ମା’ ବିରଜାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ: କଟକଣାରୁ ନୂଆବର୍ଷ ଫିକା, କୁସୁମା ବନ୍ଦ ଯୋଗୁଁ ପର୍ଯ୍ୟଟକ ନିରାଶ

ଯାଜପୁରସଦର: ନୂଆବର୍ଷ ସକାଳୁ ହଜାରହଜାର ଶ୍ରଦ୍ଧାଳୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ପ୍ରଶାସନର ନିଷ୍ପତ୍ତି ଅନୁସାରେ ସକାଳୁ ମନ୍ଦିର ‌ଖୋଲା ଥିବାରୁ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସହରର କୁସୁମା ଓ ଅନ୍ୟାନ୍ୟ ସ୍ଥାନ ବନ୍ଦ ଥିବାବେଳେ କେବଳ ମା’ବିରଜାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ରହିଥିଲା। ଧର୍ମୀୟ ଭାବନାକୁ ତଥା ସେବାୟତଙ୍କ ଜୀବିକା ପ୍ରତି ଧ୍ୟାନ ଦେଇ କୋଭିଡ୍‌ କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିଲେ। ତେଣୁ ଆଜି ସକାଳୁସକାଳୁ ବିଭିନ୍ନ ପ୍ରାନ୍ତରୁ ଶହଶହ ଲୋକ ମା’ଙ୍କ ଦର୍ଶନ ପାଇଁ ଧାଇଁ ଆସିଥିଲେ।

ମନ୍ଦିର ଭିତରେ ନିୟୋଜିତ ପୁଲିସ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦେଉଥିବା ବେଳେ ଧାଡ଼ିହୋଇ ସମସ୍ତେ ମା’ଙ୍କୁ ଦର୍ଶନ କରିଥିଲେ। ତେବେ ଅନ୍ୟାନ୍ୟ ଜିଲ୍ଲାରେ ମଠମନ୍ଦିରରେ କଟକଣା ଥିବାରୁ ବାହାର ରାଜ୍ୟ ଓ ଜିଲ୍ଲାରୁ ଶ୍ରଦ୍ଧାଳୁଙ୍କୁ ସେତେ ମାତ୍ରାରେ ‌ଦେଖିବାକୁ ମିଳି ନଥିଲା। ଏହି ଅବସରରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବା ସହ  ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ।

ଅପରପକ୍ଷେ କୁସୁମା ପାର୍କ ବନ୍ଦ ଥିବାରୁ ସେଠାରେ ବୁଲି ନପାରି ଲୋକମାନେ ନିରାଶ ହୋଇଛନ୍ତି। ପାର୍କ ଭିତରେ ରଙ୍ଗବେରଙ୍ଗ ଫୁଲର ସମ୍ଭାର ସହ ପାର୍କ ଓ ବୋଟିଂ ବ୍ୟବସ୍ଥା ରହିଛି। ଅତ୍ୟଧିକ ଭିଡ଼ ଭୟରେ ପୌର ପ୍ରଶାସନ ଏହାକୁ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିଥିବାରୁ ବହୁ ପର୍ଯ୍ୟଟକ ନିରାଶ ହୋଇଛନ୍ତି। ସେମାନେ କୁସୁମା ବାହାରେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରି ଫେରିବାକୁ ବାଧ୍ୟ ହୋଇଛନ୍ତି। ମୋଟାମୋଟି ଭାବେ କୋଭିଡ୍‌ କଟକଣା ନୂଆବର୍ଷ ୨୦୨୨କୁ ଫିକା ପକାଇ ଦେଇଛି।

ସମ୍ବନ୍ଧିତ ଖବର