ଫଟୋଗ୍ରାଫର ହତ୍ୟା ମାମଲା: ମିଳିଲା ମାନସ ସ୍ବାଇଁଙ୍କ ମୋବାଇଲ

ଯାଜପୁର: ବହୁ ଚର୍ଚ୍ଚିତ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ପୁଲିସକୁ ଏକ ବଡ ସଫଳତା ମିଳିଛି । ତଦନ୍ତ କରୁଥିବା ପୁଲିସ ଟିମକୁ ଆଜି ମୃତ ମାନସ ସ୍ୱାଇଁଙ୍କ ମୋବଇଲ ଫୋନ ମିଳିଛି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରୁ ମାନସଙ୍କ ମୋବାଇଲ ମିଳିଥିବା ନେଇ ପୁଲିସ ସୂଚନା ଦେଇଛି। ସେପଟେ ସାଇଣ୍ଟିଫିକ ଟିମ ସହ ପୁଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ, ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟାମାମଲା ଏବେ ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗୋଟିଏ ପଟେ ମାନସଙ୍କୁ ଜଣେ ୱେବ ପୋର୍ଟାଲର ମାଲିକାଣୀଙ୍କ ସହଯୋଗରେ ହତ୍ୟା କରାଯାଇଥିବା କଥା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଥିବା ବେଳେ ଅଭିଯୁକ୍ତ ୱେବ ଚ୍ୟାନେଲର ମାଲିକାଣୀ ଏବେ ବି ଫେରାର ଅଛନ୍ତି । ପ୍ରଥମେ ପୁଲିସ ତାଙ୍କ ଫୋନକୁ ଟ୍ରାକିଂ କରି ସେ ଓଡିଶାରେ ଥିବା କଥା କହୁଥିବା ବେଳେ ଏବେ ଆଉ ଫୋନ ଟ୍ରାକିଂ ହୋଇପାରୁ ନାହିଁ। ଏହାସହ ସେ ମୋବାଇଲ ସୁଇଚ ଅପ୍ କରି ରାଜ୍ୟ ବାହାରକୁ ପଳାଇଯାଇଥିବା କଥା ଅନୁମାନ କରାଯାଉଛି । ଏନେଇ ପୁଲିସ ଟିମ ଓ ସାଇଣ୍ଟିଫିକ ଟିମ ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି । ସେପଟେ ମାନସ ସ୍ୱାଇଁଙ୍କୁ ଅପହରଣ କରାଯିବାର ଦୃଶ୍ୟ ଜଣେ ପ୍ରତ୍ୟେକ୍ଷ ଦର୍ଶୀ ବୟାନ ଦେବା ପରେ ସଂପୃକ୍ତ ୱେବ ପୋର୍ଟାଲର ମାଲିକାଣୀ ଷର୍ମିଷ୍ଠା ରାଉତ ଏହି ହତ୍ୟାକାଣ୍ଡର ମୁଖ୍ୟ ବୋଲି ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର