ଭବାନୀପାଟଣା: ନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ସହ ଲିଙ୍କ ଥିବା କଳହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଦୁଲକିବନ୍ଧର ବିନୀତ ନାଏକ ପ୍ରାୟ ବର୍ଷେ ହେଲା ଭବାନୀପାଟଣା ଜେଲରେ ଅଛି। ସେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ପୁରୁଣାପଡ଼ା, ସଦର ବ୍ଲକର ବୋର୍ଡା ଓ ମାଟିଆ ଅଞ୍ଚଳର ପ୍ରାୟ ୬୦ ଜଣ ପିଲାଙ୍କଠାରୁ ଏମ୍ସିଏଲରେ ଚାକିରି ତଥା ବିଭିନ୍ନ ସ୍ଥାନରେ ଶିକ୍ଷକ ନିଯୁକ୍ତି ଦେବା ପାଇଁ ପ୍ରାୟ ୬୫ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିଥିଲା। ବିନୀତ ବଲାଙ୍ଗୀର ନକଲି ସାର୍ଟିଫିକେଟ ରାକେଟ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରର ସହଯୋଗୀ ଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ବିନୀତ ନାଏକକୁ ଜେରା କଲେ କଳାହାଣ୍ଡି ଜିଲ୍ଲାର ନକଲି ସାର୍ଟିଫିକେଟର ଗୁମର ଫିଟିବ ବୋଲି କୁହାଯାଉଛି। ଜିଲ୍ଲାର ବିଭିନ୍ନ ସ୍କୁଲରେ ନକଲି ସାର୍ଟିଫିକେଟଧାରୀ ଶିକ୍ଷକମାନେ ଚାକିରି କରୁଥିବା ପୂର୍ବରୁ ଲୋକଲୋଚନକୁ ଆସିଛି। ଶିକ୍ଷା ବିଭାଗ ପକ୍ଷରୁ ୨୦୧୦ ମସିହାରୁ ଏପର୍ଯ୍ୟନ୍ତ ପ୍ରାୟ ୪୦ରୁ ଅଧିକ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ସେମାନେ ଚାକିରି ହରାଇଛନ୍ତି।
ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ଡାକ ବିଭାଗରେ ୧୦୫ଟି ପଦବି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୭୮ ଜଣ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ୨୭ ଜଣ ଅନୁପସ୍ଥିତ ଥିଲେ। ସଂପୃକ୍ତ ୨୭ ଜଣ ନକଲି ସାର୍ଟିଫିକେଟ ଦେଇ ଆବେଦନ କରିଥିବା ଆଶଙ୍କା କରାଯାଉଛି। ସାର୍ଟିଫିକେଟ ଯାଞ୍ଚ ପାଇଁ ଆସିଥିବା ୭୮ ଜଣଙ୍କ ମଧ୍ୟରୁ ବହୁ ପ୍ରାର୍ଥୀ ବିଭିନ୍ନ ବିଷୟରେ ୯୮ ପ୍ରତିଶତ ପର୍ଯ୍ୟନ୍ତ ନମ୍ବର ରଖିଥିବା ତଦନ୍ତ ସାପେକ୍ଷ। କଳାହାଣ୍ଡି ଡାକ ମଣ୍ଡଳ ଅଧୀକ୍ଷକ ଏସଂପର୍କରେ ଏପର୍ଯ୍ୟନ୍ତ ଥାନାରେ ଏତଲା ନଦେବା ଏବଂ ସଂପୃକ୍ତ ୭୮ ଜଣଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ପଠାଇ ଦାୟିତ୍ବ ସାରିଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଏ ସଂପର୍କରେ ଡାକ ମଣ୍ଡଳ ଅଧୀକ୍ଷକଙ୍କୁ ପଚାରିଲେ ‘ମୋତେ କିଛି ପଚାରନ୍ତୁନି, ଏ ବିଷୟରେ ଫୋନ କରନ୍ତୁନି’ ବୋଲି କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/jail.jpg)