ବାଲେଶ୍ୱର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ କୋଅପରେଟିଭ୍‌ ସୋସାଇଟିର ଟଙ୍କା ବିଜେପି ରାଜ୍ୟ ମୁଖ୍ୟଙ୍କ ଖାତାକୁ ଯାଇଥିବା ନେଇ ବିଜେଡି ନେତା ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀ ଦେଇଥିବା ମନ୍ତବ୍ୟ ଭିନ୍ନମୋଡ଼ ନେଇଛି। ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ନିଜର ପକ୍ଷ ରଖିବା ସହିତ ଆଇନଜୀବୀ ସୀତାଂଶୁ ଦ୍ବିବେଦୀଙ୍କ ବିରୋଧରେ ମାନହାନି ମକଦ୍ଦମା କରିଛନ୍ତି।  ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ କୋଅପରେଟିଭ୍‌ ସୋସାଇଟିର ୧୦୦ କୋଟିରୁ ଅଧିକ ଟଙ୍କା ଆର୍ଥିକ ହେରଫେର ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ ହୋଇଛି।

Advertisment

ଆକାଉଣ୍ଟକୁ କୋଟିଏ ଟଙ୍କା ଯାଇଥିବା କହିଥିଲେ
କୋର୍ଟରେ ପକ୍ଷ ରଖିଲେ ରାଜ୍ୟ ବିଜେପି ସଭାପତି

ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ବିଜେଡି ନେତା ରାଜା ଚକ୍ରଙ୍କ ଓକିଲ ଶ୍ରୀ ଦ୍ବିବେଦୀ ଗତ ଏପ୍ରିଲ ୩ ତାରିଖ ଦିନ ଗଣମାଧ୍ୟମକୁ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ସେ କହିଥିଲେ, ବିଜେପି ରାଜ୍ୟ ମୁଖ୍ୟଙ୍କୁ ୧ କୋଟି ୩ ଲକ୍ଷ ଟଙ୍କା ଦିଆଯାଇଛି, ଯାହାକୁ ନେଇ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ତେବେ, ଏହି ଅଭିଯୋଗକୁ ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ ଖଣ୍ଡନ କରିଥିଲେ।  ଆଜି ଶ୍ରୀ ସାମଲ ବାଲେଶ୍ୱରରେ ପହଞ୍ଚି ଏସ୍‌ଡିଜେଏମ୍‌ ଅଦାଲତରେ ଆଇନଜୀବୀ ଶ୍ରୀ ଦ୍ବିବେଦୀଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିବା ଜଣାପଡ଼ିଛି। ଏଥିସହିତ, ଅଦାଲତରେ ରୁଜୁ ହୋଇଥିବା ମାମଲା ନମ୍ବର ୨୫/୨୫ରେ ସେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି।  

ଶ୍ରୀ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ବିଜେପି ଓ ବ୍ୟକ୍ତିଗତ ଭାବେ ତାଙ୍କୁ ବଦ୍‌ନାମ କରିବା ଅଥବା ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ହୁଏତ ଶ୍ରୀ ଦ୍ବିବେଦୀ ଏଭଳି କହିଥାଇପାରନ୍ତି। କୌଣସି ଅଭିଯୋଗ କିମ୍ବା ଖବର ପ୍ରକାଶନ ପୂର୍ବରୁ ସତ୍ୟାସତ୍ୟ ଅନୁଧ୍ୟାନ କରିବା ଉଚିତ ବୋଲି ସେ କହିଥିଲେ।