ଜିପ୍‌ମାର ସ୍ଥାନାନ୍ତର ହେଲେ ମନୋଜ ଦାସ, ଚାରିଜଣିଆ ଡାକ୍ତରୀଦଳ ଅଧୀନରେ ଚିକିତ୍ସା ଆରମ୍ଭ

ଭୁବନେଶ୍ବର: ପ୍ରଖ୍ୟାତ ଲେଖକ ପଦ୍ମଭୁଷଣ ମନୋଜ ଦାସଙ୍କୁ ଆଜି ଉନ୍ନତ ଚିକିତ୍ସା ଲାଗି ପଡ଼ୁଚେରୀର ଜବାହାରଲାଲ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ଏଡୁକେସନ୍ ଆଣ୍ଡ୍ ରିସର୍ଚ୍ଚ(ଜିପ୍‌ମାର)କୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ଶ୍ରୀ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ଲାଗି ନିଯୁକ୍ତ ହୋଇଥିବା ଜିପ୍‌ମାର୍‌ର ଚାରି ଜଣିଆ ଡାକ୍ତରୀଦଳ ତାଙ୍କ ଚିକିତ୍ସା ଆରମ୍ଭ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଦୀର୍ଘଦିନ ହେଲା ଅସୁସ୍ଥ ଥିବା ଶ୍ରୀ ଦାସ ପୁଡ଼ୁଚେରୀର ଶ୍ରୀଅରବିନ୍ଦ ଆଶ୍ରମ ହସ୍ପିଟାଲରେ ଡ.ଅଶୋକ ଦାସଙ୍କ ଅଧୀନତରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ସ୍ଥିତିରେ ବିଶେଷ ସୁଧାର ନ ଆସିବାରୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିବାକୁ ଶ୍ରୀ ଦାସଙ୍କ ଅଗଣିତ ପ୍ରଶଂସକ ଦାବି କରି ଆସୁଥିଲେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଶ୍ରୀ ଦାସଙ୍କ ଚିକିତ୍ସା ଲାଗି ଜିପ୍‌ମାରର ଏକ ଚାରି ଜଣିଆ ଡାକ୍ତରୀଦଳକୁ ଦାୟିତ୍ବ ଦେଇଥିଲେ। ଚାରିଦିନ ତଳେ ଏହି ଡାକ୍ତରୀଦଳ ଆଶ୍ରମ ହସ୍ପିଟାଲକୁ ଆସି ଶ୍ରୀ ଦାସଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ଶରୀରରେ ଏକ ନୂତନ ଔଷଧ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ। ତେବେ ଏହି ନୂତନ ଔଷଧ ଦେବା ପୂର୍ବରୁ ଏହାର ପାର୍ଶ୍ବ ପ୍ରତିକ୍ରିୟା କ’ଣ ହେବ, ତାହା ଅନୁଧ୍ୟାନ କରିବା ଲାଗି ଏହି ଡାକ୍ତରୀଦଳ ତାଙ୍କୁ ଜିପ୍‌ମାର ନେଇଯିବା ଲାଗି ପ୍ରସ୍ତାବ ଦେଇଥିଲେ। ଶେଷରେ ଶ୍ରୀ ଦାସଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଡ.ଅଶୋକ ଦାସଙ୍କ ସହିତ ବିଚାରବିମର୍ଶ କରି ଆଜି ସନ୍ଧ୍ୟା ୬ଟାରେ ତାଙ୍କୁ ଜିପ୍‌ମାରକୁ ସ୍ଥାନାନ୍ତର କରାଯାଇଛି ଏବଂ ସେଠାରେ ଜିପ୍‌ମାର ଅଙ୍କୋଲୋଜି ବିଭାଗର ମୁଖ୍ୟ ଡା.ବିଶ୍ବଜିତ ଦାସଙ୍କ ଅଧୀନରେ ଶ୍ରୀ ଦାସଙ୍କ ଚିକିତ୍ସା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର