ଅଜିତ ମିଶ୍ରଙ୍କ ବହି ଉନ୍ମୋଚନ କଲେ ମନମୋହନ ସିଂହ

ସମ୍ବଲପୁର: ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଅଜିତ ମିଶ୍ରଙ୍କ ସଂପାଦିତ ଆଉ ଏକ ଉପାଦେୟ ପୁସ୍ତକ ଇତିମଧ୍ୟରେ ଲୋକାର୍ପିତ ହୋଇଛି। ଯୁକ୍ତରାଜ୍ୟର ବାଥ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଜିତ ମିଶ୍ର ଓ ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ତ୍ରିଦିବ ରୟଙ୍କ ଯୁଗ୍ମ ସଂପାଦନାରେ ପ୍ରସିଦ୍ଧ ଅକ୍ସଫୋର୍ଡ ପ୍ରେସ ଦ୍ୱାରା ପ୍ରକାଶିତ ୪୧୬ ପୃଷ୍ଠାର ‘ମାର୍କେଟ୍ସ, ଗଭର୍ନାନ୍ସ ଆଣ୍ଡ ଇନ୍‌ଷ୍ଟିଚ୍ୟୁସନ୍ସ ଇନ ଦ ପ୍ରସେସ ଅଫ ଇକନମିକ ଡେଭେଲପମେଣ୍ଟ’ (ଆର୍ଥିକ ବିକାଶ ପ୍ରକ୍ରିୟାରେ ବଜାର, ଶାସନ ଓ ବ୍ୟବସ୍ଥା) ପୁସ୍ତକଟିକୁ ଦିଲ୍ଲୀ ସ୍କୁଲ ଅଫ୍‌ ଇକନମିକ୍ସର ସ୍ୱାମୀ ବିବେକାନନ୍ଦ ହଲରେ ପୂର୍ବ ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଡ.ମନମୋହନ ସିଂହ ଉନ୍ମୋଚନ କରିଥିଲେ। ଅନ୍ତର୍ଜାତୀୟ ଅର୍ଥନୀତି ସଂଘର ସଭାପତି, ବିଶ୍ୱବ୍ୟାଙ୍କର ପୂର୍ବତନ ମୁଖ୍ୟ ଅର୍ଥଶାସ୍ତ୍ରୀ, ଗତ ଉପା-୨ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପ୍ରଫେସର କୌଶିକ ବସୁଙ୍କ ୬୫ତମ ଜୟନ୍ତୀ ଅବସରରେ ଦିଲ୍ଲୀ ସ୍କୁଲ ଅଫ୍‌ ଇକନମିକ୍ସ ଓ ସେଣ୍ଟର ଫର ଡେଭେଲପମେଣ୍ଟ ଇକନମିକ୍ସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ନୋବେଲ ପୁରସ୍କାରପ୍ରାପ୍ତ ଅର୍ଥଶାସ୍ତ୍ରୀ ଜୋ’ଷ୍ଟିଜ୍‌ଲିଜ, ପ୍ରଫେସର ବାସୁ ଓ ତ୍ରିଦିବ ରୟ ମଧ୍ୟ ମଂଚାସୀନ ଥିଲେ।
ସୂଚନାଯୋଗ୍ୟ, ୧୯୭୮ ମସିହାରେ ବଲାଂଗୀର ପୃଥ୍ଵୀରାଜ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଶ୍ଚିମ ଓଡ଼ିଶାର ଏହି କୃତୀ ସନ୍ତାନ ବଲାଂଗୀରର ଜଣାଶୁଣା ରାଜନେତା ସୂର୍ଯ୍ୟଭାନୁ ମିଶ୍ରଙ୍କ ପୁତ୍ର ଅଟନ୍ତି।

ସମ୍ବନ୍ଧିତ ଖବର