ଭୁବନେଶ୍ୱର: ନୀରବି ଗଲେ ‘ନୀରବ ଝଡ଼ର’ ସ୍ରଷ୍ଟା। ଜାତୀୟ-ଅନ୍ତଜାର୍ତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସଂଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ୬୯ବର୍ଷ ବୟସ୍କ ଶ୍ରୀ ମହାପାତ୍ର କ୍ରମାଗତ ଭାବେ ୮ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରି ଏକ ବିରଳ ଉପଲବ୍ଧିର ଅଧିକାରୀ ହୋଇଥିଲେ। ଭାରତୀୟ ସମାନ୍ତରାଳ ଚଳଚ୍ଚିତ୍ର କ୍ଷେତ୍ରକୁ ଋଦ୍ଧିମନ୍ତ କରିବାରେ ତାଙ୍କର ଅନନ୍ୟ ଅବଦାନ ରହିଛି।
ନିକଟରେ ସେ ‘ଭିଜା ମାଟିର ସ୍ବର୍ଗ’ ଚଳଚ୍ଚିତ୍ର ଲାଗି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଖ୍ୟାତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘କ୍ଲାନ୍ତ ଅପରାହ୍ନ’, ‘ନିରବ ଝଡ଼’, ‘ମଝିପାହାଚ’, ‘ନିଷିଦ୍ଧ ସ୍ୱପ୍ନ’, ‘ଶୀତରାତି’ ଓ ‘ଭିନ୍ନ ସମୟ’। ୧୯୭୬ ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ‘ଶୀତରାତି’ ଦେଶ ବାହାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ଗୌରବ ଅର୍ଜନ କରିଥିଲା।
/sambad/media/post_attachments/wp-content/uploads/2020/01/HEMANT-DAS-IN-NEERAB-JHADA.jpg)
ଓଡ଼ିଆ ମାଟି-ପାଣି-ପବନକୁ ନେଇ ମୌଳିକ କାହାଣୀ ଆଧାରିତ ବାସ୍ତବବାଦୀ ଚଳଚ୍ଚିତ୍ର ନିର୍ମାଣରେ ମନମୋହନ ମହାପାତ୍ର ଥିଲେ ସିଦ୍ଧହସ୍ତ। ଏଥିସହ ସମସାମୟିକ ସାମାଜିକ ପ୍ରସଙ୍ଗକୁ ମଧ୍ୟ ଚଳଚ୍ଚିତ୍ର ମାଧ୍ୟମରେ ନିଚ୍ଛକ ଭାବେ ତୋଳି ଧରିଥିଲେ ସେ। ଜଣେ ସଫଳ ଚଳଚ୍ଚିତ୍ର ନିର୍ଦ୍ଦେଶକ ହେବା ସହ ସେ ଜଣେ ଉଚ୍ଚକୋଟିର ଚିତ୍ରନାଟ୍ୟକାର ଓ ସଂଳାପକାର ଥିଲେ। ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ଶୀତରାତି’, ‘ନୀରବ ଝଡ଼’, ‘କ୍ଲାନ୍ତ ଅପରାହ୍ନ’, ‘ତ୍ରିସନ୍ଧ୍ୟା’, ‘ମଝି ପାହାଚ’, ‘ନିଷିଦ୍ଧ ସ୍ୱପ୍ନ’, ‘କିଛି ସ୍ମୃତି କିଛି ଅନୁଭୂତି’, ‘ଅନ୍ଧ ଦିଗନ୍ତ’, ‘ଭିନ୍ନ ସମୟ’, ‘ଅଗ୍ନିବୀଣା’, ‘ମୁହୂର୍ତ୍ତ’ ଓ ‘ଭିଜା ମାଟିର ସ୍ବର୍ଗ’। ଏଥିସହ ବହୁ ଉଚ୍ଚକୋଟୀର ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ ଶ୍ରୀ ମହାପାତ୍ର। ସେଗୁଡ଼ିକ ମଧ୍ୟରେ ରହିଛି ‘ଭଏସ୍ ଅଫ ସାଇଲେନ୍ସ’, ‘କୋଣାର୍କ: ଦ ସନ୍ ଟେମ୍ପୁଲ’ ଓ ‘ଆଣ୍ଟି ମେମୋୟର୍ସ ଆଣ୍ଡ ଆଣ୍ଟି ମେମୋରିଜ’ ଇତ୍ୟାଦି।
୧୯୫୧ ମସିହାରେ ଜନ୍ମଲାଭ କରିଥିବା ମନମୋହନ ମହାପାତ୍ର ବିଜେବି କଲେଜରେ ପାଠପଢ଼ା ଶେଷ କରି ପୁନାସ୍ଥିତ ଏଫ୍ଟିଟିଆଇରେ ପାଠ ପଢ଼ିବା ପରେ ଚଳଚ୍ଚିତ୍ର ନିର୍ମାଣରେ ମନୋନିବେଶ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ହିନ୍ଦୀ ସିନେମା ‘ବିଟସ୍ ଆଣ୍ଡ ମିସେ୍ସ୍’ରେ ନନ୍ଦିତା ଦାସ୍, ରାହୁଲ ବୋଷ ଓ ଦିଆ ମିର୍ଜା ପ୍ରମୁଖ ଅଭିନୟ କରିଥିଲେ। ଜଣେ ସଫଳ ନିର୍ଦ୍ଦେଶକ ହେବା ସହ ମନମୋହନ ମହାପାତ୍ର ଦୁଇଟି ସିନେମାରେ ପ୍ରଯୋଜନା ମଧ୍ୟ କରିଥିଲେ। ଏହି ଦୁଇଟି ସିନେମା ହେଲା ‘ନୀରବ ଝଡ଼’ ଓ ‘ଫରବିଡେନ୍ ଡ୍ରିମ୍’।