ପ୍ଲାଷ୍ଟିକ ସର୍ଜରୀ ୱାର୍ଡକୁ ସ୍ଥାନାନ୍ତର ହେଲେ ମଞ୍ଜୁଳା: ୨ଟି ଆଙ୍ଗୁଠି ନଷ୍ଟ; ହାତ କଟାଯିବ କି ନାହିଁ ନିଷ୍ପତ୍ତି ଆଜି

କଟକ : ନାଗ ସାପ ଦଂଶନରେ ଶିକାର ହୋଇଥିବା ନାବାଳିକା ମଞ୍ଜୁଳା ଅନ୍ତି(୯ବର୍ଷ)ଙ୍କୁ ଗୁରୁବାର ପ୍ଲାଷ୍ଟିକ ସର୍ଜରୀ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ତାଙ୍କୁ ପ୍ରଥମେ ସର୍ଜରୀ ୱାର୍ଡରେ ରଖା ଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାକୁ ଗୁରୁତ୍ୱ ଦେଇ ପ୍ଳାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଛି।

ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତିଭୂଷଣ ନାୟକଙ୍କ ତତ୍ତ୍ୱାବଧାନରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଛି। ମଞ୍ଜୁଳାଙ୍କର ଡାହାଣ ହାତ ବହୁମାତ୍ରାରେ ପ୍ରଭାବିତ ହୋଇଛି। ଏପରିକି କିଛି ସ୍ନାୟୁ ନଷ୍ଟ ହେବା ସହିତ ହାତର ଦୁଇଟି ଆଙ୍ଗୁଠି ସମ୍ପୂର୍ଣ୍ଣ ପଚି ଯାଇଛି। ଆଜି ଡାକ୍ତରୀ ଟିମର ପରାମର୍ଶ ପରେ ପଚି ଯାଇଥିବା ହାତ କଟାଯିବ କି ନାହିଁ ତାହା ସ୍ଥିର କରାଯିବ ଓ ସବୁ ରିପୋର୍ଟ ଆସିବା ପରେ ଅସ୍ତ୍ରୋପଚାର କରାଯିବ। ତେବେ ହାତଟିକୁ କଟା ନଯିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଫେସର ଡାକ୍ତର ନାୟକ କହିଛନ୍ତି। ଅନ୍ୟପକ୍ଷରେ ଏସ୍‌ସିବି ମେଡ଼ିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ଯେ, ଡ୍ରେସିଂ କରାଯିବା ପରେ ହାତର ଅବସ୍ଥା ଅଧିକ ଗୁରୁତର ଥିବା ଜଣାପଡ଼ିଛି। ମାସାଧିକ ସମୟ ଚିକିତ୍ସାରେ ଅବହେଳା ଯୋଗୁଁ ଏଭଳି ସଙ୍ଗିନ ଅବସ୍ଥା ସୃଷ୍ଟି ହୋଇଛି। ତଥାପି ଡାକ୍ତରମାନେ ହାତକୁ ନକାଟିବା ପାଇଁ ସମସ୍ତ ପ୍ରଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

ପ୍ରକାଶଥାଉକି, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ହଳଦୀ ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗାଁର ୯ବର୍ଷର ବାଳିକା ମଞ୍ଜୁଳା ନାଗ ସାପ ଦଂଶନର ଶିକାର ହୋଇଥିଲେ। ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମାସେ ହେବ ଘରେ ରଖି ତୁଟୁକା ଚିକିତ୍ସା କରାଉଥିଲେ। ଚିକିତ୍ସା ଅଭାବରୁ ଡାହାଣ ହାତଟି ପଚି ନଷ୍ଟ ହୋଇ ଯାଇଥିଲା। ତାଙ୍କୁ ପ୍ରଥମେ ଉମରକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମେଡ଼ିକାଲକୁ ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ନିମନ୍ତେ ମଞ୍ଜୁଳାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର