ରାଉରକେଲା/ସୁନ୍ଦରଗଡ଼: ଲଗାଣ ବର୍ଷାରେ ବେହାଲ ହୋଇଛି ସମଗ୍ର ସୁନ୍ଦରଗଡ଼ ଜିଲ୍ଲା। ଶନିବାର ଅପରାହ୍ନରୁ ଆରମ୍ଭ ହୋଇଥିବା ବର୍ଷା ସୋମବାର କମିଛି। ରାଉରକେଲା ସ୍ମାର୍ଟସିଟିରୁ ଆରମ୍ଭକରି ସୁଦୂର ଖଣିଖମାରେ ଭର୍ତ୍ତି କୋଇଡ଼ା, ହେମଗିର ବ୍ଲକ ପର୍ଯ୍ୟନ୍ତ, ସବୁଠାରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ବହୁମାତ୍ରାରେ ପ୍ରଭାବିତ ହୋଇଥିବାବେଳେ କୋଇଲା ଆଦି ଖଣିଜପଦାର୍ଥ ପରିବହନ ବି ଠପ୍ ହୋଇଯାଇଛି। ଜିଲ୍ଲାରେ ପ୍ରାୟ ଶହେରୁ ଅଧିକ ଘର ଭାଙ୍ଗିଥିବାବେଳେ ବିଭିନ୍ନ ବସ୍ତି, ପଡ଼ାବାସୀ ଜଳବନ୍ଦୀ ଅଛନ୍ତି। ମୋଟାମୋଟିଭାବେ ଲଘୁଚାପ ଜନିତ ଲଗାଣ ବର୍ଷା ଜିଲ୍ଲାବାସୀଙ୍କୁ ଯାବତୀୟ ସମସ୍ୟା ଆଣିଦେଇଛି।
ରବିବାର ପୂର୍ବାହ୍ନ ୮ଟା ସୁଦ୍ଧା ରେକର୍ଡଭୁକ୍ତ ତଥ୍ୟ ଅନୁସାରେ, ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ପ୍ରବଳ ବର୍ଷା ହୋଇଛି। ତେବେ ହେମଗିର ବ୍ଲକରେ ସର୍ବାଧିକ ୨୦୦.୪ ମିଲିମିଟର ବର୍ଷା ହୋଇଥିବାବେଳେ ରାଜଗାଙ୍ଗପୁର ବ୍ଲକରେ ୧୬୭.୪ ମିଲିମିଟର, ସୁନ୍ଦରଗଡ଼ ଟାଉନ ଓ ସଦର ବ୍ଲକ ଅଞ୍ଚଳରେ ୧୬୩.୪ ମିଲିମିଟର, ଟାଙ୍ଗରପଲ୍ଲୀ ବ୍ଲକରେ ୧୬୦.୪ ମିଲିମିଟର, ଲେଫ୍ରିପଡ଼ା ବ୍ଲକରେ ୧୫୬.୪ ମିଲିମିଟର, ସବଡେଗାରେ ୧୧୨ ମିଲିମିଟର ବର୍ଷା ହୋଇଛି। ଏତଦ୍ବ୍ୟତୀତ ଅନ୍ୟ ସବୁ ବ୍ଲକରେ ମଧ୍ୟରେ ଲଗାଣ ବର୍ଷା ଦେଖିବାକୁ ମିଳିଛି। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ମଧ୍ୟ ବର୍ଷାର ମାତ୍ରା କିଛି କମ୍ ନୁହେଁ। ସହରର ପାନପୋଷ, ବେଦବ୍ୟାସ ଅଞ୍ଚଳର ବହୁ ଘରେ ପାଣି ପସିଛି। ବେଦବ୍ୟାସ ସାଇ ମନ୍ଦିର ବସ୍ତିରେ ପ୍ରାୟ ୪୦ ଘରେ ପାଣି ପସିଥିବାବେଳେ ପାନପୋଷ ବାହାଦୂର ବସ୍ତିର ପାଖାପାଖି ୧୦ରୁ ଅଧିକ ଘରେ ପାଣି ପସିଥିବା ଜଣାପଡ଼ିଛି। କୋଏଲ ନଦୀ ଓ ଶଙ୍ଖ ନଦୀର ଉପରମୁଣ୍ଡରେ ବର୍ଷା ଲାଗିରହିଲେ ବ୍ରାହ୍ମଣୀ ନଦୀ ଫୁଲିବା ସହ ତଳି ଅଞ୍ଚଳରେ ଥିବା ବାଲୁଘାଟ ବସ୍ତିରେ ପାଣି ପସିବାର ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ବାଲୁଘାଟ ଅଞ୍ଚଳରେ ପାଣି ପସିଥାଏ। ଏଣୁ ଚଳିତବର୍ଷ ମଧ୍ୟ ଏହାର ପୁନରାବୃତ୍ତି ଆଶଙ୍କାରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ।
