ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଅନ୍ତଃରାଜ୍ୟ ବସ୍ ସେବା ବନ୍ଦ କରିଦିଆଯାଇଛି। ଏବେ ବି ଟ୍ରେନ୍ ଓ ବିମାନ ଯାତାୟାତ କରୁଛି। ହେଲେ ବିମାନରେ ଯାତ୍ରୀ ହେଉନାହାନ୍ତି। ଅଧିକାଂଶ ବିମାନରେ ଯାତ୍ରୀ ହେଉନଥିବାରୁ ବିମାନ ସଂସ୍ଥାଗୁଡ଼ିକ ଏବେ ବହୁ ବିମାନ ଉଡ଼ାଣ ବାତିଲ୍ କରିଦେଲେଣି। ଭୁବନେଶ୍ବରକୁ ଦୈନିକ ୪୦ରୁ ୪୨ଟି ଆସୁଥିବା ବେଳେ ସମାନସଂଖ୍ୟକ ବିମାନ ଯାଉଥିଲା। କିନ୍ତୁ ଏବେ ଏହା ୧୮ରୁ ୨୦କୁ ଖସି ଆସିଛି।
ବିଜୁ ପଟ୍ଟନାୟକ ବିମାନବନ୍ଦର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, କରୋନା ପାଇଁ ଦିଲ୍ଲୀ, ମୁମ୍ବାଇ ଓ କୋଲକତାରୁ ଆସୁଥିବା ବିମାନଗୁଡ଼ିକ ଏବେ ପ୍ରଭାବିତ ହୋଇଛି। ବହୁ ବିମାନ ଉଡ଼ାଣ ବାତିଲ୍ ହୋଇଛି। ଏହି ତିନିଟି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଏଠାରୁ ଯାତ୍ରୀମାନେ ଯେଉଁ ହାରରେ ଆସୁଛନ୍ତି, ସେଠାକୁ ସେହିଭଳି ଯାତ୍ରୀ ଯାଉନାହାନ୍ତି। ଫଳରେ ବହୁ ବିମାନ ଏଠାରୁ କମ୍ ଯାତ୍ରୀରେ ଯାଉଛି।
ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, କରୋନାର ପ୍ରଥମ ପର୍ଯ୍ୟାୟରେ ବିମାନ ସେବା ବନ୍ଦ ହୋଇ ପୁଣି ଚାଲିବା ପରେ ସ୍ବାଭାବିକ ହେବାକୁ ନଭେମ୍ବର-ଡିସେମ୍ବର ମାସ ହୋଇଯାଇଥିଲା। କିନ୍ତୁ ଏବେ ପୁଣି ପ୍ରଭାବିତ ହୋଇଛି। ଏପ୍ରିଲ ପ୍ରଥମ ସପ୍ତାହରୁ ବିମାନ ଉଡ଼ାଣ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ଏପ୍ରିଲ ୧୫ ପରଠାରୁ ଅଧିକ ପ୍ରଭାବିତ ହୋଇଛି। ଏପ୍ରିଲ ୪ରେ ସର୍ବାଧିକ ୩୫ଟି ବିମାନ ଆସିଥିବା ବେଳେ ଏଥିରେ ୪୩୯୬ଜଣ ଯାତ୍ରୀ ଆସିଥିଲେ। ଏହି ଦିନ ୩୬ଟି ବିମାନ ଯାଇଥିବା ବେଳେ ୫୦୬୨ଜଣ ଯାତ୍ରୀ ଯାଇଥିଲେ।
କିନ୍ତୁ ଏପ୍ରିଲ ୨୨ରେ ଭୁବନେଶ୍ବରକୁ ୧୮ଟି ବିମାନ ଆସିଥିବା ବେଳେ ଏଥିରେ ୧୬୭୫ଜଣ ଯାତ୍ରୀ ଆସିଥିଲେ। ଏଠାରୁ ୧୮ଟି ବିମାନ ଯାଇଥିବା ବେଳେ ଏଥିରେ ମାତ୍ର ୯୩୧ଜଣ ଯାତ୍ରୀ ଯାଇଛନ୍ତି। ହଠାତ୍ ଯାତ୍ରୀଙ୍କ ସଂଖ୍ୟା କମିବାର ବିଭିନ୍ନ କାରଣ ରହିଛି। ପ୍ରଥମତଃ ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶା