କେନ୍ଦ୍ର ସାହିତ୍ୟ ଅକାଦେମିର ଶୋକସଭା: ‘ମନୋଜ ଦାସ ଥିଲେ ଭାରତୀୟ ସାହିତ୍ୟର ଆଦର୍ଶ’

ଭୁବନେଶ୍ବର : ମାନବ କଲ୍ୟାଣ ପାଇଁ ପ୍ରଖ୍ୟାତ ସାଧକ ମନୋଜ ଦାସଙ୍କ ସାଧନାର ପଟାନ୍ତର ନାହିଁ। ଭାବ ଚେତନାର ସେ ଥିଲେ ଉତ୍ତୁଙ୍ଗ ପୁରୁଷ। ମନୋଜ ଦାସ ଥିଲେ ସାରସ୍ବତ ଯାଦୁକର। ଭାରତୀୟ ସାହିତ୍ୟକୁ ସେ ଏକ ନୂତନ ଦୃଷ୍ଟିକୋଣରୁ ଆଲୋକିତ କରିଥିଲେ ବୋଲି କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଅନୁଷ୍ଠିତ ଆୟୋଜିତ ଶୋକସଭାରେ ମତ ପ୍ରକାଶ ପାଇଛି।

କେନ୍ଦ୍ର ସାହିତ୍ୟ ଅକାଦେମି, ପକ୍ଷରୁ ଆଜି ଅପରାହ୍ନରେ ଏକ ଶ୍ରଦ୍ଧାଞ୍ଜଳି ସଭା ୱବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭିରେ ସାହିତ୍ୟ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ ସୂଚନା ପ୍ରଦାନକରି ସାହିତ୍ୟ ଅକାଦେମିର ମହତ୍ତର ସଦସ୍ୟ ଭାବରେ ମନୋଜ ଦାସଙ୍କ ଦୀର୍ଘଦିନର ସଂପର୍କ ଅକଦେମିକୁ ପ୍ରେରଣା ଦେଇଆସୁଥିଲା ବୋଲି କହିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମନୋଜ ସାହିତ୍ୟର ବିଶିଷ୍ଟ ଗବେଷକ ପି. ରାଜା ମନୋଜ ଦାସଙ୍କୁ ସମକାଳ ଭାରତୀୟ ସାହିତ୍ୟର ଆଦର୍ଶ ବୋଲି କହିଥିଲେ। ସାହିତ୍ୟିକ ମାନଙ୍କୁ ନୂତନ ଭାବାଦର୍ଶରେ ମନୋଜ ଦାସ ଉଦ୍‌ବୁଦ୍ଧ କରାଇବାରେ ସକ୍ଷମ ବୋଲି ସେ କହିଥିଲେ। ବିଶିଷ୍ଟ ଲେଖିକା ପ୍ରଫେସର ସଂଯୁକ୍ତା ଦାଶଗୁପ୍ତା ଶ୍ରଦ୍ଧାଞ୍ଜଳି ଅର୍ପଣକରି କହିଲେ ଯେ ମନୋଜ ଚେତନା ସମଗ୍ର ଭାରତୀୟ ସାହିତ୍ୟକୁ ଆଚ୍ଛାଦିତ କରିଛି। ଇଂରାଜୀ ସାହିତ୍ୟକୁ ତାଙ୍କ ଅବଦାନ ଅନନ୍ୟ। ବିଶିଷ୍ଟ କଥାକାର ଡ. ଗୌରହରି ଦାସ କହିଥିଲେ ଯେ, ମନୋଜ ଦାସଙ୍କ ଜୀବନ ତିନିଟି ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ସମୁଦ୍ର , ପିଲାଦିନ ଓ ଗମ୍ଭୀର ଭାବନା। ଏହିଭଳି ଜଣେ ଖ୍ୟାତନାମା ସ୍ରଷ୍ଟାଙ୍କର କୌଣସି ମୃତ୍ୟୁ ନାହିଁ।

ଅନ୍ୟମାନଙ୍କ ମଧ୍ୟରେ, ଅମରେଶ ପଟ୍ଟନାୟକ, ପ୍ରତିଭା ଶତପଥୀ, ତରୁଣକାନ୍ତି ମିଶ୍ର, ଫନୀ ମହାନ୍ତି, ମମତା ଦାଶ ଓ ମଣୀନ୍ଦ୍ର କୁମାର ମେହେର ପ୍ରମୁଖ ବକ୍ତବ୍ୟଦେଇ ଦାର୍ଶନିକ ମନୋଜ ଦାସଙ୍କ ଜୀବନ ଓ ସାଧନାର ବିବିଧ ଦିଗକୁ ଆଲୋଚନା କରିବା ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ମନୋଜ ଦାସଙ୍କ ମହନୀୟ ସାହିତ୍ୟ ସାଧନା ସବୁ ପିଢ଼ିର ଲେଖକମାନଙ୍କୁ ଉତ୍ସାହିତ କରୁଥିଲା ବୋଲି କହିଥିଲେ। ଆଞ୍ଚଳିକ ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର