ଓଟିଭି, ଓଡ଼ିଶା ଇନ୍‌ଫ୍ରାଟେକରୁ ଇସ୍ତଫା ଦେଲେ ମନୋରଞ୍ଜନ

ଅନ୍ୟତମ ନିର୍ଦ୍ଦେଶକ ବିଭୁ ରଥଙ୍କୁ ଇଓଡବ୍ଲୁର ଜେରା
ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନରୁ କ୍ଷାନ୍ତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଜାଗିମଙ୍ଗତ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସାରୁଅ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓଟିଭିର ସିଏଫ୍ଓ ତଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀ ଉଭୟ ସିଏଫ୍ଓ ଏବଂ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିବା ତାଙ୍କର ସମ୍ପର୍କୀୟ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ଶ୍ରୀ ଷଡ଼ଙ୍ଗୀ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ। କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ତାଙ୍କୁ ଗିରଫ କରିବା ପରେ ସେ ଅଧିକ ଅସୁସ୍ଥ ହୋଇପଡ଼ିବା ସହ ମାନସିକସ୍ତରରେ ଭାଙ୍ଗି ପଡ଼ିଛନ୍ତି। କମ୍ପାନି ପାଇଁ ସେ ନିଜର ସାରା ଜୀବନ ଦେଇଛନ୍ତି। କିନ୍ତୁ ବିନା କୌଣସି ଅପରାଧରେ ଗିରଫ ହେବା ଘଟଣା ପରିବାରଲୋକଙ୍କୁ ମାନସିକସ୍ତରରେ ଆଘାତ ଦେଇଛି। ଜମି ଜାଲିଆତି ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। କାରଣ ଯେଉଁ ଜମି କିଣାବିକା ହୋଇଛି, ସେ ତାହାର ପାଵାର ଅଫ୍ ଆଟର୍ଣ୍ଣି କେବେ ନ ଥିଲେ। ତେଣୁ ତାଙ୍କର ଏଥିରେ କୌଣସି ସମ୍ପୃକ୍ତି ନାହିଁ।

ଜମି ଜାଲିଆତି ମାମଲାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମି‌ଟେଡ୍‌ର ଅନ୍ୟତମ ନିର୍ଦ୍ଦେଶକ ବିଭୁ ରଥଙ୍କୁ ଆଜି ପ୍ରାୟ ୩ଘଣ୍ଟା ଧରି ଜେରା କରିଛି ଇଓଡବ୍ଲୁ। ସେ ୨୦୧୦ ପୂର୍ବରୁ ନିର୍ଦ୍ଦେଶକ ଥିବାରୁ ଜମି କିଣାବିକାରେ ତାଙ୍କର ସମ୍ପୃକ୍ତି ନେଇ ଜେରା କରାଯାଇଥିବା ଜଣାପଡ଼ିଛି। ତାଙ୍କୁ ପୁଣି ଜେରା କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ସାରୁଆ ଜମି ଜାଲିଆତି ନେଇ ଜାତୀୟ ଦଳିତ ମହାସଭା ପକ୍ଷରୁ ଆଜି କ୍ୟାପିଟାଲ ଥାନାରେ ଏକ ଏତଲା ଦିଆଯାଇଛି। ବୈଜୟନ୍ତ ପଣ୍ଡା ଏବଂ ଜାଗି ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି।

ଅପରପକ୍ଷେ ଓଟିଭି ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଓ ନିର୍ଯାତନାରୁ ପୁଲିସ କ୍ଷାନ୍ତ ରହିବା ପାଇଁ ଏମ୍‌ଡି ଜାଗି ମଙ୍ଗତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ଶ୍ରୀମତୀ ପଣ୍ଡା କହିଛନ୍ତି, ଦୁଇ ମାସ ମଧ୍ୟରେ ଓଟିଭି ଓ ଏହାର କର୍ମଚାରୀଙ୍କ ବିରୋଧରେ ୧୨ରୁ ଅଧିକ ମାମଲା ରୁଜୁ ହୋଇ ସାରିଲାଣି। ପୁଲିସ ଆଇନ ଉଲ୍ଲଂଘନ କରି ବେଆଇନ ଭାବେ ଗିରଫଦାରୀ ଓ ନିର୍ଯାତନା ଦେଉଛି। ଯେଉଁଥିପାଇଁ କର୍ମଚାରୀମାନେ ଇସ୍ତଫା ଦେଉଛନ୍ତି। ଓଟିଭି ନିର୍ଭୀକ ଭାବେ ଦୁର୍ନୀତିର ଖୁଲାସା କରୁଥିବାରୁ ଏଭଳି ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯାହା ରାଜ୍ୟବାସୀ ଜାଣି ସାରିଛନ୍ତି।

ସମ୍ବନ୍ଧିତ ଖବର