ସୁନ୍ଦରଗଡ଼ ସହରର ବିଭିନ୍ନ ଅଞ୍ଚଳ ଏବେ ବର୍ଷା ପାଣିରେ ଉବୁଟୁବୁ। ବିଶେଷକରି ରିଜେଣ୍ଟ ମାର୍କେଟ, ରାଣୀବଗିଚା, ରଙ୍ଗାଢିପା, ଅରଣ୍ୟନଗର, ସୁନାରୀପଡା, ନିରଞ୍ଜନ ନଗର ଆଦି ଅଞ୍ଚଳବାସୀ ପାଣିଘେରରେ ରହିଛି। ଏମିତିକି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ପାଖାପାଖି ୨ ଫୁଟ ପାଣି ଜମି ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ପାଣି ପସିବାରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଛି। ଅପରପକ୍ଷରେ ହେମଗିରସ୍ଥ ଏନଟିପିସି ଓ ଏମସିଏଲ ବିସ୍ଥାପିତ ଗାଁ ଗୁଡ଼ିକ ଜଳମଗ୍ନ ହୋଇଥିବା ଜଣାପଡ଼ିଛି। ବେଲଡିହିର ୩ଟି ଘର ଭାଙ୍ଗି ଯାଇଥିବାବେଳେ ଗଡ଼ତୁମଲିଆର ୭ଟି ଘରେ ପାଣି ପସିଥିବାବେଳେ ୪ଟି ଘର ଭାଙ୍ଗି ଯାଇଛି।
ସ୍ଥିତି ଏମିତି ଯେ, ଏହି ୭ ପରିବାର ଏବେ ଗାଁ ବଜାର ପିଣ୍ଡିରେ ଆଶ୍ରୟ ନେଇଛନ୍ତି। ଗର୍ଜନବାହାଲରେ ଏମସିଏଲର ନୂଆ ଡ୍ରେନ ଯୋଗୁଁ ଅନେକ ଘର, ରାସ୍ତା, ଗାଁ ଦାଣ୍ଡ ଜଳମଗ୍ନ ହୋଇଛି; ଯାହାକି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଅସନ୍ତୁଷ୍ଟ ଜନସାଧାରଣ ଗର୍ଜନବାହାଲ ଖଣି ସମ୍ମୁଖ ରାସ୍ତାକୁ ଅବରୋଧ କରି କୋଇଲା ପରିବହନ ବନ୍ଦ କରିଦେଇଛନ୍ତି। ଲେଫ୍ରିପଡ଼ା ବ୍ଲକ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ପରିଲକ୍ଷିତ ହୁଏ। ତେବେ ସର୍ଗିପାଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଚକୁଳି ଗ୍ରାମରେ ପାଖାପାଖି ୧୦ ଜଣଙ୍କ ଘର ଭାଙ୍ଗିଥିବାବେଳେ ସର୍ଗିପାଲି ଗ୍ରାମର ୨୦ରୁ ଅଧିକ ଘରକୁ ବର୍ଷା ଧୋଇନେଇଛି। ସେହିଭଳି ବଡ଼ବଙ୍ଗା ପଞ୍ଚାୟତର ଧରୁଆଡିହି, ଛଟେନପାଲି ପଞ୍ଚାୟତ ବଡ଼ଖଲିଆ ଗାଁ, ଲେଫ୍ରିପଡ଼ା ଗ୍ରାମ, ରାଏଡିହି ଅଞ୍ଚଳର ଖୁଟୁଲାପାଲି, ଟେଙ୍ଗରା, ବିଜାଡିହି ଆଦି ଗ୍ରାମରେ ୩୦ରୁ ଅଧିକ ଘର ଭାଙ୍ଗିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଏସବୁ ଅଞ୍ଚଳରେ କେବଳ ଘର ଭାଙ୍ଗିନି, ବରଂ ବହୁ ପରିମାଣର ଚାଷଜମି ନଷ୍ଟ ହୋଇଛି। ବନ୍ୟାପାଣି ମାଡ଼ିଯିବାରୁ ଧାନଫସଲ ଧୋଇଯାଇଥିବାବେଳେ ବାଲିଚର ହେବା, ହିଡ଼ ଭାଙ୍ଗିଯାଇ ଘାଇ ସୃଷ୍ଟି ହୋଇଯାଇଛି। ବର୍ଷା ଜାରି ରହିବବୋଲି ପାଣିପାଗ ବିଭାଗପକ୍ଷରୁ ପୂର୍ବାନୁମାନ କରାଯାଇଥିବାରୁ ଆସନ୍ନ ବନ୍ୟା ଆଶଙ୍କାରେ ଲୋକେ ଏବେ ରାତି ଅନିଦ୍ରା ହୋଇ ଚେଇଁ ରହିଛନ୍ତି।