ବ୍ରଜରାଜନଗର: ଜନ୍ମରୁ ସବୁ କିଛି ଠିକ୍ ଥିଲା। ପାଠ ପଢ଼ିବେ, ଭଲ ଚାକିରି କରିବେ ଆଉ ବିବାହ କରି ସୁଖର ସଂସାର କରିବେ ବୋଲି ସ୍ବପ୍ନ ଦେଖିଥିଲେ। ମାତ୍ର ବିଧିର ବିଧାନ ଥିଲା ଭିନ୍ନ ପ୍ରକାର। କଲେଜ ପଢ଼ିବା ସମୟରେ କୌଣସି କାରଣରୁ ସେ ଦୃଷ୍ଟିଶକ୍ତି ହରାଇ ବସିଲେ। ସବୁ ସ୍ବପ୍ନ ତାଙ୍କର ଧୂଳିସାତ ହୋଇଗଲା। ସଂସାର ଗଢ଼ିବେ କ’ଣ ସେ ନିଜ ପରିବାର ଲାଗି ବୋଝ ପାଲଟି ଗଲେ। ଦୁଃଖ ପରେ ସୁଖ ଆସବା ନ୍ୟାୟରେ ତାଙ୍କ ଜୀବନରେ ମଧ୍ୟ ଉଦୟ ହେଲା ନୂଆ ସୂର୍ଯ୍ୟ। ମିଳିଗଲେ ତାଙ୍କ ମନର ମଣିଷ। ବିବାହ ବେଦିରେ ବସିଲେ। ହସ୍ତଗଣ୍ଠି ପଡ଼ିଲା। ଦୃଷ୍ଟିଶକ୍ତି ହରାଇ ବସିଥିଲେ ମଧ୍ୟରେ ଜଣେ ହୃଦୟବାନ ବ୍ୟକ୍ତିଙ୍କ ସହଧର୍ମିଣୀ ପାଲଟିଲେ। ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିଲେ ମଧ୍ୟ ଏହା ଏକ ବାସ୍ତବ ଜୀବନର କାହାଣୀ। ବ୍ରଜରାଜନଗର ମା’ ରାମଚଣ୍ଡୀ ମନ୍ଦିର ସଭାଗୃହରେ ଆଜି ଅନୁଷ୍ଠିତ ହୋଇଥିଲା ଏପରି ଏକ ଚର୍ଚ୍ଚିତ ଓ ଆଦର୍ଶ ବିବାହ। ଦୃଷ୍ଟିଶକ୍ତି ନଥିବା ଜଣେ ଯୁବତୀ ସୁଜାତାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଯୁବକ ମନମୋହନ ପଟ୍ଟନାୟକ। ତେବେ ଏହି ବିବାହ ଲାଗି ମନମୋହନଙ୍କୁ ୩ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ସୁଜାତାଙ୍କ ହୃଦୟ ଜିଣିବା ପରେ ତାଙ୍କୁ ପତ୍ନୀ ରୂପରେ ଗ୍ରହଣ କରିଥିଲେ।
ଏଥର ଜଣିବା ପୂରା କାହାଣୀ। ସୁଜାତାଙ୍କ ପରିବାର ଏକ ଅଭିଶପ୍ତ ପରିବାର କହିଲେ ଅତ୍ୟୁକ୍ତି ହେବ ନାହିଁ। ବ୍ରଜରାଜନଗର ପୌରାଞ୍ଚଳ ୨ ନମ୍ବର ୱାର୍ଡର ଠାକୁରପଡ଼ାରେ ରୁହନ୍ତି ତାଙ୍କ ପରିବାର। ଭାଇ ଭଉଣୀ ମିଶି ୫ଜଣ। ବାପା ଦ୍ବିତୀୟ ବଢ଼ାଇଙ୍କ ବହୁଦିନ ତଳୁ ପରଲୋକ ହୋଇଯାଇଛି। ମା’ କିଆଫୁଲ ପିଲାମାନଙ୍କୁ ବଡ଼ କରିଛନ୍ତି। ଦୁର୍ଭାଗ୍ୟର କଥା ସେମାନଙ୍କ ଭିତରୁ ୨ ଭାଇ ଓ ସୁଜାତା ଦୃଷ୍ଟିଶକ୍ତି ହରାଇ ବସିଛନ୍ତି। ସୁଜାତା ବ୍ରଜରାଜନଗର କଲେଜରେ ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା ଦେଇ ପାରି ନଥିଲେ। ସେ ସମୟରେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯାଇଥିଲା। ଅନ୍ୟ ଦୁଇ ଭାଇଙ୍କର ମଧ୍ୟ ଦୃଷ୍ଟିଶକ୍ତି ଯୁବାବସ୍ଥାରେ ଚାଲି ଯାଇଥିଲା। ଘରେ ସୁଜାତାଙ୍କୁ ଛାଡ଼ିଦେଲେ ସମସ୍ତେ ବିବାହିତ।
/sambad/media/post_attachments/wp-content/uploads/2022/06/ma-300x135.jpg)
