ବେଦବ୍ୟାସ: ଗତ ମାସ ୨୩ ତାରିଖ ସଂଧ୍ୟାରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗର୍ଜନ ମହୁଲଟୋଲା ଛକରେ ମଙ୍ଗଳୁ କିସାନଙ୍କୁ ସଂଘବଦ୍ଧ ଆକ୍ରମଣ, ଲୁଟ୍‌ ଓ ଗୁଳିକାଣ୍ଡ ଘଟଣାରେ ପୁଲିସ୍ ୫ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ୯ ଜଣ ସଂପୃକ୍ତ ଥିବାବେଳେ ଆଉ ୪ ଜଣ ଫେରାର ଥିବା ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କହାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁନ୍ଦୁଆପଦାର ପ୍ରବୀଣ ମିଞ୍ଜ (୩୧), ବଡ଼ନୂଆଗାଁର ଉଇଲିୟମ୍‌ ସୋରେଙ୍ଗ (୩୬), ରାନିପିଆର ନରେଶ ନାଗ ଓରଫ ବତ୍‌ରୁ (୪୩), ଡୁଙ୍ଗାଜୋର୍‌ର ରାଜ ବାର୍ଲା ଓରଫ ଝିର୍‌ଗା (୩୦), ଭଗାଟୋଲାର ସୁଜିତ୍‌ ଭେଙ୍ଗ୍ରା ଓରଫ ଖଇନି (୨୧)। ପୁଲିସ୍‌ ସେମାନଙ୍କଠାରୁ ଏକ ଟିଭିଏସ୍‌ ଆପାଚି୍‌ ବାଇକ୍‌, ଗୋଟିଏ ଭୁଜାଲି ଓ ୪ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ଘଟଣାରେ ସଂପୃକ୍ତ ଆଉ ୪ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ପାନପୋଷ ଏସ୍‌ଡିପିଓ ଉପାସନା ପାଢ଼ୀ ସୂଚନା ଦେଇଛନ୍ତି।

Advertisment

ପୁଲିସ ସୂଚନା ଅନୁଯାୟୀ, ଗର୍ଜନର ମଙ୍ଗଳୁ କିସାନ ନିଜ ପରିବାର ସହ ଗତ ମାସ ୨୩ ତାରିଖରେ ରାଜଗାଙ୍ଗପୁର କୋର୍ଟ ଯାଇଥିଲେ। ଅଭିଯୁକ୍ତମାନେ ମଧ୍ୟ କୋର୍ଟକୁ ଯାଇଥିଲେ। ମଙ୍ଗଳୁ ଓ ତାଙ୍କ ପରିବାର ଏକ କାର୍‌ରେ ଘରକୁ ଫେରୁଥିବାବେଳେ ଅଭିଯୁକ୍ତମାନେ ମୋଟରସାଇକଲ୍‌ରେ ପିଛା କରିଥିଲେ। ଗର୍ଜନ ମହୁଲଟୋଲା ଛକ ନିକଟରେ ସୁଯୋଗ ପାଇ ଅଭିଯୁକ୍ତମାନେ ତାଙ୍କ କାର୍‌କୁ ରାସ୍ତା ମଝିରେ ଅଟକାଇ ଥିଲେ। ମଙ୍ଗଳୁ କାର୍‌ରୁ ଓହ୍ଲାଇ କାହିଁକି ଅଟକାଉଛ ବୋଲି ପଚାରିଥିଲେ। ହେଲେ ଅନ୍ଧାରର ଫାଇଦା ଉଠାଇ ସେମାନେ ଭୁଜାଲିରେ ମଙ୍ଗଳୁଙ୍କ ମୁଣ୍ଡ ଓ ଗୋଡ଼କୁ ହାଣି ତାଙ୍କ ପାଖରେ ଥିବା ୬୭ ହଜାର ଟଙ୍କା ଲୁଟି ନେଇଥିଲେ। ଗୁରୁତର ମଙ୍ଗଳୁ ତଳେ ପଡି ଚିତ୍କାର କରିବାରୁ କାର୍‌ ଭିତରେ ବସିଥିବା ପତ୍ନୀ, ଝିଅ ଓ ଅନ୍ୟ ଦୁଇ ପଡୋଶୀ ବାହାରି ଆସିଥିଲେ। ସେମାନଙ୍କୁ ଭୟଭୀତ କରିବାକୁ ଜଣେ ଦୁର୍ବୃତ୍ତ ପିସ୍ତଲ ବାହାର କରି ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲା ଓ ସମସ୍ତେ ଘଟଣାସ୍ଥଳରୁ ମୋଟରସାଇକଲ୍‌ରେ ଫେରାର ହୋଇଯାଇଥିଲେ। ଏହି ଗୁଳିକାଣ୍ଡ ଓ ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ରହିଥିବା କୁହାଯାଉଛି। ମଙ୍ଗଳୁଙ୍କ ପରିବାର ସହ ଶତ୍ରୁତା ଥିବା ଜଣେ ବ୍ୟକ୍ତି ତାଙ୍କୁ ମାରିବା ପାଇଁ ଦୁର୍ବୃତ୍ତମାନଙ୍କୁ ପଠାଇଥିବା କୁହାଯାଉଛି। ତେବେ ଅନ୍ୟ ଅଭିଯୁକ୍ତମାନେ ଧରା ପଡ଼ି ନଥିବାରୁ ପୁଲିସ୍ ଏ ବିଷୟରେ ଅଧିକ ତଥ୍ୟ ଦେବାକୁ ମନା କରି ଦେଇଛି।