ବ୍ରହ୍ମପୁର : ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ମଦ ବ୍ୟବସାୟୀ ମନୋଜ ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ବ୍ରହ୍ମପୁର ପୁଲିସ। ଏହି ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡରେ ପୂର୍ବରୁ ପୁଲିସ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ ଏନ୍କାଉଣ୍ଟର୍ କରିଥିବା ବେଳେ ଆଜି ଘଟଣାର ମାଷ୍ଟର୍ମାଇଣ୍ଡ ଆସିକା ଥାନା ନୂଆଗାଁ ବଡ଼ସାହିର ସୁନୀଲ କୁମାର ନାୟକ(୩୪) ଓରଫ୍ ଟିଟୁ ଓରଫ୍ ସୁଲତାନ୍ ସହ ଅନ୍ୟ ୪ଜଣ ସୁପାରି କିଲର୍ଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ୩ଟି ପିସ୍ତଲ, ୩ଟି ଗୁଳି, ୩ଟି ବାଇକ୍, ଦୁଇଟି ଛୁରି, ୨ଟି ହେଲମେଟ୍, ୧୦ଟି ମୋବାଇଲ, ୩ହଜାର ୫ଶହ ଟଙ୍କା ଜବତ ହୋଇଛି ଏବଂ ଘଟଣାସ୍ଥଳରୁ ୩ଟି ଖୋକା ଜବତ ହୋଇଥିବା ନେଇ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସୁପାରି କିଲିଂର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆସିକାର ମଦ ବ୍ୟବସାୟୀ ଭଗବାନ ସାହୁ ଓରଫ୍ ଭାଲୁ ଫେରାର୍ ଥିବା ଏସ୍ପି କହିଛନ୍ତି। ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଓ ମଦ ବ୍ୟବସାୟ ମୁଖ୍ୟ କାରଣ ବୋଲି ପୁଲିସ କହିଛି।
ଗତ ମାସ ୨୨ତାରିଖ ସାଧାରଣ ନିର୍ବାଚନ ଭୋଟ୍ ଗଣତି ପୂର୍ବଦିନ ମନୋଜ ତାଙ୍କର କିଛି ସହଯୋଗୀଙ୍କ ସହିତ ଏକ କାର୍ରେ ରାତିରେ ଭୁବନେଶ୍ବରରୁ ବ୍ରହ୍ମପୁର ଫେରୁଥିବାବେଳେ ରାତି ପ୍ରାୟ ୯ଟା ବେଳେ ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଦୁଇଟି ବାଇକ୍ରେ ୬ଜଣ ଦୁର୍ବୃତ୍ତ ଆସି ମନୋଜଙ୍କୁ ଗୁଳି କରି ଓ ଗଳା କାଟି ଚମ୍ପଟ ମାରିଥିଲେ। ଦୁର୍ବୃତ୍ତମାନେ ଆନ୍ଧ୍ର ପଟେ ଚମ୍ପଟ ମାରୁଥିବା ବେଳେ ଗୋଳନ୍ଥରା ନିକଟରେ ସେମାନଙ୍କ ଗୋଟିଏ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହତ୍ୟାକାରୀମାନେ ଗୋଟିଏ ବାଇକ୍ ଓ ପିସ୍ତଲ ଛାଡ଼ି ସେଠାରୁ ପଳାଇଥିଲେ। ପୁଲିସ ତାହା ଜବତ କରିଥିଲା। ମନୋଜଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିବା ପରେ ଭୁବନେଶ୍ବର ସ୍ଥାନାନ୍ତର କରା ଯାଇଥିଲା। ତେବେ ୨୩ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମନୋଜଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଭାଲୁ, ସୁଲତାନ୍ ସମେତ ୭ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସମସ୍ତ ଅପରାଧୀ ଆସିକା ଅଞ୍ଚଳର ବୋଲି ପୁଲିସ ସ୍ପଷ୍ଟ କରିଥିଲା। ଆସିକା ଓ ବ୍ରହ୍ମପୁର ପୁଲିସର ମିଳିତ ଟିମ୍ ଏହି ମାମଲାର ତଦନ୍ତ ଓ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଥିଲା। ଗତ ୩୧ ତାରିଖ ରାତି ପ୍ରାୟ ୧୧ଟା ବେଳେ ମନୋଜ ହତ୍ୟାକାଣ୍ଡର କିଛି ଅପରାଧୀଙ୍କ ସହିତ ଗୋଳନ୍ଥରା ଥାନା ରଣ୍ଢା ଅମିତ ହସ୍ପିଟାଲ ନିକଟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଆସିକାର ଗଣେଶ ନାୟକ(୨୫) ଓରଫ୍ ବୁଲୁ ଏବଂ ହୃଷୀକେଶ ପାତ୍ର(୨୭) ଆହତ ହୋଇଥିଲେ। ଉଭୟଙ୍କୁ ଜେରା ପରେ ପୁଲିସକୁ ପୂରା ଘଟଣାକ୍ରମର ଚାଞ୍ଚଲ୍ୟକର ତଥ୍ୟ ମିଳିଥିଲା। ଏହି ହତ୍ୟାକାଣ୍ଡର ମାଷ୍ଟର୍ମାଇଣ୍ଡ ସୁଲତାନ୍ ବୋଲି ଜଣା ପଡ଼ିଥିଲା। ମଦ ବ୍ୟବସାୟୀ ଭାଲୁ ଓ ସୁଲତାନ୍ ମନୋଜଙ୍କୁ ହତ୍ୟା କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସୁଲତାନ୍ ତାର ଗ୍ୟାଙ୍ଗ୍ର ସଦସ୍ୟଙ୍କୁ ନେଇ ଭାଲୁର ଦେଶୀ ମଦଭାଟିରେ ହତ୍ୟାକାଣ୍ଡର ସମସ୍ତ ଯୋଜନା, ହତ୍ୟାକାଣ୍ଡ ସ୍ଥଳ ନିର୍ଧାରଣ କରିଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲା।
ଏହାପରେ ପୁଲିସ ଫେରାର୍ ଅପରାଧୀଙ୍କୁ ଧରିବା ପାଇଁ ଜୋର୍ଦାର ଚଳାଇଥିଲା। ଏପରିକି ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବା ସହ ସମସ୍ତଙ୍କ ନାଁରେ ଲୁକ୍ଆଉଟ୍ ସର୍କୁଲାର୍ ଜାରି କରା ଯାଇଥିଲା। ବ୍ରହ୍ମପୁର ପୁଲିସର ଦୁଇଟି ଟିମ୍ ଦୁଇଟି ପୃଥକ୍ ସ୍ଥାନରେ ଚଢ଼ାଉ କରି ସୁଲତାନ୍ ଓ ୪ଜଣ ସୁପାରି କିଲର୍ଙ୍କୁ ଆଜି ଗିରଫ କରିଛନ୍ତି। ସୁଲାତନ୍ ବାଲୁଗାଁ ରେଳ ଷ୍ଟେସନ୍ ନିକଟକୁ ଧରା ପଡ଼ିଥିବା ବେଳେ ଅନ୍ୟ ୪ଜଣ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ଧରା ପଡ଼ିଛନ୍ତି। ୪ଜଣ ସୁପାରି କିଲର୍ ହେଲେ ଆସିକା ଥାନା ଲକ୍ଷ୍ମୀପଲ୍ଲୀର ଆନନ୍ଦ ସ୍ବାଇଁ(୨୪), ନୂଆଗାଁର ଶଙ୍କର ରାଉତ(୧୯), ଆସିକା କଲେଜ ଛକର ଶିବରାମ ବେହେରା(୨୨), ନୂଆଗାଁର କାର୍ତ୍ତିକ ନାହାକ(୨୬)। ଘଟଣା ଦିନ ଗଣେଶ ଓ ହୃଷୀକେଶଙ୍କ ସହିତ ଏହି ୪ଜଣ ୩ଟି ବାଇକ୍ରେ ଭୁବନେଶ୍ବରୁ ମନୋଜଙ୍କ ପିଛା କରି ବ୍ରହ୍ମପୁରରେ ହତ୍ୟା କରିଥିଲେ। ମନୋଜ ମଦ ବ୍ୟବସାୟ ସହ ସଂପୃକ୍ତ ଥିଲେ। ଆସିକାରେ ଥିବା ତାଙ୍କର ଦେଶୀ ଓ ବିଦେଶୀ ମଦ ଦୋକାନ ବ୍ୟବସାୟ ହାତେଇବା ପାଇଁ ଭାଲୁ ଯୋଜନା ଚଳାଇଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢ଼ିଥିଲା। ତେଣୁ ସେ ସୁଲତାନ୍ର ସହାୟତା ନେଇଥିଲା। ସେହିପରି ୨୦୧୨ରେ ମନୋଜ ଓ ସହଯୋଗୀ କୌଣସି କାରଣକୁ ନେଇ ଭାଲୁର ନାବାଳକ ଭାଇଙ୍କୁ ହତ୍ୟା କରିଥିଲେ। ଯାହାର ପ୍ରତିଶୋଧ ନେବା ପାଇଁ ଭାଲୁ ବିଭିନ୍ନ ସମୟରେ ପ୍ରୟାସ କରୁଥିଲା ବୋଲି ପୁଲିସ କହିଛି। ଶେଷରେ ସେ ଷଡ଼ଯନ୍ତ୍ର କରି ମନୋଜଙ୍କୁ ସୁପାରି କିଲର୍ଙ୍କ ଜରିଆରେ ହତ୍ୟା କଲା ବୋଲି ତଦନ୍ତ ବେଳେ ଜାଣିବାକୁ ପାଇଛି।