ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଦଳର ରାଜ୍ୟ ସଭାପତି ଦାୟିତ୍ବ, ମିଳିଛି। ସେ ସମୀର ମହାନ୍ତିଙ୍କ ସ୍ଥାନରେ ଏହି ଦାୟିତ୍ବ ନିର୍ବାହ କରିବେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି।
ସୂଚନାଯୋଗ୍ୟ, ମନମୋହନ ସାମଲ ୧୯୫୯ ମସିହାର ଅପ୍ରେଲ ମାସ ୧୫ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। କଳା ଏବଂ ଓକିଲାତିରେ ସ୍ନାତକ ଶ୍ରୀ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ ସେ ଭଦ୍ରକ କଲେଜରେ ପାଠ ପଢ଼ୁଥିବାବେଳେ ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ଏବିଭିପିର ସଦସ୍ୟ ହୋଇଥିଲେ। ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ସେ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି। ସେ ୨୦୦୪ ମସିହାରେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ମନମୋହନ ୨୦୦୪ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ବିଜେପି-ବିଜେଡି ମେଣ୍ଟ ଥିବା ବେଳେ ସେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ସେ ରାଜସ୍ୱ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହାଛଡ଼ା ମନମୋହନ ସାମଲ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।
ସଭାପତି ଭାବେ ନିଯୁକ୍ତ ହେବା ପରେ ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିଛି। ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ଲଢ଼ିବ ବିଜେପି। ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଶାସନ ଚାଲିଛି, ତାକୁ ୨୦୨୪ରେ ପରିବର୍ତ୍ତନ କରାଯିବ।ଲୋକଙ୍କ ଅପେକ୍ଷା ରହିଛି ବିକଳ୍ପ ସରକାର, ଆମେ ସେହି ବିକଳ୍ପ ଦେବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/98a8654a-1d71-416f-82ac-b5f9244ab0cc.jpg)