କାଳିଆପାଣି : ସୌଭାଗ୍ୟ ବିଦ୍ୟୁତ୍ ଯୋଜନାରେ ଉପକୃତ ହୋଇଥିବା ମାଙ୍କେଡ଼ିଆ ଜନଜାତିର ହିତାଧିକାରୀ ପ୍ରଥମ ବିଦ୍ୟୁତ୍ ବିଲ୍‌କୁ ନେଇ ଅସନ୍ତୁଷ୍ଟ ଥିବା ଅଭିଯୋଗ ହୋଇଛି। ସୁକିନ୍ଦା ବ୍ଲକ୍‌ ରାଁସୋଳ ପଞ୍ଚାୟତ ୧୦ ନମ୍ବର ୱ‌ାର୍ଡ ଅନ୍ତର୍ଗତ ଏକ ଜନବହୁଳ ବସ୍ତିରେ ବସବାସ କରୁଥିବା ଉପଭୋକ୍ତାମାନେ ନିର୍ଦ୍ଧାରିତ ସମୟରେ ଧାର୍ଯ୍ୟ ବିଲ୍‌ ଦେୟ ପୈଠ କରିବା ନେଇ ଚିନ୍ତାଗ୍ରସ୍ତ ଅଛନ୍ତି। ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କ ପ୍ରତି ଅବିଚାର କରିଥିବା ଦର୍ଶାଇ ପ୍ରତିବାଦ କରିଛନ୍ତି। ଅଧିକାଂଶ ପରିବାର କେବଳ ଗୋଟିଏ ଲେଖାଏଁ ବିଦ୍ୟୁତ୍‌ ବଲ୍‌ବ ଏବଂ ଆଉ କିଛି ପରିବାର ଗୋଟିଏ ଲେଖାଏଁ ବଲ୍‌ବ ଓ ପଙ୍ଖା ବ୍ୟବହାର କରୁଥିବା ସ୍ଥଳେ ଉପଭୋକ୍ତମାନଙ୍କୁ ପ୍ରଦତ୍ତ ବିଲ୍‌ରେ ବହୁ ତାରତମ୍ୟ ରହିଥିବା ଦେଖିବାକୁ ମିଳିଛି। ଜାମ୍ପା ମାଙ୍କେଡ଼ିଆଙ୍କ ନାଁରେ ସର୍ବାଧିକ ୯ ହଜାର ୧୪୦ ଟଙ୍କା ବିଲ୍‌ ଆସିଛି। ସେହିପରି କୁନୁ ମୁର୍ମୁଙ୍କ ନାଁରେ ୫,୩୦୫ ଟଙ୍କା, ଅଟୁରୁ ମାଙ୍କେଡ଼ିଆଙ୍କ ନାଁରେ ୪,୭୪୮ ଟଙ୍କା, ଦୁଆରି ମାଙ୍କେଡ଼ିଆଙ୍କ ନାଁରେ ୩,୦୩୧ ଟଙ୍କା, ନାକା ମାଙ୍କେଡ଼ିଆଙ୍କ ନାଁରେ ୨,୫୪୦ ଟଙ୍କା ଓ ସାଧୁ ମାଙ୍କେଡ଼ିଆଙ୍କ ନାଁରେ ୨,୩୧୧ ଟଙ୍କା ବିଲ୍‌ ଆସିଛି। ମେ ମାସ ୩୧ ତାରିଖ ସୁଦ୍ଧା ବିଲ୍‌ ପୈଠ ପାଇଁ ନିର୍ଦେଶ ଥିଲେ ମଧ୍ୟ ଅଧିକାଂଶ ଉପଭୋକ୍ତା ଏଯାବତ୍ ବିଲ୍‌ ପୈଠ କରିନଥିବା ଜଣାପଡ଼ିଛି।

Advertisment

୨୦୨୦ ମସିହା ଜାନୁଆରି ମାସରୁ ୫୦ ରୁ ଅଧିକ ମାଙ୍କେଡ଼ିଆ ପଞ୍ଜୀକୃତ ଉପଭୋକ୍ତା ଭାବେ ବିଦ୍ୟୁତ୍ ବ୍ୟବହାର କରିଆସୁଛନ୍ତି। ଏହା ପୂର୍ବରୁ ନିରକ୍ଷର ଓ ଅତ୍ୟନ୍ତ ଗରିବ ଶ୍ରେଣୀଭୁକ୍ତ ଏହି ଉପଭୋକ୍ତାମାନେ ରାଜ୍ୟ ସରକାର ଅଧୀନ ସେସୁ କମ୍ପାନି ଦ୍ବାରା ନିୟୋଜିତ ଠିକାଦାର ଦ୍ବାରା ଠକାମି ଓ ଶ୍ରମ ଶୋଷଣର ଶିକାର ହୋଇଥିବା ପୂର୍ବତନ ୱାର୍ଡମେମ୍ବର ସନିଆ ମାଙ୍କେଡ଼ିଆ ଅଭିଯୋଗ କରନ୍ତି। ମାଗଣା ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବାର ପ୍ରଲୋଭନ ଦେଖାଇ ସଂପୃକ୍ତ ଠିକାଦାର ବସ୍ତିବାସିନ୍ଦାଙ୍କୁ ଗାତ ଖୋଳା, ବିଦ୍ୟୁତ୍ ଖୁଣ୍ଟ ବୁହା ଓ ଏସବୁକୁ ପୋତା କାମରେ ସପ୍ତାହସପ୍ତାହ ଧରି ବିନା ପାରିଶ୍ରମିକରେ ଖଟାଇଥିଲା। ମାଗଣା ବିପିଏଲ୍‌ ଲାଇନ ବୋଲି କହି ଆଗ୍ରହୀ ଉପଭୋକ୍ତାଙ୍କୁ ଭୂତାଇ ଦିଆଯାଇଥିଲା। ବସ୍ତି ଓ ଏହା ପାଖାପାଖି ସ୍ଥାନ ମାଙ୍କଡ଼ାପଥର ଚଟାଣ ଆଚ୍ଛାଦିତ ଥିବା କାରଣରୁ ବସ୍ତିବ‌ାସିନ୍ଦାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା। ମାଗଣା ବିଦ୍ୟୁତ୍ ସେବା ପାଇବା ଆଶାରେ ମାଙ୍କେଡ଼ିଆମାନେ କଠିନ ଶାରୀରିକ ପରିଶ୍ରମକୁ ଭୃକ୍ଷେପ କରିନଥିଲେ। ଏପରିକି ଅଧିକାଂଶ ଉପଭୋକ୍ତାଙ୍କଠୁ ଠିକାଦାର ପ୍ରତିନିଧି ବିଭିନ୍ନ ଯନ୍ତ୍ରାଂଶ ନାଁରେ ଟଙ୍କା ଠକି ନେଇଥିବା ସୂଚନା ମିଳିଛି। ତେବେ ଟାଟା ପାୱାର କମ୍ପାନି ରାଜ୍ୟ ସରକାରଙ୍କଠୁ ବିଦ୍ୟୁତ୍ ବିତରଣ ଓ ‌ଶୁଳ୍କ ଆଦାୟ ଦାୟିତ୍ବ ଗ୍ରହଣ କରିବା ଓ ସବୁ ଉପଭୋକ୍ତାଙ୍କୁ ବିଲ୍‌ ଧରାଇ ଦିଆଯାଇଛି। ସେମାନଙ୍କ ଆପତ୍ତି ଓ ଅଭିଯୋଗ ବିଚାରକୁ ନେଇ ସଂପୃକ୍ତ ଠିକାଦାର ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦେଶ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।

ଏ ସଂପର୍କରେ କାଳିଆପାଣି ସେକ୍ସନର ବିଭାଗୀୟ ଯନ୍ତ୍ରୀ ଇଂ ଚନ୍ଦ୍ରକାନ୍ତ ବିଶ୍ବାଳଙ୍କୁ ଯୋଗାଯୋଗ କରିବାରେ ଉପଭୋକ୍ତାମାନେ ବିଦ୍ୟୁତ୍ ବିଲ୍‌ ପୈଠ କରିବାର ନିୟମ ରହିଛି। ମାଙ୍କେଡ଼ିଆମାନେ ଗରିବ ‌ଶ୍ରେଣୀଭୁକ୍ତ ଥିବାରୁ ସେମାନଙ୍କ ପ୍ରତି ‌କୋହଳ ନୀତି ଗ୍ରହଣ କରାଯାଇ କିସ୍ତି ଆଧାରରେ ଧାର୍ଯ୍ୟ ଦେୟ ପୈଠ କରିବାକୁ କୁହାଯାଇଥିବା ମତ ରଖିଛନ୍ତି।