ବ୍ରହ୍ମପୁର : ଗିନିଜ୍ ବୁକ୍ରେ ସ୍ଥାନିତ ତିନିଟି ରେକର୍ଡ଼କୁ ଭାଂଗିବାରେ ଆଜି ଗଂଜାମ ଜିଲ୍ଲାର ମନୋଜ ମହାରଣା ସକ୍ଷମ ହୋଇଛନ୍ତି। ପାଟିରେ ଏକସଂଗେ ୦.୬୪ ବ୍ୟାସ ବିଶିଷ୍ଟ ୫୩୩ ଷ୍ଟ୍ରକୁ ୩୦ସେକେଣ୍ଡ ପର୍ଯ୍ୟନ୍ତ ଧରି ନୂଆ ବିଶ୍ୱ କୀତ୍ତିମାନ ସ୍ଥାପନ କରିଛନ୍ତି ମନୋଜ। ୨୦୧୧ ମସିହାରେ ମୁମ୍ବାଇର ଗଣେଶ ରିଷି ସର୍ବାଧିକ ୪୯୬ଟି ଷ୍ଟ୍ର ପାଟିରେ ଧରି ଗିନିଜ୍ ବୁକ୍ରେ ସ୍ଥାନିତ ହୋଇଥିଲେ। ସେହିପରି ୪୦ଟି ଜଳନ୍ତା କ୍ୟାଣ୍ଡେଲକକୁ ୪୦ସେକେଣ୍ଡ ପର୍ଯ୍ୟନ୍ତ ପାଟିରେ ଧରି ରଖି ମନୋଜ ପୂର୍ବ ଗିନିଜ୍ ରେକର୍ଡ଼କୁ ଭାଂଗିଥିଲେ। ମୁମ୍ବାଇର ଦୀନେଶ ଶିବନାଥ ଉପାଧ୍ୟାୟଙ୍କ ନାମରେ ପୂର୍ବରୁ ଏହି କୀର୍ତ୍ତିମାନ(୩୭କ୍ୟାଣ୍ଡେଲ୍, ୩୦ସେକେଣ୍ଡ) ଥିଲା। ସେହିପରି ଦୀନେଶଙ୍କ ନାମରେ ଥିବା ଅନ୍ୟ ଏକ କୀର୍ତ୍ତିମାନକୁ ମଧ୍ୟ ମନୋଜ ଆଜି ଭାଂଗିଥିଲେ। ସେ ୬.୫ସେମି ବିଶିଷ୍ଟ ଏକ ଟୁଥ୍ପିକ୍କୁ ପାଟିରେ ଜିଭ ମାଧ୍ୟମର ଗୋଟିଏ ମିନିଟ୍ରେ ୩୨ଥର ଭୂଲମ୍ବ ଭାବେ ୩୬୦ଂ ବୁଲାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗ୍ରାମର ଭଗବାନ ମହାରଣା ଏବଂ ଗୀତାଂଜଳି ମହାରଣାଙ୍କ ପୁଅ ମନୋଜ କୁମାର ଗଣିତରେ ସ୍ନାତକୋତ୍ତର ଲାଭ କରିଛନ୍ତି। ମନୋଜ ସମାନ ଲମ୍ବର ଟୁଥ୍ପିକ୍କୁ ଗୋଟିଏ ମିନିଟ୍ରେ ୪୨ଥର ପାଟିରେ ବୁଲାଇବାକୁ ସକ୍ଷମ ହୋଇଥିଲେ। ବ୍ରହ୍ମପୁର ଅନନ୍ତନଗର ସ୍ଥିତ ଏକ ଘରୋଇ କମ୍ପ୍ୟୁଟର୍ ଅନୁଷ୍ଠାନରେ ବ୍ରହ୍ମପୁର ତହସିଲଦାର ଦୟାମୟ ପାଢ଼ୀ, ବାଣିଜ୍ୟକର ଏବଂ ଜିଏସଟି ସହ କମିସନର୍ ବିଭୁଦତ୍ତ ଆଚାରୀ, ବିଡିଏ ସଚିବ ସମ୍ବିତ୍ କୁମାର ରାଉତ ଏବଂ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ହୃଷୀକେଶ ପାଣିଗ୍ରାହୀ ପ୍ରମୁଖଙ୍କ ଉପସ୍ଥିତିରେ ମନୋଜ ନିଜର ଏହି ସବୁ କଳା କୌଶଳ ପ୍ରଦର୍ଶନ କରିଥିଲେ। ଏହାର ଉତ୍ତୋଳିତ ଭିଡିଓକୁ ଗିନିଜ୍ ବୁ୍କ୍ ଅଫ୍ ରେକର୍ଡ଼ରେ ସ୍ଥାନିତ ପାଇଁ ପଠାଇ ଆବେଦନ କରିବେ ବୋଲି ପ୍ରକାଶ କରିଛନ୍ତି।