ସମ୍ବଲପୁର: ଲୋକପ୍ରିୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ନାଁ ନେଇ କେହି ଟଙ୍କା ମାଗୁଥିଲା। ଏ କଥା ନିଜେ ମଣ୍ଟୁ ଛୁରିଆ ସମ୍ବଲପୁର ସାଇବର୍‌ ଥାନାରେ ସୋମବାର ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ୨ ଦିନ ମଧ୍ୟରେ ସମ୍ବଲପୁର ପୁଲିସକୁ ବଡ଼ ସଫଳତା ମିଳିଛି। ସମ୍ବଲପୁର ସାଇବର୍‌ ଥାନା ପୁଲିସ ଦେବଗଡ଼ ଯାଇ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ଦେବଗଡ଼ର ଜନ୍ମେଜୟ ସାମଲ(୨୧) ଓ ଛବିଳ ସାମଲ(୨୨)। ପୁଲିସ ସୂଚନା ଅନୁଯାୟୀ, ଏହି ୨ ଅଭିଯୁକ୍ତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ନାଁରେ ଜାଲ୍‌ ଆକାଉଣ୍ଟ କରି ଖୋଲି ଝିଅମାନଙ୍କୁ ଟାର୍ଗେଟ୍‌ କରୁଥିଲେ।

Advertisment

ସେମାନଙ୍କୁ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ମାଗିବା ସହ ଅସଦାଚରଣ କରୁଥିଲେ। ଏହା ଜାଣିବା ପରେ ମଣ୍ଟୁ ସୋମବାର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ବୁର୍ଲା ଏସ୍‌ଡିପିଓ ସତ୍ୟବ୍ରତ ଦାଶଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ବୁଧବାର ସକାଳେ ଦେବଗଡ଼ରେ ଚଢ଼ଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନଙ୍କ ପାଖରୁ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି। ବୁଧବାର ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।