ପ୍ରଥିତଯଶା ଚଳଚ୍ଚିତ୍ର ନିର୍ମାତା ମନମୋହନଙ୍କ ପରଲୋକ

ଭୁବନେଶ୍ବର : ଏଇ ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ ଭଲ ସିନେମାଟିଏ କରିବାର ଇଚ୍ଛା, ଏଯାଏ ମତେ ବଞ୍ଚାଇ ରଖିଛି। ମାତ୍ର ସେ ଆଉ ବଞ୍ଚିଲେନି। ୬୯ ବର୍ଷ ବୟସରେ ଅଚାନକ ଲକ୍ଷଲକ୍ଷ ସିନେପ୍ରେମୀଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଯାଇଛନ୍ତି।

ପ୍ରଥିତଯଶା ଚଳଚ୍ଚିତ୍ର ନିର୍ମାତା ମନମୋହନ ମହାପାତ୍ର। ଏଥିସହ ଓଡ଼ିଆ ଚଳଚ୍ଚିତ୍ର ଇତିହାସ ତା’ର ଆଉ ଜଣେ କ୍ରାନ୍ତିକାରୀ ସନ୍ତାନକୁ ହରାଇଛି। ବହୁବିଧ ରୋଗ ଯୋଗୁଁ ସେ ଏଇ ୩ ଦିନ ତଳେ ସମ୍‌ ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ବେଳେ ଆଜି ଅପରାହ୍‌ଣ ୫ଟା ୧୫ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମନମୋହନଙ୍କ ସାନପୁଅ ମନତୋଷ ମହାପାତ୍ର ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି।

ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସିନେପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ହଠାତ୍ ଏପରି ଦୁନିଆ ଛାଡ଼ି ଚାଲିଯିବା କଥା ତାଙ୍କ ସାଙ୍ଗସାଥୀମାନେ ବିଶ୍ବାସ କରିପାରିନଥିଲେ। ତାଙ୍କ ଅନ୍ତରଙ୍ଗ ବନ୍ଧୁମାନଙ୍କ ସମେତ ଚଳଚ୍ଚିତ୍ର ନିର୍ଦେଶକ ସୁବାସ ଦାସ, ପ୍ରଣବ ପ୍ରକାଶ ଦାଶ, ସିନେମାଟୋଗ୍ରାଫର ଦିଲ୍ଲୀପ ରାୟ ଓ କଳାକାରମାନେ ମେଡିକାଲ୍‌ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ଖୋର୍ଧାରେ ନଭେମ୍ବର ୧୦ ତାରିଖରେ ଜନ୍ମିତ ମନମୋହନ ଭୁବନେଶ୍ବର ୟୁନିଟ୍‌-୯ରେ ପରିବାର ସହ ରହି ଆସୁଥିଲେ। ଜୀବନକାଳ ଭିତରେ ସେ ମାତ୍ର ୧୨ଟି ଚଳଚ୍ଚିତ୍ର କରିଛନ୍ତି। ମାତ୍ର ଯେଉଁ ଚଳଚ୍ଚିତ୍ରରେ ହାତ ମାରିଛନ୍ତି ତାହା ସୁନା ହେଇଯାଇଛି। ସେ ହିଁ ଏକମାତ୍ର ବ୍ୟକ୍ତିତ୍ବ ଯିଏ ନିର୍ମାଣ କରିଥିବା ୮ଟି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ଲାଭ କରିଛି। ବିଜେବି କଲେଜ୍‌ରୁ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ଫିଲ୍ମ ନିର୍ମାଣ ସମ୍ପର୍କରେ ପୁନେ ଫିଲ୍ମ ତାଲିମ ଅନୁଷ୍ଠାନରୁ ଫିଲ୍ମ ନିର୍ଦେଶନା ସମ୍ପର୍କରେ ୩ବର୍ଷ ଶିକ୍ଷା ଗ୍ରହଣ କରିଥିଲେ। ପ୍ରଥମେ ୧୯୭୫ ମସିହାରେ ‘ଆଣ୍ଟି ମେମୋରିଜ୍‌’ ନାମକ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ୧୯୭୬ରେ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ କାହାଣୀକୁ ନେଇ ‘ଶୀତରାତି’ ନାମକ ଏକ ସିନେମା ନିର୍ମାଣ କରିବା ସହ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କଲେ। ପ୍ରବେଶ ମାତ୍ରେ ହିଁ ପ୍ରସିଦ୍ଧି ଅଜାଡ଼ି ହୋଇ ପଡ଼ିଲା। ତାଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କଲା। ଏପରିକି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ବିଦେଶରେ ପ୍ରଦର୍ଶନ ହୋଇଥିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ‘ଶୀତରାତି’।

ଏହାପରେ ଆଉ ଅଟକିନଥିଲା ତାଙ୍କ ଚଳଚ୍ଚିତ୍ରର ଯାତ୍ରା। କିଛି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ପ‌ରେ ସେ ‘ନୀରବ ଝଡ଼’ ନିର୍ମାଣ କରି ପୁଣି ଜାତୀୟ ପୁରସ୍କାର ଜିତିଲେ। ତାଙ୍କ ନିର୍ମିତ କ୍ଳାନ୍ତ ଅପରାହ୍‌ଣ, ମଝି ପାହାଚ, ନିଶିଦ୍ଧ ସ୍ବପ୍ନ, କିଛି ସ୍ମୃତି କିଛି ଅନୁଭୂତି, ଅନ୍ଧ ଦିଗନ୍ତ ଓ ଭିନ୍ନ ସମୟ ମଧ୍ୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ନିକଟରେ ତାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ଭିଜାମାଟିର ସ୍ବର୍ଗ’ ମଧ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ଏଇ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ସମ୍ମାନିତ କରାଯାଇଥିଲା। ୬ଟି ବିଭାଗରେ ଏହି ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ଚଳଚ୍ଚିତ୍ର ଜଗତକୁ ତାଙ୍କର ସର୍ବକାଳୀନ କୃତି ପାଇଁ ତାଙ୍କୁ ସର୍ବୋଚ୍ଚ ପୁରସ୍କାର ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ ରାହୁଲ ବୋଷ, ଦିୟା ମିର୍ଜା ଓ ନନ୍ଦିତା ଦାସଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ବିଟ୍‌ସ ଆଣ୍ଡ୍‌ ପିସେସ୍’ର ମଧ୍ୟ ସେ ନିର୍ଦେଶନା ଦେଇଥିଲେ। ଏହା ବ୍ୟତୀତ ତ୍ରିସନ୍ଧ୍ୟା, ଅଗ୍ନି ବୀଣା, ମୁହୂର୍ତ ଭଳି ଫିଚର ଫିଲ୍ମ ସହ ‘କୋଣାର୍କ: ଦି ସନ୍‌ ଟେମ୍ପୁଲ୍‌’, ‘ଭଏସ୍‌ ଅଫ୍ ସାଇଲେନ୍‌ସ’ ଶୀର୍ଷକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ।

ଶେଷ ଶଯ୍ୟା ନିକଟରେ ତାଙ୍କ ପତ୍ନୀଙ୍କ ସମେତ ପୁଅ ଆଶୁତୋଷ, ଭବତୋଷ, ମନତୋଷ ଓ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ। ମେଡିକାଲ୍‌ରୁ ତାଙ୍କ ମରଶରୀରକୁ ୟୁନିଟ୍‌-୯ସ୍ଥିତ ବାସଭବନକୁ ଅଣାଯାଇଥିବା ବେଳେ ଏକମାତ୍ର ଝିଅ ଆମେରିକାରେ ରହି ଚାକିରି କରୁଥିବାରୁ ସେ ଆସି ପହଞ୍ଚିବା ପରେ ଆସନ୍ତାକାଲି ସକାଳେ ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ଭାରତୀୟ ଫିଲ୍ମ ଜଗତରେ ମୂଲ୍ୟବାନ ଅବଦାନ ଦୃଷ୍ଟିରୁ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର