ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ମନମୋହନ ସାମଲ ପୁଣି ଥରେ ଓଡ଼ିଶା ବିଜେପିର ସଭାପତି ହେବାକୁ ଯାଉଛନ୍ତି। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ ମନମୋହନ ଏକମାତ୍ର ପ୍ରାର୍ଥୀ ଭାବେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ମଇଦାନରେ ସହମତି ଭିତ୍ତିରେ ମନମୋହନ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସେ ହିଁ ଆଗାମୀ ସଭାପତି ହେବେ। ଆସନ୍ତାକାଲି ପୂର୍ବାହ୍ଣ ୧୦ଟାରେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ ଓଡ଼ିଶା ବିଜେପିର ସଭାପତି ଭାବେ ମନମୋହନ ସାମଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ବୋଲି ବିଧିବଦ୍ଧ ଭାବେ ଘୋଷଣା କରିବେ।
ଆଜି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ପାଇଁ ନାମାଙ୍କନ ଦାଖଲ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୩ଟା ୩୦ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବାର ସମୟ ଥିଲା। ମୋଟ୍ ୩୨ଟି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପଦବି ପାଇଁ ନିଜ ସମର୍ଥକଙ୍କ ସହ ଯାଇ ୩୨ ଜଣ ନେତା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନାମାଙ୍କନପତ୍ର ଦେଇଥିଲେ। ହେଲେ କେହି ରାଜ୍ୟ ସଭାପତି ପାଇଁ ନାମାଙ୍କନପତ୍ର ଦାଖଲ କରୁନଥିଲେ। କିଏ ରାଜ୍ୟ ସଭାପତି ହେବ ତାହାକୁ ନେଇ ନେତା ଓ କର୍ମୀଙ୍କ ମହଲରେ ଉତ୍କଣ୍ଠା ବଢ଼ିଚାଲିଥାଏ। ଏପରିକି ଯେଉଁ ତିନି ଜଣ ନେତା ମନମୋହନ ସାମଲ, ପ୍ରଦୀପ ପୁରୋହିତ, ଗୋଲକ ମହାପାତ୍ର ରାଜ୍ୟ ସଭାପତି ପାଇଁ ଗତ କିଛି ଦିନ ହେଲା ଚର୍ଚ୍ଚାରେ ଥିଲେ ସେମାନେ ଆଜି ପାର୍ଟି ଅଫିସରେ ଥିଲେ ବି ନାମାଙ୍କନ କେତେବେଳେ ଦାଖଲ କରିବେ କିଛି କହୁନଥିଲେ। ଅପରାହ୍ଣ ୨ଟା ୩୦ ପାଖାପାଖି ନିର୍ବାଚନ ପାଇଁ ନିଯୁକ୍ତି ପାଇଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ ପାର୍ଟି ଅଫିସରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ। ଆଉ କହିଥିଲେ ଉପରୁ କୁହାଯାଇଛି ମନମୋହନ ସାମଲ ପୁଣି ସଭାପତି ହେବେ। ବାସ୍ ଏତିକି କଥାରେ ମନମୋହନ ସମସ୍ତଙ୍କ ସହମତରେ ପ୍ରାର୍ଥୀ ହୋଇଯାଇଥିଲେ। ନାମାଙ୍କନପତ୍ର ଦାଖଲ ଅବଧି ସରିବାର କିଛି ସମୟ ପୂର୍ବରୁ ଅର୍ଥାତ୍ ଅପରାହ୍ଣ ପ୍ରାୟ ୩ଟା ୧୫ ପାଖାପାଖି ମନମୋହନ ନିଜ ସମର୍ଥକଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ମନମୋହନ ନାମାଙ୍କନ ଭରିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ସମ୍ବିତ ପାତ୍ରଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସହ ନିର୍ବାଚନ ଅଧିକାରୀ ସୁକେଶୀ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ମନମୋହନଙ୍କୁ ବିଜୟୀ ଘୋଷଣା କରାଯାଇନଥିଲେ ବି ବିଜେପି ନେତା ଓ କର୍ମୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା। ଆସନ୍ତାକାଲି ମନମୋହନ ସଭାପତି ଭାବେ ନିର୍ବାଚିତ ହେଲେ ସେ ଆସନ୍ତା ୩ବର୍ଷ ପାଇଁ ଏହି ପଦବିରେ ରହିବେ। ମନମୋହନ ସାମଲ ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପିର ସଭାପତି ହେବାକୁ ଯାଉଛନ୍ତି। ୧୯୭୮- ୭୯ରେ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ଭାବେ ରାଜନୈତିକ ମଇଦାନରେ ପାଦ ଥାପିଥିବା ମନମୋହନ ୧୯୭୯-୮୧ ପର୍ଯ୍ୟନ୍ତ ଏବିଭିପି ରାଜ୍ୟ ସମ୍ପାଦକ, ୧୯୮୧-୮୨ରେ ଏବିଭିପିର ରାଜ୍ୟ ଉପସଭାପତି, ୧୯୮୩ରେ ଧାମନଗର ନିର୍ବାଚନମଣ୍ଡଳୀ ସଭାପତି, ୧୯୮୪ରେ ବାଲେଶ୍ବର ଜିଲ୍ଲା ସମ୍ପାଦକ, ୧୯୯୦-୯୨ ରାଜ୍ୟ ସମ୍ପାଦକ, ୧୯୯୨-୯୯ ରାଜ୍ୟ ସାଧାରଣ ସମ୍ପାଦକ,୧୯୯୯-୨୦୦୪ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ହୋଇଥିଲେ। ଏହି ସମୟରେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ସରକାର ହୋଇଥିଲା।୨୦୦୦ରେ ରାଜ୍ୟସଭା ସାଂସଦ ହୋଇଥିବା ମନମୋହନ ୨୦୦୪ରେ ଧାମନଗରରୁ ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ। ୨୦୨୩ରେ ପୁଣି ରାଜ୍ୟ ବିଜେପିର ସଭାପତି ହୋଇଥିଲେ। ମନମୋହନଙ୍କ ନେତୃତ୍ବରେ ବିଜେପି ୨୦୨୪ ସାଧାରଣ ନିର୍ବାଚନ ଲଢ଼ିଥିବାବେଳେ ରାଜ୍ୟରେ ଏକାକୀ ସରକାର ଗଠନ କରିଥିଲା। ଯଦିଓ ନିର୍ବାଚନରେ ସେ ନିଜେ ପରାସ୍ତ ହୋଇଥିଲେ, ତେବେ ବିଜେପି ଶାସନକୁ ଆସିଥିବାରୁ ଦଳରେ ମନମୋହନଙ୍କ ଗୁରୁତ୍ବ ବଢ଼ିବାରେ ଲାଗିଥିଲା। ଆଗକୁ ୨୦୨୭ରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ହେବାକୁ ଥିବାରୁ ଦଳର ହାଇକମାଣ୍ଡ ପୁଣି ମନମୋହନଙ୍କୁ ନେତୃତ୍ବ ଭାର ଦେଇଛନ୍ତି। ଏହି ତିନି ବର୍ଷ କାର୍ଯ୍ୟକାଳ ପୂରଣ ହେଲେ ମନମୋହନ ଓଡ଼ିଶା ବିଜେପିର ସବୁଠୁ ଅଧିକ ସମୟ କାର୍ଯ୍ୟ କରିଥିବା ରାଜ୍ୟ ସଭାପତି ହେବେ।