ପଦ୍ମ ଭୂଷଣ ମନୋଜ ଦାସଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ପ୍ରଜ୍ଞା ପୁରୁଷ ତଥା ଭାରତୀୟ ସାହିତ୍ୟର କାଳଜୟୀ ସ୍ରଷ୍ଟା ପଦ୍ମ ଭୂଷଣ ମନୋଜ ଦାସଙ୍କ ପରଲୋକରେ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ରାଜ୍ୟପାଳ ଟ୍ବିଟ କରି ଲେଖିଛନ୍ତି ଯେ ନିଜର କାଳଜୟୀ ସାହିତ୍ୟ ଯୋଗୁଁ ଶ୍ରୀ ମନୋଜ ଦାସ ଆଗାମୀ ଅନେକ ପୀଢିକୁ ଅନୁପ୍ରାଣିତ କରିଚାଲିବେ । ସେହିପରି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରି ଲେଖିଛନ୍ତି ଯେ ମନୋଜ ଦାସଙ୍କ ବିୟୋଗ ଓଡ଼ିଆ ଓ ଇଂରାଜୀ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।  ନିଜର କାଳଜୟୀ ସାହିତ୍ୟ ଯୋଗୁଁ ଶ୍ରୀ ଦାସ ସାହିତ୍ୟ ଜଗତରେ ଗଭୀର ଛାପ ଛାଡ଼ିଛନ୍ତି ।

 

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, “ବିଶିଷ୍ଟ ସାହିତ୍ୟିକ, କଥାକାର ପଦ୍ମଭୂଷଣ ପ୍ରଫେସର ମନୋଜ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଆ ଭାଷା, ଭାରତୀୟ ଓ ବିଦେଶୀ ଭାଷାରେ ତାଙ୍କର କାଳଜୟୀ ସୃଷ୍ଟି ପାଇଁ ସେ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ । ଶ୍ରୀ ଦାସଙ୍କ ବିୟୋଗରେ ଓଡ଼ିଶା ତଥା ଭାରତ ସାହିତ୍ୟ ଜଗତରେ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହୋଇଛି। ଶ୍ରୀ ଦାସଙ୍କ ପରିବାର ସଦସ୍ୟା ଡା. ରଞ୍ଜିତା ଦାସଙ୍କ ସହ ଫୋନରେ କଥା ହୋଇ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କଲି ।  ପୁଡୁଚେରୀ ଉପରାଜ୍ୟପାଳଙ୍କ ସହ ଫୋନ୍ ଯୋଗେ କଥା ହୋଇ ସାରସ୍ୱତ ସାଧକ ସ୍ୱର୍ଗତ ଦାସଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ଅନୁରୋଧ କଲି ।“

ସମ୍ବନ୍ଧିତ ଖବର