ସରିଲା ବିଧାନସଭା, ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ବର: ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଶେଷ ହୋଇଛି ବିଧାନସଭା ଅଧିବେଶନ । ଅଧିବେଶନ ଶେଷ ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଜି ଶେଷ ଦିନରେ ୫ଟି ବିଲ୍ ଗୃହୀତ ହେବା ସହ ସିଏଜିଙ୍କ ରିପୋର୍ଟ ମଧ୍ୟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ । ଏଥର ମୌସୁମୀ ଅଧିବେଶନରେ ମୋଟ ୭ଟି ବିଲ୍ ଗୃହୀତ ହୋଇଛି ।

ଆଜି ଗୋଟିଏ ଦିନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ୫ଟି ବିଲ୍ ପାରିତ ହୋଇଛି । ସେଗୁଡ଼ିକ ମଧ୍ୟରେ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ, ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ଓଡିଶା ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ ରହିଛି।
ଆଜି ବହୁ ହଟ୍ଟଗୋଳ ଭିତରେ ବିଧାନସଭାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ହୋଇଥିଲା । ଏ ନେଇ ବିଜେପି ଓ କଂଗ୍ରେସର ବିଧାୟକମାନେ ବାରମ୍ବାର ହଟ୍ଟଗୋଳ କରିବା ସହ ଏହି ବିଲ୍ ପାରିତ ହେଲେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶାସକ ଦଳର ପ୍ରାର୍ଦୁଭାବ ବଢିବ ବୋଲି  ଅଭିଯୋଗ କରିଥିଲେ । ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଧ୍ୱନିମତ ସହାୟତାରେ ଏହି ବିଲକୁ ପାରିତ କରାଇ ନେଇଥିଲେ।  ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେଇ ଶ୍ରୀ ସାହୁ କହିଛନ୍ତି କି କେନ୍ଦ୍ର ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଅନ୍ୟ ରାଜ୍ୟରେ କୁଳପତି ଚୟନରେ ଯେଉଁ ବ୍ୟବସ୍ଥା ରହିଛି, ଆମ ରାଜ୍ୟରେ ଭିନ୍ନ । ସେହି ସବୁ ରାଜ୍ୟ କୁଳପତି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । କିନ୍ତୁ ରାଜ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତା ଭିତରେ କୁଳପତି ଚୟନ କରାଯାଇଥାଏ ।
ଏହି ଅଧିବେଶନ ସମୟରେ ମୋଟ ୩ଟି ମୁଲତବୀ ପ୍ରସ୍ତାବ ଆସିଥିଲା । କରୋନା କାଳରେ ଚର୍ଚ୍ଚାରେ ରହିଥିଲା ବିଧାନସଭା ଅଧିବେଶନ । କରୋନା କଟକଣା ମଧ୍ୟରେ ବିଧାନସଭା ଶେଷ ହୋଇଛି । ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହି ନଥିଲା ।
ସମ୍ବନ୍ଧିତ ଖବର