‘ମନ୍ତେଇ’ ଅନେକ ସ୍ମୃତିର ସାଇତା ଇତିହାସ

ଭଦ୍ରକ : ନଈ ମଣିଷର ସାଥୀ ଆଉ ସ୍ମୃତି। ନଈକୁ ନେଇ ମଣିଷ କେତେ କଣ ଭାବନା ରାଇଜରେ କଳ୍ପନା କରେ, ତାହା ବର୍ଣ୍ଣନାତୀତ।‌ ସେ ଛୋଟ ହେଲେ ବି ତାର ସ୍ମୃତି ଅପାସୋରା ହୋଇ ରହିଥାଏ। ସେ ଭିତରୁ ମନ୍ତେଇ ନଈ ଅନେକ ସ୍ମୃତିର ସାଇତା ଇତିହାସ ବୋଲି ‘ମନ୍ତେଇ ମହୋତ୍ସବ-୨୦୨’ରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଶନିବାର ଦିନ ଭଦ୍ରକ ସହିଦ୍ ସ୍ମୃତିଭବନ ପରିସରରେ ଆୟୋଜିତ ପ୍ରଥମ ‘ମନ୍ତେଇ ମହୋତ୍ସବ-୨୦୨୨କୁ ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ଫିଚର ସଂପାଦକ ଡ.ଗୌରହରି ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ନଈ ବଞ୍ଚିଲେ ମଣିଷ ବଞ୍ଚିବ। ନଈ ମରିଗଲେ ମଣିଷ ବି ମରିଯିବ। ନଈ ଆମର ଚିର ନମସ୍ୟ। ମୋ ଗାଁ ‘ମନ୍ତେଇ ନଈକୂଳରେ ହୋଇଥିବାରୁ ତା ସହ ମୋର ସଂପର୍କ ଅତି ନିବିଡ଼। ତେଣୁ ‘ମନ୍ତେଇକୁ ମୁଁ ମୋର ଅଧିକାଂଶ ଲେଖାରେ ସ୍ଥାନ ଦେଇଛି। ମନ୍ତେଇ ଅନେକ ଇତିହାସର ମୂକସାକ୍ଷୀ। ଏହି ନଦୀର ଚାରବାଟିଆ କୂଳରେ ଏକଦା ପାଦ ପକାଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ଡ.ହରେକୃଷ୍ଣ ମହତାବଙ୍କ ଭଳି ମହାନ ବ୍ୟକ୍ତିତ୍ବ।

‘ନିତିଦିନର ସଂପାଦକ ମନୋଜ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଯୋଗ‌ ଦେଇଥିଲେ ଗାଳ୍ପିକ ପ୍ରଫେସର ଡ. ଅଜୟ ସ୍ବାଇଁ ଓ ସମ୍ମାନିତ ଅତିଥି ଥିଲେ ଗା‌ଳ୍ପିକ ଡ.ଅରବିନ୍ଦ ରାୟ, ସ୍ତମ୍ଭକାର ଅଭୟ ଦ୍ବିବେଦୀ।

ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ବିଜୟ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ‌ରେ ମୁଖ୍ୟଅତିଥି ଡ.ଗୌରହରି ଦାସଙ୍କୁ ‘ମନ୍ତେଇ ସମ୍ମାନ ଓ ପଦ୍ମଲୋଚନ ନାୟକଙ୍କୁ ‘ମନ୍ତେଇ ମ‌ରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ସଭା ପ୍ରାରମ୍ଭରେ ପ୍ରଫେସର ଅଟଳ ବିହାରୀ ନାୟକ ମହୋତ୍ସବର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। କବି ବାଦଲ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ଶ୍ରୀଗୋବିନ୍ଦ ସ୍ବାଗତ ଭାଷଣ ଦେଇଥିଲେ। ବିକାଶ ଶତପଥୀ ବେଦପାଠ, ରୁଦ୍ରମାଧବ ଓ ସାଥୀ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ଦିବ୍ୟସିଂହ ଦାସ ଅଧିକାରୀ, ଅଧ୍ୟାପିକା ଉଷାରାଣୀ ଜେନା, ଅରୁପାନନ୍ଦ ନାୟକଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଉଦ୍‌ଯାପନୀ ସଂଧ୍ୟାରେ ‘ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକଙ୍କ ସଭାପତିତ୍ବରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ‘ସାଧନାର କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ନାୟକ, ଅଧ୍ୟାପକ ହିମାଦ୍ରୀ ଭୂଷଣ ନାୟକ, ରୋହିତ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର