ବାହାନଗା ରେଳ ଦୁର୍ଘଟଣା: ଏବେ ବି ନିଖୋଜ ଅନେକ, ଫଟୋ ଧରି ବୁଲୁଛନ୍ତି ସଂପର୍କୀୟ

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାକୁ ତିନି ଦିନ ବିତିଲାଣି। ରେଳଧାରଣା ମରାମତି ସରିଲାଣି। ଟ୍ରେନ୍‌ ଚଳାଚଳ ବି ସ୍ବାଭାବିକ ସ୍ଥିତିକୁ ଫେରୁଛି। କିନ୍ତୁ ଏବେ ବି କିଛି ଲୋକଙ୍କ ଖୋଜ୍‌ଖବର ମିଳୁନି। ସେମାନଙ୍କ ଫଟୋ ଧରି ସଂପର୍କୀୟମାନେ ଖୋଜି ବୁଲୁଛନ୍ତି। କିଏ ପୁଅକୁ ଖୋଜୁଛି ତ ଆଉ କିଏ ଭାଇକୁ। ଦିନରାତି ଏକ କରି ଏ ହସ୍ପିଟାଲରୁ ସେ ହସ୍ପିଟାଲ ଦୌଡ଼ୁଛନ୍ତି। ମନ ମାନୁ ନଥିବାରୁ ଦୁର୍ଘଟଣା ସ୍ଥଳରେ ପଡ଼ିଥିବା ରେଳ ବଗି ତଳେ ପଶି ଉଣ୍ଡାଳୁଛନ୍ତି। ଆଜି ବି ପଶ୍ଚିମବଙ୍ଗର ପୂର୍ବମେଦିନାପୁର ଅଞ୍ଚଳର ଶ୍ୟାମଚରଣ ମାଇତିଙ୍କ ପୁଅ ମାନସ ମାଇତିଙ୍କୁ ଖୋଜିବା ଲାଗି ସମ୍ପର୍କୀୟମାନେ ବାହାନଗା ଷ୍ଟେସନ୍‌ ବଜାରଠାରୁ ଆରମ୍ଭ କରି ସ୍କୁଲ ପର୍ଯ୍ୟନ୍ତ ଖୋଜି ବୁଲିଥିଲେ।

‌‌ସେମାନଙ୍କ କହିବା କଥା, ମାନସ ଚେନ୍ନାଇ ଯିବା ଲାଗି ଅପରାହ୍‌ଣ ୫ଟାରେ ଖଡ଼ଗପୁର ଷ୍ଟେସନ୍‌ରୁ ଟ୍ରେନ୍‌ ଧରିଥିଲେ। ଦୁର୍ଘଟଣା ପରେ ତାଙ୍କୁ ଯେତେ‌ ଯୋଗାଯୋଗ କରାଗଲେ ମଧ୍ୟ ମୋବାଇଲ୍‌ ବନ୍ଦ କହୁଛି। ବାଲେଶ୍ବର ମୁଖ୍ୟ ମେଡିକାଲରୁ ଆରମ୍ଭ କରି ଭୁବନେଶ୍ବର, କଟକରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦେଖି ସାରିଛୁ। ତା’ ପରେ ବି ତାଙ୍କ ପତ୍ତା ମିଳୁନି। ରାଜ୍ୟ ସରକାରଙ୍କ ୱେବସାଇଟ୍‌ରେ ଛଡ଼ାଯାଇଥିବା ମୃତାହତଙ୍କ ଫଟୋ ଦେଖିଥିଲେ ମଧ୍ୟ ସେଥିରେ ମାନସ ନ ଥିବା ସେମାନେ କହିଛନ୍ତି।

କେବଳ ମାନସଙ୍କ ପରିବାର ନୁହନ୍ତି, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ସମେତ ଓଡ଼ିଶାର ଭଦ୍ରକ, ବାଲେଶ୍ବରର ବହୁ ଲୋକ ‌ନିଜ ସମ୍ପର୍କୀୟଙ୍କୁ ଷ୍ଟେସନ୍‌ ନିକଟରେ ଖୋଜୁଛନ୍ତି। ମୃତ ବ୍ୟକ୍ତିମାନଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇସରିଛି। ବିଦ୍ୟାଳୟରେ ରଖାଯାଇଥିବା ମୃତଦେହଗୁଡ଼ିକୁ ଅନ୍ୟତ୍ର ନିଆଯାଇଛି। ତାହା ପରେ ବି ସେମାନଙ୍କ ମନ ମାନୁନି। କାଳେ କେଉଁଠି ସେମାନଙ୍କ ସମ୍ପର୍କୀୟ ରହିଯାଇଥିବେ, ସେହି ଆଶାରେ ଘୂରି ବୁଲୁଛନ୍ତି। ଏପରିକି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ମୃତଦେହ ଫଟୋ ଜାରି ହୋଇଥିଲେ ‌ମଧ୍ୟ ସେଥିରେ ସମ୍ପର୍କୀୟ ମିଳୁ ନ ଥିବା ଅଭିଯୋଗ କରିଛନ୍ତି।

ଏହାରି ଭିତରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କରମଣ୍ଡଳ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୮୦୦ଜଣ କେବଳ ପଶ୍ଚିମବଙ୍ଗର। ଓଡ଼ିଶାର ୨୦୦ରୁ ଅଧିକ ଯାତ୍ରୀ ରହିଥିଲେ। ଜେନେ‌ରାଲ ବଗିରେ ରହିଥିବା ଅଧିକାଂଶ ଲୋକ ଭଦ୍ରକ, ସୋର, ଯାଜପୁର ଅଞ୍ଚଳରେ ଓହ୍ଲାଇବାର ଥିଲା। ସେମାନଙ୍କ ମଧ୍ୟରୁ କିଛିଜଣ ଟିକେଟ୍‌ କରି ନ ଥିଲେ। ବାଲେଶ୍ବର ଷ୍ଟେସନରୁ ପାଖାପାଖି ୧୩୦ଜଣ ଚଢ଼ିଥିବା ସୂଚନା ମିଳିଛି। କେଉଁ ରାଜ୍ୟରୁ କେତେ ଯାତ୍ରୀ ଚଢ଼ିଥିବା ନେଇ ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ବିହାର, ଆନ୍ଦ୍ରପ୍ରଦେଶ, ତାମିଲନାଡ଼ୁ ଓ ଆସାମର ଯାତ୍ରୀ ରହିଥିବା ନେଇ ଦକ୍ଷିଣ ପୂର୍ବ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର