ଭୁବନେଶ୍ବର: ଓଲିଉଡ୍ କଳାକାର ମନୋଜ ମିଶ୍ର ଓ ସିନେମା ଶିଳ୍ପର ତାଙ୍କ ପ୍ରତିପକ୍ଷଙ୍କୁ ନେଇ ପ୍ରଥମେ ଗଣମାଧ୍ୟମ ଜରିଆରେ ଚର୍ଚ୍ଚାକୁ ଆସିଥିଲା ସିନେ କଳି। ପରେ ବିଭିନ୍ନ ଥାନାରେ ମାମଲା ପହଞ୍ଚିଥିଲା। ପୂର୍ବରୁ ସବୁ କଥାକଥାରେ ଚାଲିଥିଲା। କିନ୍ତୁ ଆଜି ମୁହାଁମୁହିଁ ହୋଇଗଲା। ପୁଣି ଖୋଦ୍ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ମନୋଜ ଚହିଁକି ଯାଇଥିଲେ ବବି ଇସ୍ଲାମ୍ଙ୍କ ଆଡ଼କୁ। ହୁଏତ ପୁଲିସ ଅଧିକାରୀ ତାଙ୍କୁ ଅଟକାଇ ନଥିଲେ, ସେଠାରେ ମହାଭାରତ ସୃଷ୍ଟି ହୋଇଥାଆନ୍ତା। ମାତ୍ର ସୌଭାଗ୍ୟକୁ କଥା ସେତିକିରେ ଅଟକିଗଲା। କିନ୍ତୁ ଏହି ଘଟଣାଟି ଆଜି ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସାମାଜିକ ଗଣମାଧ୍ୟମରେ ଏହି କଳି ବହୁମାତ୍ରାରେ ଭାଇରାଲ୍ ହେଉଛି। ଅବଶ୍ୟ ପରେ ମନୋଜ ତାଙ୍କ ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ପୁଲିସ ସମାଧାନ କରିବାକୁ ଯାଇ ଏହି ମାମଲାରେ ତାଳି ପକାଇଛି। କିନ୍ତୁ କଳି ବଢ଼ାଇବାକୁ କିଛି ବ୍ୟକ୍ତି ଓ ସଂସ୍ଥା କଥାକୁ ବଢ଼ାଇ ଚଢ଼ାଇ ଓ ରଙ୍ଗ ଦେଇ ପରିବେଷଣ କରୁଛନ୍ତି।
ବବିଙ୍କ ଆଡ଼କୁ ଝପଟିଗଲେ ମନୋଜ
କ୍ଷମା ପ୍ରାର୍ଥନା କଲେ
ତାଳି ପକାଇଲା ପୁଲିସ
କିଛି ଦିନ ହେବ ମନୋଜ ଓ ବବି ଇସ୍ଲାମ୍ଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ସାମାଜିକ ଗଣମାଧ୍ୟମରେ ସେମାନେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଛନ୍ତି। ସାମାଜିକ ଗଣମାଧ୍ୟମରୁ ଏହି କଳହ ଥାନାରେ ପହଞ୍ଚିଛି। ମନୋଜଙ୍କ ପକ୍ଷରୁ ହତ୍ୟା ଧମକ ମିଳିଛି ବୋଲି ବବି ଇସ୍ଲାମ୍ କଟକ ଦରଘାବଜାର ଥାନାରେ ଅଭିଯୋଗ କରିଛନ୍ତି। ସେହିଭଳି ବବିଙ୍କ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ମନୋଜ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଏକ ସ୍ଥାୟୀ ବୁଝାମଣା କରାଇବାକୁ ଆଜି ସେମାନଙ୍କୁ ଡିସିପିଙ୍କ କାର୍ଯ୍ୟାଳୟକୁ ଡକାଯାଇଥିଲା। ଧାର୍ଯ୍ୟ ସମୟରେ ଉଭୟ ପକ୍ଷ ଡିସିପି ଅଫିସ୍ରେ ପହଞ୍ଚିଥିଲେ। କିନ୍ତୁ କାର୍ଯ୍ୟାଳୟ ଭିତରକୁ ପଶିବା ପୂର୍ବରୁ ଛୁଆଙ୍କ ଭଳି ପୁଣି କଳି ଆରମ୍ଭ ହୋଇଯାଇଥିଲା। ଦେଖାଶିଖା କଥାରୁ କଳି ବଢ଼ିଥିଲା। ହଠାତ୍ ମନୋଜ ଉତ୍କ୍ଷିପ୍ତ ହୋଇଉଠିଥିଲେ ଏବଂ ଆକ୍ରମଣାତ୍ମକ ମୁଦ୍ରାରେ ବବିଙ୍କ ଆଡ଼କୁ ଝପଟି ଯାଇଥିଲେ। ଲାଗୁଥିଲା ଯେମିତି ସେ ବବିଙ୍କୁ ମୁଥ କିମ୍ବା ଚାପୁଡ଼ା କଷିଦେବେ। କିନ୍ତୁ ତାଙ୍କୁ ପଛରୁ ଟାଣି ଧରିଥିଲେ ଜଣେ ପୁଲିସ ଅଧିକାରୀ। ପୁଲିସ ଅଧିକାରୀଜଣକ ମନୋଜଙ୍କୁ ଯେତିକି ଦୂରକୁ ଟାଣି ନେଉଥାଆନ୍ତି, ସେ ସେତିକି ଜୋର୍ରେ ପୁଲିସ ଅଧିକାରୀଙ୍କୁ ଭିଡ଼ି ବବିଙ୍କ ଆଡ଼କୁ ମାଡ଼ିଆସୁଥାଆନ୍ତି। କେବଳ ସେତିକି ନୁହେଁ, ମନୋଜ ବଡ଼ ପାଟି କରି ବବିଙ୍କୁ ଟକ୍କର ଦେବାକୁ ଆହ୍ବାନ କରୁଥାଆନ୍ତି। ସେ ଏକା ଥିଲେ ଏବଂ ବବିଙ୍କ ପାଖରେ ତାଙ୍କ ସମର୍ଥକମାାନେ ଥିବା ଦେଖି ସେ ଏଭଳି ରଡ଼ି ଛାଡ଼ୁଥିଲେ।
କୌଣସି ଅଜଣା ଲୋକ ପାଇଁ ତ ଏହା ଏକ ଫିଲ୍ମ ସୁଟିଂ ଭଳି ଥିଲା। ପରେ ଉଭୟଙ୍କୁ ଡିସିପି କାର୍ଯ୍ୟାଳୟକୁ ନିଆଯାଇ ସେମାନଙ୍କ ମଧ୍ୟରେ ବୁଝାମଣା କରାଯାଇଥିଲା। ତଥାପି ଏହି ମାମଲାରେ ଉଭୟ ପକ୍ଷରୁ ୨ଟି ମାମଲା ରୁଜୁ କରାଯାଇଛି। ଏନେଇ ପ୍ରତିକ୍ରିୟା ରଖି ମନୋଜ କହିଛନ୍ତି ଯେ ସେ ଏତେ ମାତ୍ରାରେ ଉତ୍କ୍ଷିପ୍ତ ହେବା ଠିକ୍ ନ ଥିଲା। ତେଣୁ ସମସ୍ତଙ୍କୁ କ୍ଷମା ମାଗୁଛି। ବବି ସବୁବେଳେ ବ୍ୟକ୍ତିଗତ ଭାବେ ଆକ୍ଷେପ କରୁଥିବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା ରଖିଛନ୍ତି। ସେହିଭଳି ବବି କହିଛନ୍ତି ଯେ ମନୋଜ ଜଣେ ଭଲ ଅଭିନେତା। ତେଣୁ ଡିସିପିଙ୍କ ସମ୍ମୁଖରେ ଭଲ ଅଭିନୟ କଲେ। ଆଜି ତାଙ୍କ ବ୍ୟବହାର ସ୍ପଷ୍ଟ କରିଛି ଯେ ସେ କେବଳ ପରଦାରେ ନୁହନ୍ତି, ବାସ୍ତବରେ ଜଣେ ଖଳନାୟକ।