଟି ବୈଠକରେ ୨୦୨୦ ପାଇଁ ‘କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି। ଓଡ଼ିଆ ସମେତ ୨୪ଟି ଭାଷାର ଅନୁବାଦ ସାହିତ୍ୟ ପାଇଁ ପୁରସ୍କାର ଘୋଷଣା ହୋଇଛି। ଚଳିତ ବର୍ଷ ପୁରସ୍କାର ଚୟନ କମିଟିର ବିଚାରକ ଭା‌ବେ ଡ. ଶଙ୍କରଲାଲ୍‌ ପୁରୋହିତ, ଡ. ଭି.ଏସ୍‌ ଯୋଗ୍‌ଲେକର ଓ ଡ. ସୂର୍ଯ୍ୟମଣି ଖୁଣ୍ଟିଆ ଥିଲେ।

ଅକାଦେମି ପୁରସ୍କାର ନେଇ ଲେଖିକା ମଞ୍ଜୁ ମୋଦି ଖୁସିବ୍ୟକ୍ତ କରିବା ସହ କହିଛନ୍ତି ଯେ ଅନୁବାଦ ସାହିତ୍ୟ ହେଉଛି ଦୁଇଟି ଭାଷା ଭିତରେ ଏକ ସେତୁ ବା ବନ୍ଧନ। ଯିଏ ଦୁଇଟି ଭାଷାରେ ପାରଙ୍ଗମ, ସେ ହିଁ ଏହି ଅନୁବାଦ ପୁସ୍ତକ ରଚନା କରିପାରିବ। ଅନୁବାଦର ଏକ ଭିନ୍ନ ସ୍ବାଦ ଥାଏ। ଏହାଦ୍ବାରା ସାହିତ୍ୟ ପରିବ୍ୟାପ୍ତ ହୁଏ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର