ମନମୋହନ ବିଜେପିର ନୂଆ ରାଜ୍ୟ ସଭାପତି

ଭୁବନେଶ୍ବର : ରାଜ୍ୟ ବିଜେପିର ସଭାପତି ବଦଳିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଓଡ଼ିଶା ବିଜେପିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ନିଯୁକ୍ତି ଦେଇଥିବା ସମ୍ପର୍କରେ ନୂଆଦିଲ୍ଳୀ ପାର୍ଟି ମୁଖ୍ୟାଳୟରୁ ଏକ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି। ଏହାପରେ ଶ୍ରୀ ସାମଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଶୁଭେଚ୍ଛା ଜଣାଇଛନ୍ତି।

ଗତ ଜାନୁଆରି ୧୬ରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ହେଲେ ନୂଆ ସଭାପତି ନିଯୁକ୍ତ ହୋଇନଥିବାରୁ ଶ୍ରୀ ମହାନ୍ତିଙ୍କୁ ଆଗାମୀ ରାଜ୍ୟ ସଭାପତି ନିଯୁକ୍ତ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ମୁଖ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲା। ହେଲେ ଏବେ ସଭାପତି ବଦଳିବା ନେଇ ଚର୍ଚ୍ଚା ହେଉନଥିବା ବେଳେ ହଠାତ୍ କିପରି ସଭାପତି ବଦଳିଗଲେ ସେନେଇ ରାଜ୍ୟ ବିଜେପିରେ ଜୋରଦାର୍ ଚର୍ଚ୍ଚା ଚାଲିଛି।

୧୯୯୯ରୁ ୨୦୦୦ ମସିହା ଏବଂ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ସଭାପତି ଦାୟିତ୍ବ ତୁଲାଇଥିବା ମନମୋହନ ଏବେ ତୃତୀୟ ଥର ପାଇଁ ରାଜ୍ୟ ସଭାପତି ହୋଇଛନ୍ତି। ଆରଏସ୍‌ଏସ୍‌ କ୍ୟାଡର ନେତା ଭାବେ ଜଣାଶୁଣା ଶ୍ରୀ ସାମଲ ଛାତ୍ର ଜୀବନରୁ ଏବିଭିପିର ସକ୍ରିୟ ସଦସ୍ୟ ଥିଲେ। ୨୦୦୦ ମସିହାରେ ରାଜ୍ୟସଭାକୁ ମନୋନୀତ ହୋଇଥିଲା ବେଳେ ୨୦୦୪ରେ ଧାମନଗର ବିଧାନସଭାରୁ ବିଧାୟକ ଭାବେ ଜିତିଥିଲେ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ରାଜସ୍ବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଏକ ବିବାଦୀୟ ଘଟଣାକ୍ରମେ ସେ ଡିସେମ୍ବର ୨୦୦୮ରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ।

ଅପରପକ୍ଷେ ୨୦୦୯ ସାଧାରଣ ନିର୍ବାଚନରେ ଧାମନଗର(ଏସ୍‌ସି) ସଂରକ୍ଷିତ ସିଟ୍ ହେବା ପରେ ସେ ଚାନ୍ଦବାଲିରୁ ନିର୍ବାଚନ ଲଢ଼ିଥିଲେ ବି ଆଉ ଜିତି ପାରିନଥିଲେ। କିନ୍ତୁ ତୃଣମୂଳସ୍ତରରେ ସଂଗଠନ ସୁଦୃଢ଼ କରିଥିବା ଶ୍ରୀ ସାମଲ ୨୦୨୨ ଧାମନଗର ଉପନିର୍ବାଚନରେ ସ୍ବର୍ଗତଃ ବିଷ୍ଣୁ ଦାସଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ। ଏହା ପୂର୍ବରୁ ନିକଟରେ ହୋଇଥିବା ସମସ୍ତ ଉପନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ବରଣ କରିବା ସହ ନିଜ ସିଟ୍ ବି ସୁରକ୍ଷିତ ରଖିପାରିନଥିଲା। ହେଲେ ଧାମନଗରରେ ବିଜେପି ଅପ୍ରତ୍ୟାଶିତ ବିଜୟ ପାଇବା ପରେ ଦଳରେ ମନମୋହନଙ୍କର ଗୁରୁତ୍ବ ବଢ଼ିଥିଲା।

୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଆକ୍ରମଣାତ୍ମକ ରଣନୀତି ପ୍ରସ୍ତୁତ କରିବା ସହ ଶାସକ ଦଳକୁ ଅକଳରେ ପକାଇବାକୁ ସବୁ ଉଦ୍ୟମ କରୁଛି। ଏବେ ବିଜେପି ପାଇଁ ପଶ୍ଚିମ ଓଡ଼ିଶାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଚେହେରା ହୋଇଥିଲା ବେଳେ ଉପକୂଳ ଓଡ଼ିଶାରେ ମନମୋହନଙ୍କ ସାଂଗଠନିକ ଦକ୍ଷତାକୁ ଦଳ ବ୍ୟବହାର କରିବା ସହ ତାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ସମ୍ବନ୍ଧିତ ଖବର