ଅନେକ ଦେଶରେ କରୋନା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ

ରାଜ୍ୟରେ କରୋନା ଚିହ୍ନଟଙ୍କ ମଧ୍ୟରୁ ୮୦ %ଙ୍କ ଲକ୍ଷଣ ନାହିଁ

ଭୁବନେଶ୍ବର : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଆକଳନ ଅନୁସାରେ ବିଶ୍ବର ଅନେକ ଦେଶରେ କରୋନା (କୋଭିଡ-୧୯) ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତି ପୁନର୍ବାର କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି। କରୋନା ଏକ ଲମ୍ବା ଦୌଡ଼, ତେଣୁ ଏଥିରେ କୋହଳ ହେବାର ପ୍ରଶ୍ନ ଉଠୁନାହିଁ। କରୋନାର ମୁକାବିଲା ପାଇଁ ସଙ୍ଗରୋଧ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଶ୍ରୀ ବାଗଚୀ କହିଥିଲେ, ଡବ୍ଲ୍ୟୁଏଚ୍‌ଓର ମୁଖ୍ୟ ଡା.ଟେଡ୍ରସ ଗେବ୍ରିସସ୍‌ ୬ଟି ବିଷୟକୁ ଗୁରୁତ୍ବ ଦେଇଛନ୍ତି। ପ୍ରତ୍ୟେକ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା, ତାଙ୍କୁ ଅଲଗା ରଖିବାର ବ୍ୟବସ୍ଥା କରିବା, ଚିହ୍ନଟ ବ୍ୟକ୍ତିଙ୍କୁ ପରୀକ୍ଷା ଓ ସେମାନଙ୍କ ଚିକିତ୍ସା କରିବା ଉପରେ ଗୁରୁତ୍ବ ଦିଆଯିବା ଦରକାର। ଏହାସହ କଣ୍ଟାକ୍ଟ ଟ୍ରେସିଂ ଓ ସୂଚନା, ସଶକ୍ତିକରଣ ଓ ସହଯୋଗକୁ ବଜାୟ ରଖିବା ଉଚିତ୍।

ସେ ଆହୁରି ମଧ୍ୟ କହିଥିଲେ ଯେ, ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା କରୋନା ବିଶ୍ବର ୩୦ଲକ୍ଷ ଲୋକଙ୍କୁ ସଂକ୍ରମିତ କରିବା ଲାଗି ମାତ୍ର ୫ମାସ ସମୟ ନେଇଥିଲା। ଆରମ୍ଭରୁ କରୋନା ସଂକ୍ରମିତଙ୍କ ଶ୍ବାସ କଷ୍ଟ ଦେଖିବାକୁ ମିଳିଥିବା ବେଳେ ଏବେ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ଏହା ପ୍ରଭାବିତ କରୁଛି। ଯାହାକୁ କରୋନା ଥରେ ହୋଇଛି ପରବର୍ତୀ ସମୟରେ ହେବ ନାହିଁ ବୋଲି କୁହାଯାଉଥିଲା, ମାତ୍ର ଏବେ ଏହାକୁ ନିର୍ଦ୍ଦିଷ୍ଟ ଭାବେ କହିବା ମୁସ୍କିଲ। ପୂର୍ବରୁ ଛୋଟ ପିଲାମାନଙ୍କୁ କରୋନା ହେଉ ନ ଥିବା କୁହାଯାଉଥିବା ବେଳେ ପୁଷ୍ଟିର ଅଭାବ ଥିବା ଶିଶୁମାନଙ୍କୁ ମଧ୍ୟ କରୋନା ହୋଇପାରେ ବୋଲି ବୈଜ୍ଞାନିକମାନେ କହୁଛନ୍ତି। କରେନା ପାଇଁ କୌଣସି ଟିକା ନ ଥିବା ବେଳେ କେବେ ଏହି ଟିକା ଆସିବ କେହି କହିପାରୁ ନାହାନ୍ତି। ରାଜ୍ୟରେ ଯେତିକି ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟର ୮୦ ପ୍ରତିଶତଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ମାତ୍ର ଏ‌ମାନେ ଅନ୍ୟ ଲୋକମାନଙ୍କୁ ସଂକ୍ରମଣ କରିପାରିବେ। ଟିକା ନ ଥିବାରୁ ଏଭଳି ପରିସ୍ଥିତିରେ ମାନବ ଜାତିର ଯଦି ୭୦ ପ୍ରତିଶତରୁ ଅଧିକ ଲୋକ କରୋନା ସଂକ୍ରମିତ ହେଲେ ଏକ ଗୋଷ୍ଠୀଗତ ଭାବେ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ତେବେ ଏତେ ସଂଖ୍ୟାରେ ଲୋକ ସଂକ୍ରମିତ ହେବା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିବ ବୋଲି ଶ୍ରୀ ବାଗଚୀ କହିଛନ୍ତି।

ସମ୍ବନ୍ଧିତ ଖବର