ଟିକାକରଣକୁ ମାଙ୍କେଡ଼ିଆଙ୍କ ବିରୋଧ, ଫେରିଗଲା ୪୪୦ ଟିକା

କାଳିଆପାଣି : ସୁକିନ୍ଦା ବ୍ଲକ୍‌ ରାଁସୋଳ ପଞ୍ଚାୟତ ୧୦ ନମ୍ବର ୱାର୍ଡର ମାଙ୍କେଡ଼ିଆ ବସ୍ତିବାସିନ୍ଦାଙ୍କ ଅସହଯୋଗ ପାଇଁ ଶନିବାର ଦିନ କାଟେପୂର୍ତ୍ତି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ଟିକାଦାନ କ‌ାର୍ଯ୍ୟକ୍ରମରେ ସାଢ଼େ ୩ ଘଣ୍ଟା ଧରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏଠାରେ ଶନିବାର ଦିନ ୫୦୦ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ମାତ୍ର ୫୮ ଜଣ ମାଙ୍କେଡ଼ିଆ ଟିକା ନେଇଥିଲେ। ବିବାଦୀୟ ପରିସ୍ଥିତି ପାଇଁ ୪୪୦ ଟିକା ଫେରି ଯାଇଥିଲା। ଅନ୍ୟପକ୍ଷରେ ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କର୍ମଚାରୀ ଫେରିଯିବାକୁ ବସିଥିବା ବେଳେ ସୁକିନ୍ଦ‌ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦ, ସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ରଶ୍ମିପ୍ରଭା ଖଟୁଆ, ଏଏନ୍‌ଏମ୍‌ କୋକିଳ ସାହୁ ଓ ପ୍ରଧାନଶିକ୍ଷକ ହେମନ୍ତ କୁମାର ସାହୁ ପ୍ରମୁଖ ଉତ୍ତ୍ୟକ୍ତ ମାଙ୍କେଡ଼ିଆଙ୍କୁ କିଛିକାଂଶରେ ବୁଝାଇବାରେ ସଫଳ ହୋଇଥିଲେ।

ଟିକାଦାନ ପରେ ପ୍ରମାଣ ପତ୍ର ମିଳୁନଥିବା ଅଭିଯୋଗ କରି ମାଙ୍କେଡ଼ିଆମାନେ ଏହାର ପ୍ରତିବାଦ କରୁଥିଲେ। ଏଥର ଟିକାଦାନ ପରେ ନିଶ୍ଚିତ ପ୍ରମାଣପତ୍ର ମିଳିବା ନେଇ ପ୍ରତିଶ୍ରୁତି ମିଳିବା ପରେ ଅପରାହ୍ଣ ସାଢ଼େ ଗୋଟାଏ ବେଳେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମାଙ୍କେଡ଼ିଆଙ୍କ ପକ୍ଷରୁ ୱ‌ାର୍ଡମେମ୍ବର ମାର୍ଥା ମାଙ୍କେଡ଼ିଆ ଅଭିଯୋଗ କରନ୍ତି ଯେ, ଗତ ଜୁନମାସ ୨୫ ତାରିଖରେ ଏଠାରେ ପ୍ରଥମ କରି ଟିକାକରଣ ହୋଇଥିବା ସମୟରୁ କୌଣସି ହିତାଧିକାରୀଙ୍କୁ ଏଯାବତ୍ ପ୍ରମାଣପତ୍ର ମିଳିନି। ଟିକାଗ୍ରହଣ ପ୍ରମାଣ ଅଭାବରୁ ଆଶାୟୀ ଶ୍ରମିକଙ୍କୁ ଖଣି‌ରେ ପ୍ରବେଶ ଅନୁମତି ମିଳିପାରୁନଥିବା କହିଥିଲେ।

ବିଭିନ୍ନ ଖଣିରେ ଲୋଡିଂ ଶ୍ରମିକ ଭାବେ କାମ କରୁଥିବା ଗଦୁନୁ ମାଙ୍କେଡ଼ିଆ, ଜାମ୍ପା ମାଙ୍କେଡ଼ିଆ, ଗରୁବା ମାଙ୍କେଡ଼ିଆ, ଡମାଇ ମାଙ୍କେଡ଼ିଆ, ଭଦ୍ର ମାଙ୍କେଡ଼ିଆ, ସାଧୁ ମାଙ୍କେଡ଼ିଆ, ସନିଆ ମାଙ୍କେଡ଼ିଆ, କାଣ୍ଡରାଇ ମାଙ୍କେଡ଼ିଆ ପ୍ରମୁଖ ବାଧ୍ୟହୋଇ ସୁକିନ୍ଦା ଏବଂ ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ୍‌ର ବାରୁଆଁ ଓ ଓଡ଼ିଶ ଯାଇ ଟିକା ଗ୍ରହଣ କରିବା ପରେ ପ୍ରମାଣପତ୍ର ଧରି ଖଣିକୁ ଫେରିଥିବା ସଂପର୍କରେ ୱାର୍ଡମେମ୍ବର ମାର୍ଥା ଦର୍ଶାଇଥିଲେ। ସୂଚନା ଯୋଗ୍ୟ ଯେ, ଗତଥର ଏଠାରେ ୩ ଶହ ପ୍ରଥମ ପାନ ଟିକାଦାନ ଲକ୍ଷ୍ୟ ରହିଥିବା ସ୍ଥଳେ ମାତ୍ର ୫୪ ଜଣ ମାଙ୍କେଡ଼ିଆ ଟିକା ନେବାକୁ ରାଜି ହୋଇଥିଲେ।

ସମ୍ବନ୍ଧିତ ଖବର