ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ୍ତରଖାନା ପରିସରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମୃତ ଶିଶୁକୁ ବଞ୍ଚାଇବା ପାଇଁ ଗୁଣିଆ ମୃତଦେହକୁ ଲୁଣରେ ପୋତି ମନ୍ତ୍ରତନ୍ତ୍ର କରିଛନ୍ତି। ଶେଷରେ, ସମ୍ପୃକ୍ତ ଗୁଣିଆ ଜଣକ ଡାକ୍ତରଖାନା ପରିସରରୁ ଛୁ’ ମାରିଥିବା ବେଳେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ପରିବାରର ଲୋକ ପୁଅ ବଂଚିଯିବ ବୋଲି ମନ ଭିତରେ ଯେଉଁ ଆଶାପୋଷଣ କରିଥିଲେ, ତାହା ପୁଣିଥରେ ଶୋକରେ ପରିଣତ ହୋଇଯାଇଛି।
ମୃତ ଶିଶୁ ହେଲେ, ବାସୁଦେବପୁର କଶିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ଗଦେଇବିନ୍ଧା ଗ୍ରାମର ରୋହିତାସ ଜେନାଙ୍କ ପୁଅ ରୋହନ। ରେହନ ଆଜି ସକାଳେ ଦାଣ୍ଡରେ ଖେଳୁଥିଲେ। ଏହିସମୟରେ ସେ ଘର ନିକଟସ୍ଥ ଏକ ପୋଖରୀରେ ପଡ଼ିଯାଇଥିଲେ। ପରିବାର ଲୋକ ରୋହନଙ୍କୁ ଅଚେତ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନା ନେଇଯାଇଥିଲେ। ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଲେ। ପରିବାର ଲୋକଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଗଲା। ଏତିକିବେଳେ ଜଣେ ଗୁଣିଆ ପହଞ୍ଚି ରୋହନଙ୍କୁ ମନ୍ତ୍ର ଦ୍ବାରା ବଞ୍ଚାଇଦେବ ବୋଲି ଦାବି କଲା। ପୁତ୍ରହରା ପରିବାର ଲୋକ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ତାର କଥାକୁ ମାନିଗଲେ। ଗୁଣିଆ ଜଣକ ଡାକ୍ତରଖାନା ପରିସରରେ ରୋହନଙ୍କ ମୁଣ୍ଡକୁ ଛାଡ଼ି ଶରୀରର ବାକି ଅଂଶ ଲୁଣରେ ପୋତିଦେଲା। ପରେ ଦୀର୍ଘ ସମୟ ମନ୍ତ୍ରତନ୍ତ୍ର କଲା। ଏତିକିବେଳେ ଚମତ୍କାର ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମା ହୋଇଯାଇଥିଲା। ହେଲେ ସ୍ବାଭାବିକ ଭାବେ ସେମିତି କିଛି ହୋଇ ନଥିଲା। ଏପରି ସମୟରେ ଖବର ପାଇ ସ୍ଥାନୀୟ ପୁଲିସ ଡାକ୍ତରଖାନାରେ ପହଞ୍ଚିଥିଲା। ଫଳରେ ଗୁଣିଆ ଜଣକ ସେଠାରୁ ଚମ୍ପଟ ମାରିଥିଲା। ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।