ମଞ୍ଜୁଲତା କହଁର ବିଏମସି ଡେପୁଟି ମେୟର୍: ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ଭୁବନେଶ୍ବର: ୨୨ ନମ୍ବର ୱାର୍ଡର କର୍ପୋରେଟର ମଞ୍ଜୁଲତା କହଁର ହେଲେ ବିଏମସି ଡେପୁଟି ମେୟର୍। ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବିଏମସି ଡେପୁଟି ମେୟର୍ ପଦରେ କିଏ ବସିବ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ବିଜେଡି ଯେଉଁଭଳି ଚକମା ଦେଇଛି ତାହା ପୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୨ ନମ୍ବର ୱାର୍ଡର କର୍ପୋରେଟର ମଞ୍ଜୁଲତା କହଁରଙ୍କୁ ବିଜେଡି ବିଏମସି ଡେପୁଟି ମେୟର୍ ପ୍ରାର୍ଥୀ କରିଥିଲା। ଅପରପକ୍ଷରେ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇନଥିବା ହେତୁ ମଞ୍ଜୁଲତା କହଁର ନିର୍ବାଚିତ ହେବା ନିଶ୍ଚିତ ବୋଲି ଜଣାପଡ଼ିଥିଲା।
ବିଏମସି ଡେପୁଟି ମେୟର୍ ଭାବେ ନିର୍ବାଚିତ ହେବା ପରେ ମଞ୍ଜୁଲତା କହଁର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ସେ ଏଭଳି ଦାୟିତ୍ବ ପାଇଛନ୍ତି।
ଏଣେ ଶନିବାର ନବନିର୍ବାଚିତ ବିଏମସି ମେୟର ସୁଲୋଚନା ଦାସ ଶପଥ ଗ୍ରହଣ କରିଛନ୍ତି। ବିଏମସି କନ୍ଫରେନ୍ସ ହଲରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଏହାଛଡ଼ା ସମସ୍ତ ୬୭ ନିର୍ବାଚିତ କର୍ପୋରେଟରମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଆଜି ରାଜଧାନୀର ପ୍ରଥମ ମହିଳା ମେୟର୍ ଭାବେ ସୁଲୋଚନା ଦାସଙ୍କ ସହ ସମସ୍ତ କର୍ପୋରେଟର ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିବେ।

ଶପଥ ଗ୍ରହଣ କରିବା ପରେ ସୁଲୋଚନା ଦାସ କହିଛନ୍ତି, ଟିମୱାର୍କ ଜରିଆରେ ରାଜଧାନୀର ବିକାଶ କରାଯିବ। ସେ ରାଜଧାନୀବାସୀଙ୍କୁ ଧନ୍ୟବାଦ ଦେବା ସହ ଭୁବନେଶ୍ବରର ବିକାଶ ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରକୁ ବିଶ୍ବସ୍ତରୀୟ କରିବାକୁ ଯେଉଁ ସ୍ବପ୍ନ ଦେଖିଛନ୍ତି, ସେଭଳି ଭୁବନେଶ୍ବରଟିଏ ତିଆରି ହେଲେ ହିଁ ସମସ୍ତଙ୍କର ସ୍ବପ୍ନ ପୂରଣ ହେବ ବୋଲି ସୁଲୋଚନା ଦାସ କହିଛନ୍ତି।

ସମ୍ବନ୍ଧିତ ଖବର