କରଦାଙ୍ଗି : ହୁ ହୁ ହୋଇ ଜଳୁଛି ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲ। ସଂଙ୍କଟରେ ବନ୍ୟଜନ୍ତୁ। ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର କରଦାଙ୍ଗି ଗାଁ ଘୋଡାବେଡ଼ା ସାହି ନିକଟ ମାଙ୍କଡଚୁଆ ଜଙ୍ଗଲରେ ୪ ଦିନ ପୂର୍ବରୁ ନିଆଁ ଲାଗି ଯାଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି କୌଣସି ପ୍ରକାରେ ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ଗତକାଲି ପୁଣି ସେହି ଜଙ୍ଗଲରେ ନିଆଁ ଲାଗି ଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଉଛି ନା ବିଡି ନିଆଁରୁ ନିଆଁ ଲାଗିଛି ତାହା ତଦନ୍ତ ସାପେକ୍ଷ। ସେପଟେ ହୁତୁ ହୁତୁ ହେଇ ଜଙ୍ଗଲ ଜଳୁଥିବାରୁ ଏହା ବନ୍ୟଜନ୍ତୁଙ୍କ ପାଇଁ ବିପଦ ସାଜିଛି।
ସେପଟେ ବହୁ ଗଛଲତା ଜଳି ପାଉଁଶ ହେଇଯାଉଛନ୍ତି। ଜଙ୍ଗଲ ନିଆଁ ପ୍ରକୋପରେ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ବି ବୃଦ୍ଧି ପାଉଛି। ସଂଧ୍ୟା ହେଲେ ନିଆଁର ପ୍ରକୋପ ଧୀରେଧୀରେ ବଢ଼ିବାରେ ଲାଗିଛି। ଜଙ୍ଗଲ ନିଆଁରେ ମୂଲ୍ୟବାନ ଗଛ ବର, ବାଉଁଶ, କଶି, ଆଦି ଗଛ, ଲତା ଜଳିଯିବା ସହ ଔଷଧିୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି। ଜଙ୍ଗଲରେ ଥିବା ବାର୍ହା, କୁଟୁରା, ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି। ଫଳରେ ହରିଣ, କୁଟୁରା ଭଳି ବନ୍ୟଜନ୍ତୁ କୁକୁରଙ୍କ ହାବୁଡରେ ପଡି ପ୍ରାଣ ହରାଉଛନ୍ତି।
ଅନେକ ଶିକାରୀଙ୍କ ହାବୁଡ଼ରେ ପଡ଼ୁଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛି। ତେଲକୋଇ ରେଞ୍ଜରେ ନିଯୁକ୍ତ ୩୦ ଜଣ ଫାୟାର ସ୍କାଡ଼୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଲାଗି ପଡ଼ିଛନ୍ତି। ତେବେ ନିଆଁ ଆୟତ୍ତ ହେବାକୁ ସମୟ ଲାଗିବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ। ସେପଟେ ଜଙ୍ଗଲ ନିଆଁ ରୋକିବାକୁ ଯେତେ ସଚେତନତା ଶୋଭାଯାତ୍ରା, ସଭା କରାଯାଉ ଥିଲେ ହେଁ ଜଙ୍ଗଲ ନିଆଁକୁ ରୋକା ଯାଇ ପାରୁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/4-6.jpg)