ତ୍ରିକୋଣୀୟ ପ୍ରେମ ଓ ଅର୍ଥ କାରବାରରୁ ମନୋଜଙ୍କୁ ହତ୍ୟା: ୩ ଗିରଫ

ଯାଜପୁରସଦର/ରତ୍ନଗିରି :  ତ୍ରିକୋଣୀୟ ପ୍ରେମ ଓ ଅର୍ଥ କାରବାରକୁ କେନ୍ଦ୍ର କରି ଯୁବକ ମନୋଜ ଗୋଚ୍ଛାୟତ(୨୬)ଙ୍କୁ ହତ୍ୟା କରି ବିରୂପା  ନଦୀପଠାରେ ପୋତିଦେଇଥିବା ଘଟଣାରେ ବରୀ ପୁଲିସ ୩ଜଣଙ୍କୁ ଗିରଫ କରିଛି। ମହାକାଳପଡା ଗ୍ରାମର କୁନି ପରିଡା,ତାଙ୍କ ସ୍ୱାମୀ ବାବୁ ପରିଡା ଓ ମହିଳାଙ୍କ ଅନ୍ୟତମ ପ୍ରେମିକ ଗମୁ ଗ୍ରାମର ଅଭୟ ନାୟକ ଓରଫ୍  ବାବୁଲାକୁ ଆଜି କୋର୍ଟ ଚାଲାଣ କରାଯାଇଛି।

ପ୍ରକାଶ ଥାଉକି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧୀନସ୍ଥ ଇନ୍ଦୁପୁର ଧୁମାତ ମଠସାହି ଗ୍ରାମର ମନୋଜ ଗୋଚ୍ଛାୟତ ହତ୍ୟାକାଣ୍ଡକୁ ନେଇ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଥିଲା।  ଅର୍ଥ ଦେଣନେଣ ଓ ତ୍ରିକୋଣୀୟ ପ୍ରେମ ସଂପର୍କରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଆଜି ପୁଲିସ ସ୍ପଷ୍ଟ କରିଛି।  ଗିରଫ କୁନିଙ୍କ ସହ ମନୋଜଙ୍କ ୪/୫ ବର୍ଷ ହେଲା ସଂପର୍କ ରହିଥିବା ବେଳେ ଉଭୟଙ୍କ ମଧ୍ୟରେ ଅର୍ଥ ଦେଣନେଣ ଚାଲିଥିଲା। ମନୋଜଙ୍କ ବାହାଘର ଠିକ୍ ହେବା ଜାଣି କୁନି ଏହାକୁ ବିରୋଧ କରିବା ସହ ମନୋଜଙ୍କ ପରିବାରକୁ ଉଧାର ଟଙ୍କା ଫେରସ୍ତ କରିବାକୁ କହିଥିଲେ।  ଏହାରି ଭିତରେ ଗତ ୧ବର୍ଷ ହେବ କୁନିଙ୍କ ଘରକୁ କାମ କରିବାକୁ ଆସୁଥିବା ବାବୁଲାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାକୁ ମନୋଜ ସହି ପାରିନଥିଲା। ମନୋଜ ଓ କୁନିଙ୍କ ପୂର୍ବ ସମ୍ପର୍କ ବିଷୟରେ ଜାଣିବ‌ା ପରେ ବାବୁଲା ମଧ୍ୟ ଉତ୍ତକ୍ଷିପ୍ତ ହୋଇଥିଲା। କୁନି ଓ ବାବୁଲା ଉଭୟ ମନୋଜକୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରି ଘରକୁ ଡାକିଥିଲେ। ମନୋଜ କୁନି ଘରେ ପହଞ୍ଚିବା ପରେ ଧାର ଅର୍ଥକୁ ନେଇ ଝଗଡା ହୋଇଥିଲା।

ଏହାର ସୁଯୋଗ ନେଇ ପୂର୍ବରୁ ପ୍ରସ୍ତୁତ ଥିବା ବାବୁଲା ମନୋଜଙ୍କୁ ଆକ୍ରମଣ କରି ତଳେ ପକାଇ ଦେବା ସହ ବେକ ଉପରେ ଚଢ଼ି ଯାଇଥିଲା। ସେଠାରେ ମନୋଜର ମୃତ୍ୟୁ ହୋଇଥିଲା। ଭୁବନେଶ୍ବରରେ କାମ କରୁଥିବା  କୁନିଙ୍କ ସ୍ବାମୀ ବାବୁ ମଧ୍ୟ ଏଥିରେ ସାମିଲ ହୋଇଥିଲ‌ା। ପିଲାମାନ‌େ ଶୋଇବା ପରେ ତିନି ଜଣ ମିଶି ମନୋଜକୁ ବିରୁପା ନଦୀପଠାରେ ପୋତି ଦେଇଥିଲେ। ଯାହାକି ପୁଲିସ ସାଇବର ସେଲ୍ ସହଯୋଗରେ ପ୍ରମାଣ ପାଇବା ପରେ ୩ ଜଣକୁ ଗିରଫ କରିବାରେ  ସଫଳତା ପାଇଛି ବୋଲି ଆଜି  ଯାଜପୁର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ଓ ବରୀ ଥାନାଧିକାରୀ ମନୋଜ ସ୍ୱାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର