ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ‘ଏଫ୍‌ଏମ୍‌ୟୁରେ ହେବ ମନୋଜ ଦାସ ଗ୍ୟାଲେରି’

ବାଲେଶ୍ବର: ଫକୀରମୋହନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିଳ୍ପୀ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମନୋଜ ଦାସଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବାଲେଶ୍ୱର ତଥା ଉତ୍କଳ ଜନନୀର ଏହି ସୁଯୋଗ୍ୟ ସନ୍ତାନଙ୍କ ସ୍ମୃତିରେ ଫକୀରମୋହନ ବିଶ୍ବବିଦ୍ୟାଳୟର ହରେକୃଷ୍ଣ ମହତାବ କେନ୍ଦ୍ରୀୟ ପାଠାଗାରରେ ମନୋଜ ଦାସ ଗ୍ୟାଲେରି ପ୍ରତିଷ୍ଠା କରିବାର ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସେ ଏହି ପରିପ୍ରେକ୍ଷୀରେ ସୂଚନା ଦେଇଥିଲେ।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ମନୋଜ ଦାସ ଜଣେ ମାନବବାଦୀ ଶିଳ୍ପୀ ଓ ବଳିଷ୍ଠ ବ୍ୟକ୍ତିତ୍ବ ଥିଲେ ଏବଂ ତାଙ୍କରି ସାହିତ୍ୟ ମାଧ୍ୟମରେ ସୁନ୍ଦର ଜୀବନ ବଞ୍ଚିବାର କଳା ଶିଖିବାର ବାର୍ତ୍ତା ଦେଇଛନ୍ତି ବୋଲି ସେ କହିଥିଲେ। ମନୋଜ ଦାସଙ୍କ ପରି ଗାରିମାମୟ ବ୍ୟକ୍ତିତ୍ୱ କେବେ କେବେ ହିଁ ଜନ୍ମ ନେଇଥା’ନ୍ତି। ସେ ବହୁ ଉଚ୍ଚକୋଟୀର ସାହିତ୍ୟ ସର୍ଜନା କରି ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠାକୁ ଗୁରୁତ୍ବ ଦେଇଛନ୍ତି ବୋଲି କୁଳସଚିବ କୁକୁମୀନା ଦାସ ପ୍ରକାଶ କରିଥିଲେ। ଭାରତୀୟ ସଂସ୍କୃତିର ମହନୀୟତା ଓ ଭାରତବର୍ଷର ସଂସ୍କୃତିସମ୍ପନ୍ନ ଅବିକଳ ଚିତ୍ର ଉପସ୍ଥାପନକୁ ଗୁରୁତ୍ବ ଦେଇ ମନୋଜ ଦାସ ସାହିତ୍ୟ କ୍ଷେତ୍ରରେ କଲମ ଚାଳନା କରିଛନ୍ତି ବୋଲି ବିଭାଗ ମୁଖ୍ୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ପ୍ରକାଶ କରିଥିଲେ।

ଏହି ଅବସରରେ ମନୋଜ ଦାସଙ୍କ ଜୀବନୀ ଓ ସାହିତ୍ୟ କୃତୀ ପ୍ରସଙ୍ଗରେ ଭାଷା ସାହିତ୍ୟ ବିଭାଗର ବିଦ୍ୟାର୍ଥୀଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତୀ ବିଦ୍ୟାର୍ଥୀଙ୍କୁ ପୁରସ୍କାର ଦିଆଯାଇଥିଲା। ଏଥିସହିତ ବିଭାଗର ବିବରଣୀ ପୁସ୍ତିକା ‘ସାହିତ୍ୟ ଭୂମି’ ଉନ୍ମୋଚିତ ହୋଇଥିଲା। ସହଯୋଗୀ ପ୍ରଫେସର ଡ. ଦେବାଶିଷ ପାତ୍ର ଏଥିରେ ସଂଯୋଜନା କରିଥିଲେ। ଡ. ପ୍ରହ୍ଲାଦ ଖିଲାର ଧନ୍ୟବାଦ ଦେଇଥିଲେ। ଅଧ୍ୟାପକ ଡ. ଅଶେଷ ନାୟକ ଯାନ୍ତ୍ରିକ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର