ସମ୍ବଲପୁର/ଝାରସୁଗୁଡ଼ା/ଲାଠୋର/ବଲାଙ୍ଗୀର: ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦ କରାଯିବା ଘଟଣାକୁ ନେଇ ବିବାଦ ଲାଗିରହିଛି। ଆଜି ମନୋଜ ସିନେମା ବିତରଣ ବ୍ୟବସ୍ଥାକୁ ସଜାଡ଼ିବାକୁ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହା ସହିତ ସେ କହିଛନ୍ତି, ‘ମୋର ଅରିନ୍ଦମ କି ମୋର ଅନୁଭବ ଭିତରେ ଲଢ଼େଇ ନୁହେଁ ଯେ ଆମେ ବସିକି ସମାଧାନ କରିବୁ। ଆମକୁ ପ୍ରଥମେ ମୂଳ ସମସ୍ୟାକୁ ସମାଧାନ କରିବାକୁ ପଡ଼ିବ। ଜଣେ ସ୍ୱାଭିମାନୀ ଓଡ଼ିଶାବାସୀ ହିସାବରେ ମୁଁ ଯଦି ଚାହୁଛି ଆମ ଓଡ଼ିଶାର କଳା, ସାହିତ୍ୟ, ମ‌ହାପୁରୁଷଙ୍କ ବିଷୟରେ ସାରା ଭାରତ ଜାଣୁ, ମୁଁ କ’ଣ ଏ ସବୁ ଭାବିକି ଭୁଲ୍ କରୁଛି? ଯେତେବେଳେ ଏ ସବୁ କହିବା ଆରମ୍ଭ କଲି କିଛି ବ୍ୟକ୍ତି ମୋତେ ବିରୋଧ କରିବା ଆରମ୍ଭ କଲେ। ବଦନାମ ବି କଲେ। ଏବେ ତ ବାସନ୍ଦ ବି କରିଦେଲେ। କିଛି କଥା ନାହିଁ। ଏମିତି ଅନେକ ରୂପଶ୍ରୀ ବି ଆସିବେ ମୋର ଚରିତ୍ର ସଂହାର କରିବେ ବୋଲି ମ‌ନୋଜ କହିଛନ୍ତି।

Advertisment

ଅପରପକ୍ଷରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ନିରବତାକୁ ନେଇ ରେଂଗାଲି ବିଧାୟକ ନାଉରୀ ନାୟକ ପ୍ରଶ୍ନ ଉଠାଇଛନ୍ତି। ମନୋଜଙ୍କ ଉପରୁ ବାସନ୍ଦ ପ୍ରତ୍ୟାହାର କରାଯିବା ସହ ତାଙ୍କୁ ସୁରକ୍ଷା ଯୋଗାଇବା ଏବଂ ବିତରଣ ବ୍ୟବସ୍ଥା ସୁଧାରିବାକୁ ସରକାରଙ୍କ ଦାବି କରିଛନ୍ତି। ସେହିପରି ଝାରସୁଗୁଡ଼ାରେ ମନୋଜଙ୍କୁ ବାସନ୍ଦ କରାଯିବା ଘଟଣାକୁ କୋଶଳ ସେନା ଓ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ଅଭିନେତା ଅନୁଭବ ମହାନ୍ତି, ଅରିନ୍ଦମ ରୟ ଓ ଜିତୁ ମଙ୍ଗରାଜଙ୍କ କୁଶପୁତ୍ତଳିକା ଦାହ କରାଯାଇ ଥିଲା। ଝାରସୁଗୁଡ଼ା ସହରରେ ଲାଗିଥିବା ବିଭିନ୍ନ ଚଳଚ୍ଚିତ୍ରଗୁଡ଼ିକର ପୋଷ୍ଟର ଓ ବ୍ୟାନରକୁ ଲୋକେ ଚିରି ଦେଉଥିବା ଦେଖିବାକୁ ମିଳୁଛି।

ବଲାଙ୍ଗୀର ଜିଲ୍ଲା ଲାଠୋରଠାରେ କୋଶଲ ମୁକ୍ତିମୋର୍ଚ୍ଚା ରାଜ୍ୟ ଆବାହକ କାଶୀନାଥ ମେହେରଙ୍କ ନେତୃତ୍ୱରେ ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ମନୋଜଙ୍କୁ ବାସନ୍ଦ କରାଯିବା ଘଟଣାକୁ ପଶ୍ଚିମ ଓଡ଼ିଶା ପ୍ରଯୋଜକ ସଂଘ (ପୋପା) ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଏହି ନିଷ୍ପତ୍ତିର ପ୍ରତିବାଦ କରାଯାଇଛି। ବଲାଙ୍ଗୀରରେ ପୋପା କାର୍ଯ୍ୟକାରୀ ସଭାପତି ଶରତ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ କଳାକାର ମୁରଲୀଧାରୀ ପତି, କପିଳେଶ୍ୱର ଖମାରୀ, ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ, ସଂଗଠନ ସମ୍ପାଦକ ମାଧବ ବାରିକ, କେଦାର ଥନାପତି ତାଙ୍କ ବକ୍ତବ୍ୟ ରଖିଥିଲେ।