ଭୁବନେଶ୍ୱର : ରେଡିଓରେ ପ୍ରସାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍‌ କୀ ବାତ୍‌’ ଏକ ଅନନ୍ୟ କାର୍ଯ୍ୟକ୍ରମ। ଦେଶ ଓ ଦେଶବାସୀଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତ ଏହି କାର୍ଯ୍ୟକ୍ରମ ଶହେତମ ଅଧ୍ୟାୟରେ ପହଞ୍ଚିଛି। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନିଜର ବିଚାର, ଚିନ୍ତାଧାରା, ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ମ ନୋଭାବ ନେଇ କୋଟି କୋଟି ଭାରତୀୟଙ୍କ ସହିତ ଯୋଡ଼ି ହୋଇ ଯାଇଛନ୍ତି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି।

Advertisment

ରବିବାର ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମର ଶହେ ତମ ଅଧ୍ୟାୟ ଅବସରରେ ସ୍ୱତନ୍ତ୍ର ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରସାର ଭାରତୀ, ପତ୍ର ସୂଚନା ବ୍ୟୁରୋ କାର୍ଯ୍ୟାଳୟ ଓ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କଠାରୁ ବିଭିନ୍ନ ପ୍ରସଙ୍ଗରେ ପ୍ରସ୍ତାବ, ପରାମର୍ଶ, ମତାମତ ଆହ୍ୱାନ କରି ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରନ୍ତି। ଏହା ଏକ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିଚୟ। ସ୍ୱାଧୀନତାର ୭୫ ବର୍ଷ ଗର୍ବ ଓ ଆହ୍ୱାନର ସମୟ। ଆଗାମୀ ପଚିଶ ବର୍ଷ ସମସ୍ତଙ୍କ ପାଇଁ ଅମୃତକାଳ। ଏଣୁ ରାଷ୍ଟ୍ରର ଶତବାର୍ଷିକୀ ପାଳନକୁ ସ୍ମରଣୀୟ କରିବା ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ।

publive-image

‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବା ରାଜ୍ୟର ବ୍ୟକ୍ତିତ୍ୱ ସମସ୍ତଙ୍କ ପାଇଁ ପ୍ରେରଣା। ଜନଜାତି ସଂପ୍ରଦାୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅନେକ ଯୋଜନା କରିଛନ୍ତି। ବିର୍ସା ମୁଣ୍ଡାଙ୍କ ଜନ୍ମଦିବସକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବା ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ପରିଚୟ। ଏହି ସମ୍ପ୍ରଦାୟରୁ ଅନେକଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାରରେ ଅଳଙ୍କୃତ କରାଯିବା ଫଳରେ ଜନଜାତି ସମୁଦାୟଙ୍କ ଗୌରବ ବୃଦ୍ଧି ହୋଇଛି। ଏହି କାର୍ଯ୍ୟକ୍ରମରେ ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତା ରହିଛି। ଜନଭାଗୀଦାରି ମଧ୍ୟରେ ରାଷ୍ଟ୍ରଗଠନ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ସମସ୍ତେ ଅନୁପାଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପିଆଇବି ଓ ସିବିସି, ଭୁବନେଶ୍ୱରର ଯୁଗ୍ମ ନିର୍ଦ୍ଦେଶକ ଡ. ଗିରୀଶ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଉପମହାନିର୍ଦ୍ଦେଶକ (କାର୍ଯ୍ୟକ୍ରମ) ରିଜ୍‌ୱାନ୍‌ ଅଖତାର ଧନ୍ୟବାଦ ଦେଇଥିଲେ। ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବା ରାଜ୍ୟର କୁନି ଦେହୁରୀ, ଅମରେଶ ସାମନ୍ତ, ରାହୁଲ ମହାରଣା ଓ ବିଜୟ କୁମାର କବି ନିଜର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ଏକ ଫଟୋ ପ୍ରଦର୍ଶନୀକୁ ରାଜ୍ୟପାଳ ଉଦ୍‌ଘାଟନ କରିଥିଲେ। ଏଥିରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ଉନ୍ନୟନ କମିସନର ଅନ୍ନୁ ଗର୍ଗ, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

‘ସମ୍ବାଦ’କୁ ପ୍ରଶଂସା
ଭୁବନେଶ୍ବର : ରବିବାର ଦିନ ରାଜଭବନରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମର ଶହେତମ ଅଧ୍ୟାୟ ଅବସରରେ ଆୟୋଜିତ ସ୍ୱତନ୍ତ୍ର ପ୍ରସାରଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ‘ସମ୍ବାଦ’ ଓ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ସାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରି ‘ସମ୍ବାଦ’ ମାଇଲ୍‌ ଖୁଣ୍ଟ ସ୍ଥାପନ କରିଛି। ଏଭଳି କାର୍ଯ୍ୟକ୍ରମ ଦ୍ବାରା ପ୍ରତ୍ୟେକଙ୍କ ପାଖରେ ଏହି ଆଜାଦୀ କା ଅମୃତ ମହୋତ୍ସବର ବାର୍ତ୍ତା ପହଞ୍ଚି ପାରିଥିବାରୁ ଉଭୟ ପ୍ରସଂଶାର ପାତ୍ର ବୋଲି ସେ କହିଥିଲେ।