ଭୁବନେଶ୍ବର: ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ମନୋଜ ପରିଡ଼ା ରାଜ୍ୟ ମୁଖ୍ୟ ସୂଚନା କମିସନର ଭାବେ ନିଯୁକ୍ତ ହୋଇଛନ୍ତି। ଏହାସହ ଅବସରପ୍ରାପ୍ତ ଆଇପିଏସ୍ ପ୍ରଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ ଓ ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ପବିତ୍ର ମଣ୍ଡଳ ସୂଚନା କମିସନର ଭାବେ ନିଯୁକ୍ତି ପାଇଛନ୍ତି। ଏବେ ରାଜ୍ୟ ସୂଚନା କମିସନର କାର୍ଯ୍ୟାଳୟରେ ସୂଚନା କମିସନର ଭାବେ ସୁଶାନ୍ତ ମହାନ୍ତି ଓ ଜଗନ୍ନାଥ ରଥ କାର୍ଯ୍ୟରତ ଅଛନ୍ତି। ୧୯୮୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଶ୍ରୀ ପରିଡ଼ା ଏବେ ଭୁବନେଶ୍ବରରେ ଇନ୍ସ୍ୟୁରାନ୍ସ ଓମ୍ବୁଡସ୍ମ୍ୟାନ୍ ଭାବେ କାର୍ଯ୍ୟରତ ଅଛନ୍ତି। ଏହା ପୂର୍ବରୁ ସେ ପୁଡ଼ୁଚେରୀର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ। ଓଡ଼ିଶାରେ ଏବେ ମୁଖ୍ୟ ସୂଚନା କମିସନରଙ୍କୁ ମିଶାଇ ସମୁଦାୟ ୬ଜଣ ସୂଚନା କମିସନର ରହିଛନ୍ତି। ବହୁ ଦିନ ପରେ ସୂଚନା କମିସନ କାର୍ଯ୍ୟାଳୟରେ ଧାର୍ଯ୍ୟ ପଦବି ପୂରଣ ହୋଇଛି। ଏ ଦୃଷ୍ଟିରୁ ରାଜ୍ୟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ତ୍ବରିତ ଶୁଣାଣି ହେବ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟ ସରକାର ମୁଖ୍ୟ ସୂଚନା କମିସନରଙ୍କ ସହ ୪ଜଣ ସୂଚନା କମିସନର ପଦବି ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ମୁଖ୍ୟ ସୂଚନା କମିସନର ପଦବି ପାଇଁ ୪୭ ଜଣ ଓ ସୂଚନା କମିସନର ପାଇଁ ୧୮୩ ଜଣ ଆବେଦନ କରିଥିଲେ। ଆବେଦନପତ୍ରର ଉପଯୁକ୍ତ ଯାଞ୍ଚ ପାଇଁ ରାଜ୍ୟ ସରକାର ଉଚ୍ଚ କ୍ଷମତାସଂପନ୍ନ କମିଟି ଗଠନ କରିଥିଲେ। ଚୂଡ଼ାନ୍ତ ତାଲିକା ଆସିବା ପରେ ସରକାର ଆଜି ଏହି ଘୋଷଣା କରିଛନ୍ତି। ଅପରପକ୍ଷରେ ଆସନ୍ତା କିଛି ମାସ ପରେ ସୂଚନା କମିସନର ସୁଶାନ୍ତ ମହାନ୍ତିଙ୍କ କାର୍ଯ୍ୟକାଳ ସରିବ। ଯେହେତୁ ରାଜ୍ୟ ସରକାର ୪ଜଣ ସୂଚନା କମିସନର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ, ତେଣୁ ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକାଳ ସରିବା ପରେ ଆଉ ଗୋଟିଏ ପଦବି ପାଇଁ ରାଜ୍ୟ ସରକାର ନୂଆ ସୂଚନା କମିସନର ନିଯୁକ୍ତି ଦେଇପାରନ୍ତି।
ସୂଚନାଧିକାର କର୍ମୀ ଶ୍ରୀକାନ୍ତ ପାକଳ କହିଛନ୍ତି, ରାଜ୍ୟରେ ସରକାର ବଦଳଛି ସତ, ମାତ୍ର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବେ ସୂଚନା କମିସନ୍ରେ ପ୍ରାୟ ୨୨ହଜାର ମାମଲା ପଡ଼ି ରହିଛି। ପୂର୍ବ ସରକାର ଭଳି ଏବର ସରକାର ମଧ୍ୟ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କୁ କେବଳ ଏହି ପଦବିରେ ନିଯୁକ୍ତି ଦେଉଛନ୍ତି। ସୂଚନା ଅଧିକାର ଆଇନ ଉପରେ ନଜର ରଖୁଥିବା ବ୍ୟକ୍ତିମାନଙ୍କୁ ଏଥିରେ ନିଯୁକ୍ତି ଦିଆଯାଉ ନ ଥିବାରୁ ଆଇନର ଠିକ୍ ଭାବେ ତର୍ଜମା ହୋଇପାରୁନାହିଁ ବୋଲି ଶ୍ରୀ ପାକଳ କହିଛନ୍ତି।