ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ: ଖୁବ୍‌ଶୀଘ୍ର ପ୍ରାଶାସନିକ ଅଦଳବଦଳ

ଭୁବନେଶ୍ବର: ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ମନୋଜ ଆହୁଜା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆସନ୍ତା ୩୦ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଦାୟିତ୍ବ ଗ୍ରହଣ କରିବେ। ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ ବୋଲି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପାଖାପାଖି ୪ ଦଶନ୍ଧି ପରେ ଜଣେ ଅଣଓଡ଼ିଆ ଆଇଏଏସ୍‌ ଅଧିକାରୀ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହେବାକୁ ଯାଉଛନ୍ତି।

ଶ୍ରୀ ଆହୁଜା ରାଜ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଜଣେ ଦକ୍ଷ, ଅମାୟିକ, ନିରପେକ୍ଷ ଓ ସଚ୍ଚୋଟ ଅଧିକାରୀ ଭାବେ ତାଙ୍କର ପରିଚିତି ରହିଛି। ସେ ୨୦୧୭ ମସିହାରୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ। ସେଠାରେ ସେ ବିଭିନ୍ନ ବିଭାଗରେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସିବିଏସ୍‌ଇର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏବେ ସେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିଲା ପରେ ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ଗତ ୨୪ ତାରିଖରେ କ୍ୟାବିନେଟ୍‌ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଥିଲା। ଶ୍ରୀ ଆହୁଜାଙ୍କ ପତ୍ନୀ ଆରତୀ ଆହୁଜା ଓଡ଼ିଶା କ୍ୟାଡର୍‌ର ଆଇଏଏସ୍‌ ଅଧିକାରୀ। ସେ ମଧ୍ୟ ୨୦୧୭ ମସିହାରୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇ ଶ୍ରମ ମନ୍ତ୍ରଣାଳୟର ସଚିବ ଥିଲା ବେଳେ ଗତ ଫେବ୍ରୁଆରି ମାସରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଶ୍ରୀ ଆହୁଜାଙ୍କ ଘର ହରିଆନାରେ। ଆସନ୍ତା ଡିସେମ୍ବର ମାସରେ ସେ ଚାକିରୁ ଅବସର ନେବେ। ତେବେ ତାଙ୍କର କାର୍ଯ୍ୟକାଳ ବଢ଼ିପାରେ ବୋଲି ପ୍ରଶାସନିକ ମହଲରେ ଅନୁମାନ କରାଯାଉଛି।
ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପି କେ ଜେନା ୧୯୮୯ ବ୍ୟାଚ୍‌ର ଅଧିକାରୀ। ତାଙ୍କ ପରେ ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ରେ ୫ ଜଣ ଅଧିକାରୀ ଅଛନ୍ତି। ସେମାନେ ହେଲେ ମନୋଜ ଆହୁଜା, ନୀତିନ ଚନ୍ଦ୍ରା, ସଞ୍ଜୀବ ଚୋପ୍ରା, ଆରତୀ ଆହୁଜା (ଅବସର ନେଇସାରିଛନ୍ତି) ଓ ଜି ଶ୍ରୀନିବାସ। ସମ‌ସ୍ତେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଶ୍ରୀ ଆହୁଜାଙ୍କ ଉପରେ ରାଜ୍ୟ ସରକାର ଭରସା ସ୍ଥାପନ କରି ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ପଦବିରେ ଅବସ୍ଥାପିତ କରିଛନ୍ତି।

ଶ୍ରୀ ଜେନା ଓ ଶ୍ରୀ ଆହୁଜାଙ୍କ ଠାରୁ ବରିଷ୍ଠ ଥିବା ୧୯୮୭ ବ୍ୟାଚ୍‌ର ଦୁଇ ଜଣ ଅଧିକାରୀ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି। ସେମାନେ ହେଲେ ତୁହିନକାନ୍ତ ପାଣ୍ଡେ ଓ ରାଜେଶ ବର୍ମା। ସେହିପରି ୧୯୮୮ ବ୍ୟାଚ୍‌ର ସି ଜେ ବେଣୁଗୋପାଳ ଏବେ କେବିକେ ମୁଖ୍ୟ ପ୍ରଶାସକ ଅଛନ୍ତି। ୧୯୮୮ ବ୍ୟାଚ୍‌ର ଆଉ ଜଣେ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଗତ ମେ’ ମାସରେ ଚାକିରିରୁ ଅବସର ଗ୍ରହଣ କରିସାରିଛନ୍ତି। ଶ୍ରୀ ଆହୁଜା ଦାୟିତ୍ବ ନେଲା ପରେ ପ୍ରଶାସନରେ ଏକ ବଡ଼ ଧରଣର ଅଦଳବଦଳ ‌ହେବ। ଉନ୍ନୟନ କମିସନରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ବଦଳିବାର ସମ୍ଭାବନା ରହିଛି।

 

ସମ୍ବନ୍ଧିତ ଖବର