ଭୁବନେଶ୍ବର : ଐଶ୍ବରିକ ପ୍ରଗ୍ଳଭତା ତଥା ପାଗଳାମୀ ମିଷ୍ଟିସିଜିମ୍ ବା ରହସ୍ୟବାଦର ଏକ ଲକ୍ଷଣ। ଯେବେ ଏହା ମଧ୍ୟରେ ଜଣେ ସମ୍ପୂର୍ଣ୍ଣ ଆତ୍ମସ୍ଥ ହୋଇଯାଏ, ସେତେବେଳେ ସେ ଅନ୍ତଃସତ୍ତାରେ ସ୍ଥିର ହୋଇଯାଏ। ଏତିକିବେଳେ ହିଁ ପ୍ରକୃତ ଜ୍ଞାନର ସ୍ଫୁରଣ ହୁଏ। ମାତ୍ର ଅଜ୍ଞାନରୁ ଆମର ମହତ୍ ଦିବ୍ୟଗୁଣ ବିକୃତ ହୋଇଯାଇଛି। ଆମ ସମସ୍ତ ଦୁର୍ଗୁଣ ଏକ ସୁଗୁଣର ଅପଭ୍ରଂଶ ଓ ବିକୃତି ମାତ୍ର। ତେଣୁ ସଚେତନ ହୋଇ ଆମକୁ ତା’ର ସ୍ବରୂପକୁ ଫେରିଯିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଥିତଯଶା ଲେଖକ ପଦ୍ମଭୂଷଣ ମନୋଜ ଦାସ।
ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍ରେ ଆୟୋଜିତ ମିଷ୍ଟିକ୍ କଳିଙ୍ଗ ଉତ୍ସବକୁ ଉଦ୍ଘାଟନ କରି ଶ୍ରୀ ଦାସ କହିଲେ, ମିଷ୍ଟିକ୍ ସାହିତ୍ୟର ଅର୍ଥ ମାର୍ମିକ ସାହିତ୍ୟ। ପରାଶକ୍ତି ସମ୍ମତ ପ୍ରେରଣାରୁ ଯେଉଁ ସାହିତ୍ୟ ଉତ୍ପନ୍ନ ହୁଏ, ତାହା ମାର୍ମିକ ସାହିତ୍ୟ। ଏହି ରହସ୍ୟବାଦ ସମସ୍ତ କାଳ୍ପନିକତାଠାରୁ ଊର୍ଧ୍ବରେ। କୃତ୍ରିମତା ଭିତରେ ମଧ୍ୟ ନିରବ ଅନ୍ତଃସତ୍ତା ରହିଛି ବୋଲି ଜାଣିଲେ ହିଁ ତା ଭିତରୁ ମିଷ୍ଟିକ୍ କବିତା ସୃଷ୍ଟି ହେବ। ତେଣୁ ସବୁ କବିତା ମିଷ୍ଟିକ୍ କବିତା ନୁହେଁ। ବାହାର ଜଗତରେ ନିଜକୁ ଆବଦ୍ଧ ରଖି ଲେଖା ଯାଉଥିବା ଲେଖା ହୁଏତ ଶକ୍ତିଶାଳୀ କବିତା ହୋଇପାରେ; କିନ୍ତୁ ତାହା ମିଷ୍ଟିକ୍ କବିତା ହୋଇନପାରେ। ସେଥିରେ ଆଧ୍ୟାତ୍ମିକ ପ୍ରେରଣା ମିଳି ନପାରେ। ଏଥିସହ ଶ୍ରୀ ଦାସ ଶ୍ରୀଅରବିନ୍ଦଙ୍କ ମିଷ୍ଟିକ୍ ମହାକାବ୍ୟ ‘ସାବିତ୍ରୀ’କୁ ଅନୁବାଦ କରୁଥିବା ମଧ୍ୟ ଏହି ଅବସରରେ ସୂଚନା ଦେଇଥିଲେ।ଏହି ଅବସରରେ ‘ଓଡ଼ିଶା ଡାଏରି ଫାଉଣ୍ଡେସନ୍’ ପକ୍ଷରୁ ଶ୍ରୀ ଦାସଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ଚଳିତ ବର୍ଷର ମିଷ୍ଟିକ୍ କଳିଙ୍ଗ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଜ୍ଞାନଠୁ ଭକ୍ତି ଉଚ୍ଚ ସୋପାନରେ ସ୍ଥାପିତ। ସାତ୍ତ୍ବିକ ଭକ୍ତି ଧେୟ ହେଲେ ହିଁ ପରମଗତି ପ୍ରାପ୍ତି ସମ୍ଭବ। କାମ, କ୍ରୋଧ, ଲୋଭକୁ ବର୍ଜନ କଲା ପରେ ମଣିଷ ଭକ୍ତି ସ୍ତରକୁ ଆସିପାରିବ ବୋଲି ସେ କହିଥିଲେ। ବରେଣ୍ୟ ଅତିଥି ପ୍ରଖ୍ୟାତ କବି ରମାକାନ୍ତ ରଥ କହିଲେ, ବହୁ କାଳଜୟୀ ସାର୍ଥକ ସ୍ରଷ୍ଟାଙ୍କ ବହି ଏବେ ଉପଲବ୍ଧ ହେଉନାହିଁ। ତେଣୁ ରାଜ୍ୟ ସରକାର ଓ ସାହିତ୍ୟ ଏକାଡେମି ଏ ଦିଗରେ ଗୁରୁତ୍ବ ଦେବା ଉଚିତ। ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ କହିଲେ, ସାହିତ୍ୟର ମୂଳ ଉତ୍ସ ଆଧ୍ୟାତ୍ମିକତା। ଯାହା ସଭିଙ୍କ ମଙ୍ଗଳ ଚାହେଁ। ତେଣୁ ଯାହା ଲେଖା ହୋଇଯାଏ, ତାହା ସବୁ ସାହିତ୍ୟ ହୋଇପାରେନା। ହିନ୍ଦୀ ଭାଷାର ବିଶିଷ୍ଟ କବି ପୁରୁଷୋତ୍ତମ ଅଗ୍ରୱାଲ୍ ମଧ୍ୟ ବକ୍ତବ୍ୟ ରଖିଥିଲେ। ସଭାରେ ମିଷ୍ଟିକ୍ କଳିଙ୍ଗ ମହୋତ୍ସବର ମୁଖ୍ୟ ରଶ୍ମିରଂଜନ ପରିଡ଼ା ସ୍ବାଗତ ଭାଷଣ ରଖିଥିବା ବେଳେ ଯୁବ ଗାଳ୍ପିକ ଦେବାଶିଷ ସାମନ୍ତରାୟ ପ୍ରାରମ୍ଭିକ ଅଭିବ୍ୟକ୍ତି ରଖିଥିଲେ। ଏହା ପରେ ଅନ୍ୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହା ସହ ମିଷ୍ଟିକ୍ ମାଇକ୍ କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ ହୋଇଥିଲା।