ସୁଜାତା ଯୁକ୍ତ ୩ ପଢିବା ସମୟରେ ବିବାହ ଲାଗି ବର ଓ କନ୍ୟା ଯୋଗାଡ଼ କରୁଥିବା ଏକ ୱେବ୍ସାଇଟ୍ରେ ନିଜର ଏକ ପ୍ରୋଫାଇଲ ଦେଇଥିଲେ। ତେବେ ସେ ଦୃଷ୍ଟିଶକ୍ତି ହରାଇବା ପରେ ବିବାହଠାରୁ ଦୂରେଇ ଯାଇଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ମନମୋହନ ପଟ୍ଟନାୟକ ମଧ୍ୟ ବିବାହ ପାଇଁ ସେହି ସାଇଟ୍ରେ ପ୍ରୋଫାଇଲ ଦେଇଥିଲେ। ମନମୋହନଙ୍କ ସୁଜାତାଙ୍କ ପ୍ରୋଫାଇଲ ପସନ୍ଦ ଆସିଥିଲେ। ସେ ତାଙ୍କ ମୋବାଇଲ ନମ୍ବର ସୁଜାତାଙ୍କୁ ଦେଇଥିଲେ। ପରିବାର ଲୋକ ମଧ୍ୟ ଏହି ପ୍ରସ୍ତାବ ଉପରେ କଥା ହେବାକୁ ସୁଜାତାଙ୍କୁ କହିଥିଲେ। ସୁଜାତା ମନମୋହନଙ୍କ ସହିତ କଥା ହୋଇଥିଲେ ମଧ୍ୟ ସେ ଯେ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି ସେ ବିଷୟରେ କହି ନଥିଲେ। ତେବେ କଥାବାର୍ତ୍ତା ମଧ୍ୟରେ ମନମୋହନ ସୁଜାତାଙ୍କୁ ହୃଦୟ ଦେଇ ବସିଥିଲେ। ଅନ୍ୟପକ୍ଷରେ ନିଜର ଦୃଷ୍ଟିଶକ୍ତି ଲାଗି ସେ ମନମୋହନଙ୍କୁ ଅଣଦେଖା କରୁଥିଲେ। ଶେଷରେ ସୁଜାତା ନିଜର ସମସ୍ୟା କହିବା ସହ ବିବାହ ସମ୍ଭବ ନୁହେଁ ବୋଲି ଜଣାଇ ଦେଇଥିଲେ।
ଏହାକୁ ମନମୋହନ କିନ୍ତୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ସେ ବାରମ୍ବାର ସୁଜାତାଙ୍କ ସହିତ ଯୋଗାଯୋଗ ରକ୍ଷା କରିଥିଲେ। ବିବାହ ପ୍ରସ୍ତାବ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ପ୍ରାୟ ୨ ବର୍ଷ ଏମିତି ଚାଲିବା ପରେ ଶେଷରେ ସୁଜାତାଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଥିଲେ ମନମୋହନ। ସେମାନେ ପରସ୍ପରକୁ ଦେଖିବା ପରେ ଉଭୟଙ୍କ ଘର ଲୋକ ମଧ୍ୟ ରାଜି ହୋଇଥିଲେ। ଦିନ ଓ ତିଥି ଅନୁସାରେ ମନମୋହନ ବନ୍ଧୁ ବାନ୍ଧବ ଓ ସାଙ୍ଗମାନଙ୍କୁ ଧରି ଶୁକ୍ରବାର ବ୍ରଜରାଜନଗରରେ ବର ବେଶରେ ପହଞ୍ଚିଥିଲେ। ମା’ ରାମଚଣ୍ଡୀ ମନ୍ଦିର ସଭାଗୃହରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ସୁଜାତାଙ୍କ କହିବା ଅନୁଯାୟୀ ମନମୋହନ ୨ ବର୍ଷ ହେବ ତାଙ୍କୁ ବିବାହ କରିବାକୁ ଚେଷ୍ଟା କରିଥିଲେ। ମନମୋହନଙ୍କ ଭଲପାଇବା ଓ ନିଃସ୍ୱାର୍ଥପର ମନୋଭାବ ତାଙ୍କ ହୃଦୟକୁ ଛୁଇଁଥିଲା। ଅନ୍ୟପକ୍ଷରେ ବିବାହକୁ ନେଇ ସେ ବେଶ ଖୁସି ଥିବା କହିଛନ୍ତି ମନମୋହନ। ତାଙ୍କ ପ୍ରେମର ଜୟ ହୋଇଛି ବୋଲି କହିଥିଲେ। ସୁଜାତା ଶିକ୍ଷିତ, ସେ ତାଙ୍କ ପାଇଁ ଉତ୍ତମ ଗୃହିଣୀ ଓ ସହଯୋଗୀ ହୋଇ ପାରିବେ ବୋଲି ତାଙ୍କର ବିଶ୍ବାସ ରହିଛି ବୋଲି କହିଥିଲେ। ତାଙ୍କ ଆଖିରେ ସୁଜାତା ଦୁନିଆ ଦେଖିବେ। ବୁଦ୍ଧିରେ ମନମୋହନଙ୍କ ସଂସାର ନୌକାକୁ ବାହିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/marriage-ddd.jpg)