ଭୁବନେଶ୍ବର: ମନୋଜ ମିଶ୍ରଙ୍କ ଉପରେ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସର ବାସନ୍ଦ ଲଗାଇଥିଲା ବେଳେ ତାଙ୍କ ସମର୍ଥନରେ ବାହାରିଛି ‘ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର୍ସ ଓ ଡିଷ୍ଟ୍ରିବ୍ୟୁଟର୍ସ ଗିଲ୍ଡ (ଓଏଫ୍ପିଡିଓ)’। ଆଜି ଓଏଫ୍ପିଡିଓ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏହାର ସମ୍ପାଦକ ଅରୁଣ ମହାନ୍ତି କହିଥିଲେ, ଓଏଫ୍ପିଡିଓ ପକ୍ଷରୁ ମନୋଜ ମିଶ୍ରଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ। ଏଥିସହ ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଓ ସମୁଦାୟ ଓଡ଼ିଶାର ଉନ୍ନତି ପାଇଁ ଶାନ୍ତ ରହିବାକୁ ଶ୍ରୀ ମିଶ୍ରକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।
ଶ୍ରୀ ମହାନ୍ତି କହିଛନ୍ତି, ଆମେ ଜାଣିଛୁ ଶ୍ରୀ ମିଶ୍ରଙ୍କୁ କିଛି ନିର୍ମାତା ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ଦୁର୍ଭାଗ୍ୟଜନକ ଓ ଏହା ଏକ ଆଞ୍ଚଳିକ ଭାବନାରେ ପରିଣତ ହୋଇଛି। ଏହି ନିଷ୍ପତ୍ତି ଦ୍ୱାରା ପଶ୍ଚିମ ଓଡ଼ିଶାର ଲୋକମାନେ ଆଘାତ ପାଇଛନ୍ତି। ଏପରିକି ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି। ସେ କହିଛନ୍ତି, ଆମ ଓଡ଼ିଶା ଗୋଟିଏ। ଏଠାରେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିଭାଜନର କୌଣସି ସ୍ଥାନ ନାହିଁ। ଆମର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସାମଗ୍ରିକ ଭାବେ ହେଉଛି ‘ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି’। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କୁହାଯାଉଥିବା ସମସ୍ତ ଭାଷାକୁ ଆମେ ସମ୍ମାନ କରୁ। ଏଣୁ ଶାନ୍ତ ରହିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି କେ. ଏମ୍ ରାଓ, ଉପଦେଷ୍ଟା ପ୍ରଣବ ଦାସ ଓ କୋଷାଧ୍ୟକ୍ଷ ନବକିଶୋର ଦାସ ଉପସ୍ଥିତ ଥିଲେ।
ଅନ୍ୟପଟେ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସର ପ୍ରଯୋଜକ ସଂଘ ମଧ୍ୟ ଆଜି ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଏଥିରେ ସମ୍ପାଦକ ଗଙ୍ଗାଧର ରେଡ୍ଡୀ, ସଦସ୍ୟ ରବୀନ୍ଦ୍ର ପଣ୍ଡା ଓ ଜ୍ୟୋତିରଞ୍ଜନ ମହାନ୍ତି ଉପସ୍ଥିତ ରହି ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ପ୍ରତିବନ୍ଧକ ଉଠିବ ନାହିଁ ବୋଲି ପୁଣି ସ୍ପଷ୍ଟ କରିଛନ୍ତି। ସେମାନେ କହିଛନ୍ତି, ଶ୍ରୀ ମିଶ୍ରଙ୍କ ଉପରେ ବାସନ୍ଦ ସଞ୍ଜୟ ନାୟକଙ୍କ ନିଜସ୍ବ ନିଷ୍ପତ୍ତି ନଥିଲା। ସଂଘର ୨୫ରୁ ୩୦ ଜଣ ପ୍ରଯୋଜକ ଏକାଠି ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। ସିନେମା ‘ରାମ୍’କୁ ସମ୍ବଲପୁରରେ ବିରୋଧ କରିବାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ଚଳଚ୍ଚିତ୍ରର ପ୍ରଯୋଜକ ତଥା ଅଭିନେତା ଅରିନ୍ଦମ ଅଭିଯୋଗକ୍ରମେ ଓ ତାଙ୍କ ଉପସ୍ଥିତିରେ ପ୍ରଯୋଜକ ସଂଘ ଏହି ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସୁଦ୍ଧା ଅରିନ୍ଦମଙ୍କ ସହ ଓଲିଉଡ୍ର ୨ ତାରକା ଶ୍ରୀ ମିଶ୍ରଙ୍କୁ ଆଲୋଚନା ପାଇଁ ଡାକି ସାରିଛନ୍ତି। ଏଣୁ ଏହି ଆଲୋଚନାକୁ ଶ୍ରୀ ମିଶ୍ର ଆସିବାକୁ ପ୍ରଯୋଜକମାନେ ଅନୁରୋଧ କରିଛନ୍ତି।