ପୁଡ଼ୁଚେରୀ: ଓଡ଼ିଶାର ପ୍ରଥିତଯଶା ସାହିତ୍ୟିକ ପ୍ରଫେସର ମନୋଜ ଦାସଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ଭୂଷଣ ପୁରସ୍କାର ଦିଆଯିବା ନେଇ ଘୋଷଣା କରାଯିବା ପରେ ତାଙ୍କୁ ନେଇ କେବଳ ଓଡ଼ିଶା ନୁହେଁ ସେ ରହୁଥିବା କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ମଧ୍ୟ ଖୁସିର ଲହରି ଖେଳିଯାଇଛି। ପୁଡୁଚେରୀ ସରକାରଙ୍କ ପକ୍ଷରୁ ତାଙ୍କୁ ଆଜି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ୱାମୀ ଓ ଶିକ୍ଷାମନ୍ତ୍ରୀ କମଲାକାନନ ଶ୍ରୀ ଦାସଙ୍କ ବାସଭବନକୁ ଯାଇ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏ ସଂପର୍କରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଗତକାଲି ଉପରାଜ୍ୟପାଳ କିରଣ ବେଦୀ ରାଜଭବନରେ ପ୍ରଫେସର ଦାସଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିଲେ। ଏହାଛଡ଼ା ପଦ୍ମଶ୍ରୀ ପାଇଥିବା ଟେରାକୋଟା ଶିଳ୍ପୀ ଭି.କେ.ମୁନୁସ୍ୱାମୀଙ୍କୁ ମଧ୍ୟ ସେ ସମ୍ବର୍ଦ୍ଧନା ଦେଇଥିଲେ। ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜଭବନରେ ମନୋଜ ଦାସଙ୍କୁ ସମ୍ମାନିତ କରିବା କାର୍ଯ୍ୟକ୍ରମ ଥିଲା। ଏହି ସମାରୋହରେ ଉପ ରାଜ୍ୟପାଳ କିରଣ ବେଦୀ ଏବଂ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ବାମୀ ଉପସ୍ଥିତ ଥିଲେ। ମାତ୍ର ତାଙ୍କୁ ଏ ବିଷୟରେ ଅବଗତ କରାଯାଇ ନଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ସଭାସ୍ଥଳରୁ ଚାଲି ଆସିଥିଲେ। ଶ୍ରୀ ଦାସଙ୍କ ପ୍ରତି ଏହା ଅପମାନ ବୋଲି ଉପରାଜ୍ୟପାଳ କିରଣ ବେଦୀ କହିବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି କହିଥିଲେ।
ପୁଡ଼ୁଚେରୀରେ ମନୋଜ ଦାସଙ୍କୁ ସମ୍ବର୍ଦ୍ଧନା, ବାସଭବନକୁ ଯାଇ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ
/sambad/media/post_attachments/wp-content/uploads/2020/01/65d4jh97dhj56f4h56sf74h65sfhsfhsfhsfhsfhsfhsfh.jpg)