କାଳିଆପାଣି : ଯାଜପୁର ଜିଲ୍ଲାର ସମୃଦ୍ଧ କ୍ରୋମ୍ ଉପତ୍ୟକାରେ ଆଜି ଦିନସାରା ତୁହାକୁ ତୁହା ବର୍ଷା କାଚିଛି। ଏହି ଅବିଶ୍ରାନ୍ତ ବର୍ଷାରେ ପଲିଥିନ୍ ପଲା ତଳେ ସୁରକ୍ଷା ଖୋଜୁଛନ୍ତି ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ୧୦ ନମ୍ବର ୱାର୍ଡ ମାଙ୍କିଡ଼ିଆ ବସ୍ତିର ଶତାଧିକ ପରିବାର। ପାଣିମାଡ଼ ସମ୍ଭାଳି ପାରୁନଥିବା ପଲିଥିନ୍ ତଳେ ଓଦା ମାଟିରେ ପିଲାଛୁଆ ସହ ରହୁଛନ୍ତି ପରିବାର। ଓଦା କୁଡ଼ିଆରେ ମେଞ୍ଜାରି ଓ ଧୁଙ୍ଗୁଡ଼ୁ ମାଙ୍କିଡ଼ିଆ ଏବଂ ସାନେଜ୍ ଓ କୁଶାଲ ମାଙ୍କେଡ଼ିଆ ଅପରାହ୍ଣରେ ପଖାଳ ଓ ଲୁଣ ଧରି ଖାଇ ବସିଥିଲେ। ଆଜି ଦିନରେ ଏହା ସେମାନଙ୍କ ପ୍ରଥମ ଭୋଜନ ଥିଲା। ମିରୁ ଓ କେରାନ ମାଙ୍କେଡ଼ିଆ, କୋଇଲି ଓ ଧନିଆ ମାଙ୍କିଡ଼ିଆ, ପିତେଇ ଓ ବିଜୁ ମାଙ୍କିଡ଼ିଆଙ୍କ କୁଡ଼ିଆର ମଧ୍ୟ ସମାନ ଅବସ୍ଥା। ସନ୍ତେଇଥିବା ମାଟିରେ କାହାର ଚୁଲି ଜଳିନି। ଦଦରା ଛପରରୁ ପାଣି ଗଳୁଛି। ଓଦା ଚୁଲିକୁ ଭିଜା କାଠ ନିଆଁ ଜଳିବାକୁ ଦେଉନି। ବାଲି ସଂଗ୍ରହ କରି ଘର ଚଟାଣରେ ବିଛାଇଲେ ବି ନିଆଁ ଜଳିନି। ଘରେ ମୁଣ୍ଡ ଗୁଞ୍ଜିବା କଷ୍ଟକର। ପ୍ରଥମ ପର୍ଯ୍ୟାୟରେ ୮୭ ମାଙ୍କିଡ଼ିଆ ପରିବାରର ବିସ୍ଥାପନ ଓ ଥଇଥାନ ପାଇଁ ଘର ନିର୍ମାଣ ୬ ବର୍ଷ ତଳୁ ଆରମ୍ଭ ହୋଇଥିଲେ ମଧ୍ୟ କାମ ଶେଷ ହୋଇନାହିଁ।
ମାଙ୍କିଡ଼ିଆମାନେ ଆବାସକୁ ଚାତକ ଭଳି ଚାହିଥିବା ସ୍ଥଳେ ୪ ବର୍ଷ ତଳୁ ନିର୍ମାଣ ଅବଧି ଅତିକ୍ରାନ୍ତ ହୋଇଥିବା ଅର୍ଦ୍ଧନିର୍ମିତ କଲୋନି ଏବେ ଭୂତକୋଠି। ଭିକମାଗି ଦିନ କାଟୁଥିବା ୧୦ ଜଣ ବରିଷ୍ଠ ନାଗରିକ ସୁରେନ୍ଦ୍ର ମାଙ୍କିଡ଼ିଆ, କାଲା ମାଙ୍କିଡ଼ିଆ, ବିଧବା ସୁରୁବାଲି ମାଙ୍କିଡ଼ିଆ, ବିଧବା ଘଡ଼େଇ ମାଙ୍କିଡ଼ିଆ ଏବଂ ନିରିକା ଓ କର ମାଙ୍କେଡ଼ିଆ, ସୁକୁରୁମୁନି ଓ ଡେଙ୍ଗେଏ ମାଙ୍କେଡ଼ିଆ ଓଳିଏ ଖାଇ ବଞ୍ଚୁଛନ୍ତି। ବିଲୁପ୍ତ ଜନଜାତି ଅତ୍ୟନ୍ତ ଦରିଦ୍ର ଶ୍ରେଣୀଭୁକ୍ତ ଏମାନଙ୍କ ପାଖରେ ଛତା ନାହିଁ କି ମୁଣ୍ଡ ଢଙ୍କା ପାଲ ନାହିଁ। ଲଗାଣ ବର୍ଷାରେ ମାନ୍ଦା ବେପାର ତା ଅନେକ ଦୋକାନ ମଧ୍ୟ ବନ୍ଦ। ଏଭଳି ସମୟରେ ଭିକ ମଧ୍ୟ ମିଳିବା ମୁସ୍କିଲ ହୋଇଛି। ପରିଣତ ବୟସରେ ବାଡ଼ିଧରି ଆଖପାଖ ବଜାର, ବସ୍ତି ଓ ଗାଁଗଣ୍ଡା ବୁଲି ଦୈନିକ ୩ ରୁ ୫ କିଲୋମିଟର ଯିବା ସମ୍ଭବ ହେଉନି। ପ୍ରକୃତ ବୟସ ୬୦ ଟପିଥିଲେ ବି ତ୍ରୁଟିଯୁକ୍ତ ଭୋଟର କାର୍ଡ ପାଇଁ ସାନେଜ୍ ଓ କୁଶାଲ ମାଙ୍କିଡ଼ିଆ, ମିରୁ ଓ କେରାନ ମାଙ୍କିଡ଼ିଆ, ବୁଧୁବାରି ଓ ଆକାଲ୍ ମାଙ୍କିଡ଼ିଆ, ବୁତି ଓ ମିତାଇ ମାଙ୍କିଡ଼ିଆ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ରହିଛନ୍ତି। ଆଧାରକାର୍ଡ ଓ ଭୋଟର କାର୍ଡ ସଂଶୋଧନ ବ୍ୟବସ୍ଥା ଥିଲେ ମଧ୍ୟ ଏହି ଯୋଗ୍ୟ ହିତାଧିକାରୀମାନେ ଏ ବିଷୟରେ ଅଜ୍ଞ ଅଛନ୍ତି। ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ବାରମ୍ବାର ଆବେଦନ ସତ୍ତ୍ବେ ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହୋଇପାରିନଥିବା ଅଭିଯୋଗ ହୁଏ। ରାସନରେ ମିଳୁଥିବା ଚାଉଳ ଗଣ୍ଡାକ ଅତିବେଶୀରେ ୨ ସପ୍ତାହ ଯାଉଛି। କେହି ଭଲରେ ନିଜ ପରିବାର ପେଟ ପୋଷି ପାରୁନାହାନ୍ତି। ଏମିତିରେ ବୟସ୍କ ବାପାମାଆ ଅସହାୟ। ପରିଣତ ବୟସରେ ବହୁ ବୁଢ଼ାବୁଢ଼ୀ ବେସାହାରା। ୪ ଦିନ ଧରି ଲାଗି ରହିଥିବା ବର୍ଷା ଏମାନଙ୍କ ପାଇଁ ନାହିଁନଥିବା ସମସ୍ୟା ସୃଷ୍ଟି କରିଛି।
ଆଦିମ ଜନଜାତିଙ୍କ ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ଷକୁ ବର୍ଷ କୋଟିକୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା ସତ୍ତ୍ବେ ଏଠାକାର ବିଲୁପ୍ତ ମାଙ୍କିଡ଼ିଆଙ୍କ ଭାଗ୍ୟ ବଦଳୁନାହିଁ। ଏହି ଅସହାୟମାନେ ବିଭିନ୍ନ ଖଣି କର୍ତ୍ତୃପକ୍ଷଙ୍କ ପାରିପାର୍ଶ୍ବିକ ଉନ୍ନୟନ ଓ ସାମାଜିକ ପ୍ରତିବଦ୍ଧତା ଯୋଜନାରୁ ସାମାନ୍ୟ ଉପକାର ପାଇଥିବାର ନଜିର ନାହିଁ। ଏ ସଂପର୍କରେ ସରପଞ୍ଚ କନକଲତା ସର୍ଦ୍ଦାରଙ୍କୁ ପଚାରିବାରେ ମାଙ୍କିଡ଼ିଆ ବୁଢ଼ାବୁଢ଼ୀଙ୍କ ଏତାଦୃଶ ସମସ୍ୟା ସଂପର୍କରେ ସେ ଜାଣିନଥିବା କହିଥିଲେ। ଅନୁଧ୍ୟାନ ପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।