ତୁଳନାରେ ଅଧିକ ରହିଥିବାରୁ ସେଠାକୁ ଲୋକ ଏବେ ଯାଉନାହାନ୍ତି। ଯେଉଁମାନଙ୍କର ଜରୁରୀ କାର୍ଯ୍ୟ ଅଛି, ସେମାନେ ଯାଉଛନ୍ତି। ଦ୍ବିତୀୟତଃ ଭୁବନେଶ୍ବର ବିମାନବନ୍ଦରରେ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ୭୨ଘଣ୍ଟା ମଧ୍ୟରେ ଆର୍ଟି-ପିସିଆର୍ ଟେଷ୍ଟର ନେଗେଟିଭ୍ ରିପୋର୍ଟ ଦେଖାଇବା କିମ୍ବା ଦୁଇ ଡୋଜ୍ ଟିକା ନେଇଥିବା ସାର୍ଟିଫିକେଟ୍ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଫଳରେ ଯେଉଁ ଯାତ୍ରୀମାନେ ଯାତ୍ରା ପୂର୍ବରୁ ଏହା ଯୋଗାଡ଼ କରିପାରୁନାହାନ୍ତି ସେମାନେ ବିମାନରେ ଆସୁନାହାନ୍ତି।
ବେଙ୍ଗାଲୁରରୁ ଆଜି ଭୁବନେଶ୍ବର ଆସିଥିବା ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ବେଙ୍ଗାଲୁରୁ ବିମାନବନ୍ଦରରେ ଯେଉଁ ଯାତ୍ରୀଙ୍କର ଆର୍ଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଅଛି କିମ୍ବା ଟିକା ସାର୍ଟିଫିକେଟ୍ ଅଛି ସେମାନଙ୍କୁ ଗୋଟିଏ ବିମାନରେ ବୋର୍ଡିଂ କରାଯାଇଥିବା ବେଳେ ଯେଉଁମାନଙ୍କର ଏହା ନଥିଲା ସେମାନଙ୍କୁ ଆଉ ଏକ ବିମାନରେ ପଠାଇବାକୁ ଟର୍ମିନାଲରେ ଅଟକ ରଖାଯାଇଥିଲା। ସେହିପରି ଦିଲ୍ଲୀ, ମୁମ୍ବାଇ ଓ କୋଲକତାକୁ ଯାଉଥିବା କିଛି ବିମାନ ହଠାତ୍ ଶେଷ ମୁହୂର୍ତ୍ତରେ ବାତିଲ୍ ହୋଇଯାଇଥିବାରୁ ବିମାନବନ୍ଦରରେ ଯାତ୍ରୀମାନେ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଥିଲା।
ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୨୧ରେ ୨୪ଟି ବିମାନ ଆସିଥିବା ବେଳେ ୨୪ଟି ବିମାନ ଯାଇଥିଲା। ଏଥିରେ ୨୦୧୭ଜଣ ଯାତ୍ରୀ ଆସିଥିବା ବେଳେ ୧୫୪୪ଜଣ ଯାଇଥିଲେ। ଏପ୍ରିଲ ୨୦ରେ ୨୧ଟି ବିମାନରେ ୧୬୦୩ଜଣ ଆସିଥିବା ବେଳେ ୨୧ଟି ବିମାନରେ ୧୩୭୭ଜଣ ଯାଇଥିଲେ। ଏପ୍ରିଲ ୧୯ରେ ୨୨ଟି ବିମାନରେ ୧୯୨୫ଜଣ ଆସିଥିବା ବେଳେ ୨୩ଟି ବିମାନରେ ୧୬୪୨ଜଣ ଯାଇଥିଲେ। ଏପ୍ରିଲ ୧୮ରେ ୨୯ଟି ବିମାନରେ ୨୯୦୪ଜଣ ଯାତ୍ରୀ ଆସିଥିବା ବେଳେ ୨୯ଟି ବିମାନରେ ୨୭୯୮ଜଣ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/flight-3.jpg)
